ଦ୍ୱିତୀୟ ଡୋଜ୍ ବଢ଼ାଇବା ଲାଗି ଗାଁରେ ହେବ ଟିକାକରଣ କେନ୍ଦ୍ର

ହିତାଧିକାରୀଙ୍କୁ ଟିକାକରଣ କେନ୍ଦ୍ରକୁ ଆଣିବେ ଆଶା କର୍ମୀ
ଏବେ ବି ଦ୍ୱିତୀୟ ଡୋଜ୍ ନେଇ ନାହାନ୍ତି ୨୪.୮ଲକ୍ଷ

ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଲୋକମାନେ ଆସୁ ନାହାନ୍ତି। ବାରମ୍ବାର ଏସ୍‌ଏମ୍‌ଏସ୍‌ ଓ ସଚେତନତା ସତ୍ତ୍ବେ ଦ୍ବିତୀୟ ଡୋଜ୍ ଟିକାକରଣ ସଂଖ୍ୟା ବଢ଼ୁନାହିଁ। ବିଶେଷକରି ଗ୍ରାମାଞ୍ଚଳରେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି। ତେଣୁ ଗ୍ରାମାଞ୍ଚଳର ହିତାଧିକାରୀ କିଭଳି ଦ୍ବିତୀୟ ଡୋଜ୍ ଟିକା ନେବେ ସେଥିପାଇଁ ଗାଁରେ ଟିକାକରଣ କେନ୍ଦ୍ର ଖୋଲିବା ଲାଗି ନିଷ୍ପତ୍ତି ନିଆଯାଇଛି। ଗୋଟିଏ ବଡ଼ ଗାଁ କିମ୍ବା ୨/୩ଟି ଛୋଟ ଗାଁକୁ ମିଶାଇ ଗୋଟିଏ ଟିକାକରଣ କେନ୍ଦ୍ର ଖୋଲାଯିବ। ଏହାଦ୍ବାରା ଦ୍ବିତୀୟ ଡୋଜ୍ ଟିକାକରଣ ବଢ଼ିପାରିବ ବୋଲି ଆଶା କରାଯାଉଛି।

ରାଜ୍ୟରେ ଏବେ ବି ୨୪.୮ଲକ୍ଷ ହିତାଧିକାରୀ ନିଜର ଦ୍ବିତୀୟ ଡୋଜ୍ ଟିକା ନେଇ ନାହାନ୍ତି। କିଛି ଜିଲ୍ଲାରେ ଏହା ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଦିନକୁ ଦିନ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଭିତରେ ବ୍ୟବଧାନ ବଢ଼ୁଥିବା ନଜରକୁ ଆସୁଛି। ଯାହାଫଳରେ ରାଜ୍ୟର ସମୁଦାୟ ଟିକାକରଣ ଉପରେ ଏହାର ପ୍ରଭାବ ପଡ଼ୁଛି। ଟିକା ନ ନେବା ପଛରେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ମଧ୍ୟ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ପୂର୍ବରୁ କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁଯାୟୀ କେବଳ ଭିନ୍ନକ୍ଷମ ଓ ଟିକାକରଣ କେନ୍ଦ୍ରକୁ ଆସି ପାରୁ ନ ଥିବା ବ୍ୟକ୍ତିମାନଙ୍କୁ ଘରେ ଟିକା ଦିଆଯିବାର ବ୍ୟବସ୍ଥା ହୋଇଛି। ହେଲେ ଦ୍ବିତୀୟ ଡୋଜ୍ ଟିକାକରଣ ମାତ୍ରା ବୃଦ୍ଧି କରିବା ଲାଗି ଗାଁରେ ଟିକାକରଣ କେନ୍ଦ୍ର ଖୋଲାଯିବ।

ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି ଯେ କେଉଁ ଜିଲ୍ଲାରେ କେତେ ସଂଖ୍ୟାରେ ହିତାଧିକାରୀ ଦ୍ବିତୀୟ ଡୋଜ୍ ଟିକା ନେଇ ନାହାନ୍ତି ତାହାର ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ଏହି ତାଲିକା ଆଶା କର୍ମୀମାନଙ୍କୁ ଦିଆଯିବ। ସେମାନେ ‌ଲୋକମାନଙ୍କୁ ଟିକାକରଣ କେନ୍ଦ୍ରକୁ ଆଣିବେ। ଲୋକସଂଖ୍ୟାକୁ ଦେଖି ଗାଁରେ ଟିକାକରଣ କେନ୍ଦ୍ର ଖୋଲାଯିବ। ସ୍କୁଲ, ପଞ୍ଚାୟତ ବିଲ୍ଡିଂ, ମହିଳା ସମିତି କିମ୍ବା ଏହିଭଳି ସ୍ଥାନରେ ଟିକାକରଣ କେନ୍ଦ୍ର ଖୋଲାଯାଇ ପାରିବ। ଯାହାଫଳରେ ଦ୍ବିତୀୟ ଡୋଜ୍ ଟିକାକରଣ ବଢ଼ିପାରିବ।

ସେହିପରି ରାଜ୍ୟରେ ଅତିରିକ୍ତ ୧୬ଲକ୍ଷ ହିତାଧିକାରୀ ଟିକାକରଣ ଯୋଜନାରେ ସାମିଲ ହେବାକୁ ନେଇ ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ତାହାର ଜିଲ୍ଲାୱାରୀ ତାଲିକା ଦିଆଯାଇ ନାହିଁ। କେନ୍ଦ୍ରରୁ ଯଦି ଏହାର ତାଲିକା ପ୍ରଦାନ କରାଯାଏ ତାହାଲେ ସେହି ଅନୁଯାୟୀ ହିତାଧିକାରୀ ସାମିଲ ହେବେ। ନଚେତ୍ କେନ୍ଦ୍ର ସରକାର ଯେଉଁ ୨୫ ପ୍ରତିଶତ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିଛନ୍ତି ତାହାକୁ ପ୍ରତ୍ୟେକ ଜିଲ୍ଲାରେ ୨୫ ପ୍ରତିଶତ ହିତାଧିକାରୀଙ୍କ ସଂଖ୍ୟାରେ ଯୋଡ଼ାଯିବ ବୋଲି ଡା.ପାଣିଗ୍ରାହୀ ସୂଚନା ଦେଇଛନ୍ତି। ରାଜ୍ୟରେ ପୂର୍ବରୁ ୧୮ବର୍ଷରୁ ଅଧିକ ୩.୦୯ କୋଟି ହିତାଧିକାରୀ ଟିକା ନେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏବେ ତାହାକୁ ୩.୨୫ କୋଟିକୁ ବୃଦ୍ଧି ପାଇଛି। ରାଜ୍ୟ ସରକାର ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅତିକମ୍‌ରେ ପ୍ରଥମ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି।

ରାଜ୍ୟରେ ସୋମବାର ଦିନ ୧୮୫୮ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୨ଲକ୍ଷ ୮୭ହଜାର ୮୬୨ ଲୋକଙ୍କୁ ଟିକା ଦିଆଯାଇଛି। ଏବେ ସୁଦ୍ଧା ରାଜ୍ୟରେ ଅ‌ଢ଼େଇ କୋଟିରୁ ଅଧିକ ଲୋକ ପ୍ରଥମ ଡୋଜ୍ ନେଇଥିବା ବେଳେ କୋଟିଏ ୭ ଲକ୍ଷରୁ ଅଧିକ ନିଜର ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ସମୁଦାୟ ୩ କୋଟି ୫୯ ଲକ୍ଷ ୧୬ ହଜାର ୬୭୯ ଡୋଜ୍‌ ଟିକା ଦିଆଗଲାଣି। ଗଞ୍ଜାମରେ ସର୍ବାଧିକ ୭୩ ପ୍ରତିଶତ ଲୋକ ଓ ଖୋର୍ଧାରେ ୭୧.୭ ପ୍ରତିଶତ ଲୋକ ଉଭୟ ଡୋଜ୍ ଟିକା ନେଇ ସାରିଲେଣି। ମାତ୍ର ନବରଙ୍ଗପୁରରେ ୨୬ ଓ ଦେବଗଡ଼ରେ ୨୭ ପ୍ରତିଶତ ହିତାଧିକାରୀ ନିଜର ଉଭୟ ଡୋଜ୍ ଟିକା ନେଇଛନ୍ତି। ଯାହାକି ରାଜ୍ୟରେ ସବୁଠାରୁ କମ୍।

ସମ୍ବନ୍ଧିତ ଖବର