‘ନିର୍ମଳ ପ୍ଲସ୍‌ ଯୋଜନା’ରେ ଗୋଟିଏ ସଂସ୍ଥା ହେବ ସର୍ବେସର୍ବା, ଛୋଟ ଠିକାଦାରଙ୍କ ପାଇଁ ବାଟ ବନ୍ଦ

କଟକ, (ଗଦାଧର ପଣ୍ଡା) : ବିଗତ କିଛିବର୍ଷ ହେବ ଛୋଟ ଠିକାଦାରଙ୍କ ସୁଯୋଗକୁ ସଙ୍କୁଚିତ କରାଯାଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ବଡ଼ ନିର୍ମାଣରେ ଛୋଟ (ବିଶେଷକରି ଓଡ଼ିଆ‌) ଠିକାଦାର ବଂଚିତ କରାଯାଉଥିବା ବେଳେ ଏବେ ପୁଣିଥରେ ସରକାର ଖୋଲାଖୋଲି ଭାବେ ଠିକାଦାରଙ୍କୁ ଭାତହାଣ୍ଡିରେ ଚଡ଼କ ପକାଇଲା ଭଳି କାମ କରିଛନ୍ତି। ଗତ ୨୪ ତାରିଖରୁ ସରକାର ରାଜ୍ୟର ତିନି ପ୍ରମୁଖ ମେଡିକାଲ କଲେଜ ସମେତ ରାଜ୍ୟର ୭ଟି ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନରେ ନିର୍ମଳ ପ୍ଲସ୍‌ ପ୍ଲସ୍‌ ଯୋଜନା ଲାଗୁ କରିଛନ୍ତି। ଯୋଜନା ପରିସରଭୁକ୍ତ ସମସ୍ତ ପ୍ରତିଷ୍ଠାନ ପାଇଁ ଆଉ କୌଣସି ନୂଆ ଟେଣ୍ଡର୍‌ ନ କରିବାକୁ ସିଧାସଳଖ ମନା କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ତଥା ଅତିରକ୍ତ ମୁଖ୍ୟ ଶାସନ ସଚିବ ପି. କେ ମହାପାତ୍ର ଯୋଜନା ଅଧୀନରେ ଆସୁଥିବା ସମସ୍ତ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ଏ କଥା (ଚିଠି ନଂ ୨୩୭୭୩)ରେ ଜଣାଇ ଦେଇଛନ୍ତି।

ନିର୍ମଳ ପ୍ଲସ୍‌ ପ୍ଲସ କାଟାଗୋରିରେ ଆସୁଥିବା ପ୍ରତିଷ୍ଠାନର ସିଭିଲ(ନିର୍ମାଣ), ପାନୀୟଜଳ ଯୋଗାଣ, ବିଦ୍ୟୁତ୍ ଭିତ୍ତିଭୂମି ଓ ମେଡିକାଲ ପାଇଁ ଆବଶ୍ୟକ ଥିବା ଅନ୍ୟ ଆନୁଷଂଗିକ ସୁବିଧାର ଟେଣ୍ଡର କରିବାକୁ ମନା କରିଛନ୍ତି। ଏଥିପାଇଁ ପୂର୍ତ୍ତ ବିଭାଗ ଗୋଟିଏ କମ୍ପୋଜିଟ(ସାମଗ୍ରିକ) ଭାବେ ଗୋଟିଏ ଟେଣ୍ଡର କରିବେ। ସେହି ଟେଣ୍ଡର ପାଇଥିବା ସଂସ୍ଥା ଏ ସମସ୍ତ କାମର ପରିଚାଳନା କରିବ। ଅର୍ଥାତ୍‌ ଗୋଟିଏ ସଂସ୍ଥ‌ା ସମସ୍ତ ମେଡିକାଲର ନିର୍ମାଣଠୁ ଆରମ୍ଭ କରି ଅନ୍ୟ ସମସ୍ତ କାମ କରିବ। ‘ୱାନ୍‌ ଫେସିଲିଟ’ ମ୍ୟାନେଜର ବା ଗୋଟିଏ ସଂସ୍ଥା ସବୁ ସୁବିଧା ଯୋଗାଇଦେବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏ ଚିଠି ଆସିବାପରେ ଏବେ ବିଭିନ୍ନ ମେଡିକାଲ କଲେଜରେ ଛୋଟମୋଟ ନିର୍ମାଣ ଓ ଅନ୍ୟାନ୍ୟ ସର୍ଭିସ ପ୍ରୋଭାଇଡର କାମ କରୁଥିବା ସଂସ୍ଥାଗୁଡ଼ିକଙ୍କ ମନରେ ଛନକା ପଶିଛି। ମେଡିକାଲମାନଙ୍କରେ ଛୋଟମୋଟ ଠିକା କାମ କରୁଥିବା ଠିକାଦାରମାନେ ହତାଶ ହୋଇ ପଡିଛନ୍ତି। ବିଗତ ବର୍ଷମାନଙ୍କ‌ରେ ଛୋଟ ଠିକାଦାରଙ୍କ ସୁଯୋଗକୁ ସଙ୍କୁଚିତ କରିବା ପାଇଁ ବଡ ବଡ କର୍ପୋରେଟ୍‌ ସଂସ୍ଥାକୁ ନିର୍ମାଣ କାମ ଦେଇ ଛୋଟ ଓଡ଼ିଆ ଠିକାଦାରଙ୍କ ବିରୋଧରେ ଏକ ବିରାଟ ଷଡଯନ୍ତ୍ର ଚାଲିଥିବା ଠିକାଦାରମାନେ ଅଭିଯୋଗ କରିଛନ୍ତି। ଏବେ ନିର୍ମଳ ପ୍ଲସ ପ୍ଲସ୍‌ ଯୋଜନା ବହୁ ଠିକାଦାରଙ୍କ ତଣ୍ଟି ଚିପିଲା ଭଳି କାମ କରାଯାଇଥିବା ଅଭିଯୋଗ ହୋଇଛି।

