ବିଧାନସଭାରେ ପ୍ରତିଶ୍ରୁତି ଦେଲେ ମନ୍ତ୍ରୀ, ପଞ୍ଜୀକୃତ ଚାଷୀଙ୍କଠୁ ମାର୍ଚ୍ଚ ୩୧ ପୂର୍ବରୁ ଧାନ କିଣାଯିବ

୧୮ ପ୍ରତିଶତ ଅଧିକ ଧାନ କିଣିଲେଣି ରାଜ୍ୟ ସରକାର

ଭୁବନେଶ୍ବର : ପଞ୍ଜୀକୃତ ହୋଇଥିବା ପ୍ରକୃତ ଚାଷୀଙ୍କ ଠାରୁ ରାଜ୍ୟ ସରକାର ଆସନ୍ତା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଧାନ କିଣିବେ। ଛଅ ଦିନ ଧରି ଏହାକୁ ନେଇ ବିଧାନସଭାରେ ଅଚଳାବସ୍ଥା ଚାଲିଥିବା ବେଳେ ଏହାର ଅବସାନ ଘଟାଇବାକୁ ଯାଇ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗୃହରେ ଏମିତି ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ସେ ଗୃହକୁ ଏକଥା ବି ଜଣାଇଛନ୍ତି ଯେ ଯଦି କୌଣସି ପଞ୍ଜୀକୃତ ଯୋଗ୍ୟ ଚାଷୀ ଧାନ ବିକ୍ରି କରିବା ସୁଯୋଗରୁ ବଞ୍ଚିତ ହୋଇଥିବା ବିଧାୟକମାନେ ଜାଣନ୍ତି, ତେବେ ସରକାରଙ୍କୁ ଜଣାଇଲେ, ସେ ବାବଦରେ ତଦନ୍ତ କରି ଉପଯୁକ୍ତ କ୍ଷେତ୍ରରେ ଧାନ ଉଠାଣ କରାଯିବ। ପଞ୍ଜୀକୃତ ପ୍ରକୃତ ଚାଷୀଙ୍କ ଧାନ ଉଠାଇବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ ଦୋହରାଇଛନ୍ତି।

ଶ୍ରୀ ସ୍ବାଇଁ କହିଥିଲେ ଯେ ବର୍ତମାନ ସୁଦ୍ଧା ୬୧.୨୪ଲକ୍ଷ ମେଟ୍ରିକ୍ ଟନ୍ (୧୮% ଅଧିକ) ଧାନ ସଂଗ୍ରହ କରାଯାଇଛି। ସଂଗୃହୀତ ଧାନର ମୂଲ୍ୟ ପ୍ରାୟ ୧୧ ହଜାର ୪୪୧ କୋଟି ଟଙ୍କା। ଗତ ବର୍ଷ ଖରିଫ୍‌ରେ ଏହି ସମୟ ସୁଦ୍ଧା ୫୧.୭୩ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାଯାଇଥିଲା। ନିୟମ ଅନୁସାରେ ଏବର୍ଷ ମାର୍ଚ୍ଚ ୩୧ ତାରିଖ ଯାଏ ଧାନ କିଣା ଜାରି ରହିବ। କୌଣସି ପଞ୍ଜୀକୃତ ଯୋଗ୍ୟ ଚାଷୀ ଯେଭଳି ଧାନ ବିକ୍ରି କରିବା ପାଇଁ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ପରିସଂଖ୍ୟାନ ରଖି ମନ୍ତ୍ରୀ ଆହୁରି କହିଛନ୍ତି ଯେ ଗତବର୍ଷ ମାତ୍ର ୯.୩୦ ଲକ୍ଷ ଚାଷୀ ଧାନ ବିକ୍ରି କରିଥିଲେ। ଏବର୍ଷ ଏହି ସଂଖ୍ୟା ୧୧.୫୦ଲକ୍ଷ ଛୁଇଁ ସାରିଲାଣି। ୨୦୧୭-୧୮ରେ ୩୮.୨୧ ଲକ୍ଷ ମେଟ୍ରିକ୍ ଟନ୍, ୨୦୧୮-୧୯ରେ ୫୧.୫୬ଲକ୍ଷ ମେଟ୍ରିକ୍ ଟନ୍, ୨୦୧୯-୨୦ରେ ୫୩.୩୧ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା। ଏହି ବର୍ଷମାନଙ୍କରେ ଯଥାକ୍ରମେ ୫ ହଜାର ୯୨୩ କୋଟି, ୯୦୨୪ କୋଟି ଓ ୯୬୭୬ କୋଟି ଟଙ୍କାର ଧାନ କିଣାଯାଇଛି।

