୨୦୩୫ ୱାର୍ଡରେ ହେବ ବର୍ଷା ଜଳ ଅମଳ ବ୍ୟବସ୍ଥା

ଭୁବନେଶ୍ବର : ରାଜ୍ୟର ଅଧିକାଂଶ ଅଞ୍ଚଳରେ ଭୂତଳ ଜଳସ୍ତର କମିଯାଉଥିବାରୁ ବର୍ଷା ଜଳ ସଂରକ୍ଷଣ/ଅମଳ ବ୍ୟବସ୍ଥାକୁ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ଯେପରି ସହରାଞ୍ଚଳରେ ଭୂତଳ ଜଳସ୍ତର କମିବନି ଏବଂ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବନି ତାହାକୁ ନଜରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୧୪ଟି ପୌରାଞ୍ଚଳରେ ୨୦୩୫ଟି ୱାର୍ଡରେ ୧୮ହଜାର ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୧୨୯୯୬ଟି ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବାବେଳେ ଏଥିପାଇଁ ୭୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି।

ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନ୍‌ଏସି ସ୍ତରରୁ ଆରମ୍ଭ କରି ମହାନଗର ନିଗମ ପର୍ଯ୍ୟନ୍ତ ସବୁ ସ୍ତରରେ ଏହି ବର୍ଷା ଜଳ ଅମଳ ବ୍ୟବସ୍ଥା କରାଯାଉଛି। ପ୍ରତି ଏନ୍‌ଏସିରେ ପ୍ରତି ୱାର୍ଡରେ ୫ଟି, ମ୍ୟୁନିସପାଲଟିରେ ୧୦ଟି, ମହାନଗର ନିଗମରେ ପ୍ରତି ୱାର୍ଡରେ ୨୦ଟି ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୪ହଜାର ପ୍ରକଳ୍ପ ସରିଥିବାବେଳେ ବାକି ପ୍ରକଳ୍ପଗୁଡ଼ିକୁ ତୁରନ୍ତ ଶେଷ କରିବା ପାଇଁ କାର୍ଯ୍ୟାଦେଶ ଦେବାକୁ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ସମସ୍ତ ପୌରସଂସ୍ଥା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏବେ ସୁଦ୍ଧା ୧୩୦୬୦ଟି ସ୍ଥାନ ଚିହ୍ନଟ ହୋଇଥିବାବେଳେ ୧୨୯୯୬ଟି ପାଇଁ ଯୋଜନା ଓ ଖର୍ଚ୍ଚ ଆକଳନ ସରି କାମ ଚାଲିଛି। ଏଥିରୁ ୧୧୬୬୦ଟି କାମ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିବାବେଳେ ୬୬୭୬ଟି ମିସନ୍ ଶକ୍ତି ଗ୍ରୁପ୍ ଏବଂ ଏସ୍‌ଡିଏ ଗ୍ରୁପ୍‌ଙ୍କୁ ସହରୀ ବେତନ ନିଯୁକ୍ତି ପଦକ୍ଷେପରେ କାର୍ଯ୍ୟାଦେଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୧୦୧୫୨ଟିର କାମ ଆରମ୍ଭ ହୋଇଯାଇଥିବାବେଳେ ୪୧୯୬ଟିର କାମ ସରିଛି।

ସମ୍ବନ୍ଧିତ ଖବର