sarkariyojana.com

ପ୍ରକାଶ ଯେ ସ୍ବାସ୍ଥ୍ୟସଚିବ ଗତ ୨୪ ତାରିଖରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ର ଅଧ୍ୟକ୍ଷ ଓ ଅଧୀକ୍ଷକ, ଏମ୍‌କେସିଜିର ଅଧ୍ୟକ୍ଷ ଓ ଅଧୀକ୍ଷକ, ଭିମସାର ବୁର୍ଲାର ନିର୍ଦ୍ଦେଶକ, ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ନିର୍ଦ୍ଦେଶକ, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ, ସର୍ଦାର ବଲ୍ଲଭଭାଇ ପଟେଲ ସ୍ନାତକୋତ୍ତର ଶିଶୁରୋଗ ଚିକିତ୍ସା ପ୍ରତିଷ୍ଠାନ (ଶିଶୁଭବନ, କଟକ), ମାନସିକ ରୋଗ ଚିକିତ୍ସା ପ୍ରତିଷ୍ଠାନ (ମେଣ୍ଟାଲ୍‌ ହେଲଥ ଇନଷ୍ଟିଚ୍ୟୁଟ୍‌), କଟକର ନିର୍ଦ୍ଦେଶକଙ୍କୁ ଏ ସଂପର୍କ‌ରେ ଅବଗତ କରିଛନ୍ତି ଓ ନିର୍ମଳ ପ୍ଲସ୍‌ ପ୍ଲସ୍‌ ଯୋଜନାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ଫେବ୍ରୁଆରି ୨୩ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଅନୁସାରେ ଏହାକୁ ଲାଗୁ କରାଯାଇଥିବା ଉଲ୍ଲେଖ କରିଛନ୍ତି। ନିର୍ମଳ ପ୍ଲସ୍‌ ପ୍ଲସ୍‌ ଯୋଜନା ଲାଗୁ ହେବା ପରେ ଆଉ କୌଣସି ନୂଆ ଟେଣ୍ଡର କରାଯିବ ନାହିଁ। ପୂର୍ତ୍ତ ବିଭାଗ ଡିଏମ୍‌ଇଟିଙ୍କ ଅନୁମତି ନେଇ କାମ କରିବ। ଏପରିକି ପରବର୍ତ୍ତୀ ସମୟରେ ଅନ୍ୟ ନୂଆ ମେଡିକାଲ କଲେଜଗୁଡିକରେ ମଧ୍ୟ ଏହା ଲାଗୁ କରାଯିବ। ସୂଚନା‌ଯୋଗ୍ୟ, ଏବେ ରାଜ୍ୟ ସରକାର ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ଏକ ସିଂହଭାଗ ଅର୍ଥ ଖର୍ଚ୍ଚ କରୁଛନ୍ତି। ଏଭଳି ସମୟରେ ନିର୍ମଳ ପ୍ଲସ୍‌ ପ୍ଲସ୍‌ ‌ଗୋଟିଏ ବଡ଼ ଠିକାସଂସ୍ଥାକୁ ମାଲାମାଲ କରିବ ମାତ୍ର ହଜାର ହଜାର ଠିକାଦାର ଏହାଦ୍ବାରା ବଂଚିତ ହେବେ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର