ରାଜ୍ୟରେ ପ୍ରଥମ: ଭିମ୍‌ସାର୍‌ରେ କୋଭିଡ୍‌ ଟିକା ଉପରେ ହେବ ଗବେଷଣା

ସମ୍ବଲପୁର : ବୁର୍ଲା ଭିମ୍‌ସାର୍‌ରେ ଲୋକମାନଙ୍କ ଉପରେ କୋଭିଡ୍‌-୧୯ ଟିକାର ପ୍ରଭାବ ସଂପର୍କରେ ଗ‌ବେଷଣା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଗବେଷଣା କମିଟିଙ୍କ ଅନୁମୋଦନ ପରେ ଆଜି ରକ୍ତ ସଂଗ୍ରହ ଆରମ୍ଭ ହୋଇଛି। ଓଡ଼ିଶାରେ ପ୍ରଥମ ଅନୁଷ୍ଠାନ ଭାବେ ଭିମ୍‌ସାର୍‌କୁ ଏହି ସୁଯୋଗ ମିଳିଛି। ଭିମ୍‌ସାର୍ ଓ ଭୁବନେଶ୍ବର ଆଂଚଳିକ ମେଡିକାଲ ଗ‌ବେଷଣା କେନ୍ଦ୍ର(ଆର୍‌ଏମ୍‌ଆର୍‌ସି) ପକ୍ଷରୁ ମିଳିତ ଭାବେ ଏହି ଗବେଷଣା କରାଯାଉଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, କୋଭିଡ୍‌ ଟିକା ନେଉଥିବା ଲୋକଙ୍କ ଉପରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ସମୟ ସଂକ୍ରାନ୍ତରେ ଜାଣିବା ପାଇଁ ଗବେଷଣା କରିବାକୁ ଭିମ୍‌ସାର୍‌ ପକ୍ଷରୁ ରାଜ୍ୟ ସରକାରଙ୍କ ଠାରେ ଆବେଦନ କରାଯାଇଥିଲା। ୧୨ ମାସ ପାଇଁ ହେବାକୁ ଥିବା ଏହି ଗବେଷଣା କାର୍ଯ୍ୟକ୍ରମ ଉପରେ ରାଜ୍ୟ ସ୍ବାସ୍ଥ୍ୟ ଗ‌ବେଷଣା କମିଟି ସବୁଜ ସଂକେତ ଦେଇଛନ୍ତି। ଭିମ୍‌ସାର୍‌ର କମ୍ୟୁନିଟି ମେଡିସିନ୍ ବିଭାଗର ଟ୍ୟୁଟର ଡାକ୍ତର ସଂଜୀବ ମିଶ୍ର ମୁଖ୍ୟ ଗବେଷକ ଥିବା ବେଳେ ଆର୍‌ଏମ୍‌ଆର୍‌ସିର ଦୁଇ ଜଣ ବ‌ୈଜ୍ଞାନିକଙ୍କ ଏହି ଗବେଷକ ଟିମ୍‌କୁ ସହଯୋଗ କରୁଛନ୍ତି। ଏହି ଟିମ୍‌ରେ ସହ-ଗବେଷକ ଭାବେ କମ୍ୟୁନିଟି ମେଡିସିନ୍ ବିଭାଗର ଆସୋସିଏଟ୍‌ ପ୍ରଫେସର ଡାକ୍ତର ସୁବ୍ରତ କୁମାର ପ୍ରଧାନ, କୁଲମନ୍ତ ଲାକ୍ରା, ନିଶ୍ଚେତକ ବିଭାଗର ପ୍ରଫେସର ତଥା ଏମ୍ଆର୍‌ୟୁର ନୋଡାଲ ଅଫିସର ବିମଳ କୁମାର ପଣ୍ଡା, ମାଇକ୍ରୋବାଇଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସୁମନ୍ତ କୁମାର ସାହୁ ପ୍ରମୁଖ ରହିଛନ୍ତି। ଏହି ଟିମ୍‌କୁ କେତେକ ପିଜି ଛାତ୍ରଙ୍କ ସହିତ ଭିମ୍‌ସାର୍‌ର ବହୁମୁଖୀ ଗ‌ବେଷଣା ୟୁନିଟ୍‌(ଏମ୍ଆର୍‌ୟୁ)ର ଗବେଷଣାଗାର ସହାୟକମାନେ ମଧ୍ୟ ସହୟତା କରିବେ ବୋଲି ଜଣାପଡ଼ିଛି। କୋଭିଡ୍‌ ଟିକା ନେଇଥିବା ବ୍ୟକ୍ତିଙ୍କ ଉପରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବାକୁ କେତେ ଦିନ କେତେ ସମୟ ଲାଗିବ ଏବଂ ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି ହାସଲର ଅବଧି କେତେ ରହିବ, ତାହା ଜାଣିବା ଏହି ଗବେଷଣାର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି। ଏହି ତଥ୍ୟ ଆଧାରରେ ମହାମାରୀ କବଳରୁ ଆମେ କେବେ ମୁକ୍ତ ହୋଇପାରିବା ତାହା ଜାଣିହେବ ବୋଲି ଡାକ୍ତର ମିଶ୍ର କହିଛନ୍ତି। ନୂଆ ଟିକା ବାହାରିବା ସମୟରେ ଆଗରୁ ଓଡ଼ିଶାକୁ ପଛରେ ଟିକା ମିଳୁଥିଲା। କୋଭିଡ୍ ଟିକା ଜରୁରୀ ବ୍ୟବହାର ପାଇଁ ସାରା ଦେଶରେ ଗୋଟିଏ ଦିନରେ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାକୁ ମଧ୍ୟ ଏହି ସୁଯୋଗ ମିଳିଛି। ଏହା ଦ୍ବାରା ଗବେଷଣା ପାଇଁ ବି ଏକ ଭଲ ସୁଯୋଗ ମିଳିପାରିଛି ବୋଲି ଡାକ୍ତର ମିଶ୍ର କହିଛନ୍ତି। ଗବେଷଣା ସମୟରେ ୪୦୦ରୁ ୫୦୦ ଜଣଙ୍କଠାରୁ ନମୁନା ସଂଗ୍ରହ କରାଯିବାର ଯୋଜନା ରହିଥିବା ବେଳେ ଆଜି ପ୍ରଥମ ଦିନରେ ଟିକା ନେଇନଥିବା ୬୭ ଜଣଙ୍କ ନମୁନା ସଂଗ୍ରହ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଓ ଦ୍ବିତୀୟ ପର୍ଯ୍ୟାୟ ଟିକା ନେବା ପରେ ଏବଂ କିଛି ମାସର ବ୍ୟବଧାନରେ ପୁଣି ସେମାନଙ୍କ ନମୁନା ସଂଗ୍ରହ କରାଯାଇ ରୋଗ ପ୍ରତିରୋଧକ ଶକ୍ତି ସଂପର୍କରେ ଅନୁଧ୍ୟାନ କରାଯିବାର ଯୋଜନା ରହିଛି।

‘ଓଡ଼ିଶାରେ ପ୍ରଥମ ଥର ପାଇଁ କୌଣସି ଅନୁଷ୍ଠାନକୁ ଏଭଳି ଗବେଷଣାର ସୁଯୋଗ ମିଳିଛି। ଏହା ଆମ ପାଇଁ ଏକ ଗୌରବର କଥା’ ବୋଲି ଭିମ୍‌ସାର୍‌ ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର ଡାକ୍ତର ବ୍ରଜ‌ମୋହନ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର