ସୁନ୍ଦରଗଡ଼ ଏବଂ ଅନୁଗୁଳରେ ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

ଏମ୍‌ସିଏଲ୍ ଦ୍ୱାରା ପ୍ରତିଷ୍ଠା କରାଯିବ
ଧର୍ମେନ୍ଦ୍ରଙ୍କ ଅନୁରୋଧ ରଖିଲେ କେନ୍ଦ୍ର କୋଇଲା ମନ୍ତ୍ରୀ

ଭୁବନେଶ୍ବର : ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାରେ ଦୁଇଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ। ମହାନଦୀ କୋଲ ଫିଲ୍‌ଡ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ଏହାକୁ ନିର୍ମାଣ କରିବ। ଏମ୍‌ସିଏଲ୍‌ ବୋର୍ଡ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଏଥି ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗତ ବର୍ଷ ସେପ୍ଟେମ୍ବର ୨୦ ତାରିଖରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ବରଗଡ ସାଂସଦ ସୁରେଶ ପୂଜାରୀ, ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପତ୍ର ଆଧାରରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ପତ୍ର ଲେଖି ଏମ୍‌ସିଏଲ୍ ଦ୍ୱାରା ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ଅନୁଗୁଳ ଜିଲ୍ଲାରେ ୩ଟି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ। ଏହା ଦ୍ୱାରା ଉକ୍ତ ଜିଲ୍ଲାର ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ସେ ପତ୍ରରେ ଉଲ୍ଲେଖ କରିଥିଲେ। ଏହି ପତ୍ରର ଉତ୍ତରରେ ଶ୍ରୀ ଯୋଶୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପତ୍ର ଲେଖି କହିଛନ୍ତି ଯେ ସୁନ୍ଦରଗଡ଼ ଜିଲ୍ଲାର ବସୁନ୍ଧରାରେ ଗୋଟିଏ ଏବଂ ଅନୁଗୁଳ ଜିଲ୍ଲାର ଜଗନ୍ନାଥ ଏବଂ ସୁଭଦ୍ରା ଅଞ୍ଚଳରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଏମ୍‌ଏସିଏଲ୍‌ ବୋର୍ଡ ଅନୁମୋଦନ ଦେଇଛି। ପ୍ରାଥମିକ ଶିକ୍ଷା ସ୍ତରରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜାତୀୟ ଶିକ୍ଷା ନୀତି ୨୦୨୦ରେ ମୁଖ୍ୟ ଏଜେଣ୍ଡା ରହିଛି। ଏହି ଖଣିଖାଦାନ ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଗୁଣାତ୍ମକ ଶିକ୍ଷା ପାଇପାରିବେ ଏବଂ ସ୍ଥାନୀୟ ଲୋକଙ୍କର ଆକାଂକ୍ଷା ମଧ୍ୟ ପୂରଣ ହୋଇପାରିବ।

ସମ୍ବନ୍ଧିତ ଖବର