ଏହି ଅବସରରେ ସରକାର ଗୃହକୁ ଜଣାଇଛନ୍ତି ଯେ ବଲାଙ୍ଗୀର ଜିଲ୍ଲାର ୪ଟି ପ୍ରାଥମିକ କୃଷି ସମବାୟ ସମିତି ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପୁଣି ଚାଲୁ କରାଯାଇଛି ଓ ୫୦ ଜଣ ଚାଷୀଙ୍କ ଠାରୁ ୨୬୩୬.୦୬ କ୍ବିଣ୍ଟାଲ ଧାନ କିଣାଯାଇଛି। ସେଠାରେ ଟୋକନ ବାଜ୍ୟାପ୍ତି ହୋଇଥିବା ୪୫୦ ଜଣଙ୍କ ସଂପର୍କରେ ଅନୁସନ୍ଧାନ ଚାଲିଛି ଏବଂ ୪୦୦ ନକଲି ଚାଷୀଙ୍କ ସଂପର୍କରେ ତଦନ୍ତ ଜାରି ରହିଛି। ଦେବଗଡ଼ ଜିଲ୍ଲାରେ ୨୯୦୦ ବାଜ୍ୟାପ୍ତି ଟୋକନ୍ ଉପରେ ତଦନ୍ତ ଜାରି ରହିଥିବା ବେଳେ ନୂଆପଡ଼ାରେ ମଧ୍ୟ ଅନୁରୂପ କାର୍ଯ୍ୟ ଚାଲିଛି। ମୟୂରଭଂଜରେ ୫୦୦୦, ନବରଙ୍ଗପୁରରେ ୨୦୦ ବାଜ୍ୟାପ୍ତ ଟୋକନ୍ ସଂପର୍କରେ ଅନୁସନ୍ଧାନ ଜାରି ରହିଛି। ବରଗଜ଼ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯାଇ ୮୧୬ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଇଛି।

ଅନ୍ୟପକ୍ଷରେ ୧୦୦ ଜଣ ପ୍ୟାକ୍ସ ସଂପାଦକ ଓ ଅନ୍ୟ କର୍ମକର୍ତ୍ତାଙ୍କୁ ସରକାର ନିଲମ୍ବିତ କରିଛନ୍ତି। ୭ଜଣଙ୍କୁ ବହିଷ୍କାର କରାଯାଛି। ପଦ୍ମପୁର ଆର୍‌ଏମ୍୍ସି ସଂପାଦକଙ୍କୁ ଅବହେଳା ପାଇଁ ନିଲମ୍ବିତ କରାଯାଇଛି। ଚାନ୍ଦବାଲି ଆର୍‌ଏମ୍‌ସି ସଂପାଦକଙ୍କୁ ନିଲମ୍ବିତ ସହ ତାଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ ହୋଇଛି। ଏହି କ୍ରମରେ ଗଜପତି ଓ ଭଦ୍ରକ ଜିଲ୍ଲାରେ ଧାନ କ୍ରୟ କାର୍ଯ୍ୟରେ ଜାଲିଆତି କରୁଥିବା ଦୁଇ ଜଣ ଚାଷୀଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ ହୋଇଛି ବୋଲି ମନ୍ତ୍ରୀ ଗୃହକୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର