ଚନ୍ଦ୍ରଶେଖରଙ୍କ ଘର ମାଟିରେ ମିଶିବ କି? ଗାନ୍ଧୀଜୀଙ୍କ ଦେଢ଼ଦିନ ରହଣି ଐତିହାସିକ ଗୁରୁତ୍ୱ ବହନ କରୁଛି

ସମ୍ବଲପୁର : ସମ୍ବଲପୁରରେ ଗାନ୍ଧୀଜୀ ଅବସ୍ଥାନ କରିଥିବା ଐତିହାସିକ ଘରଟି ଭାଙ୍ଗି ମାଟିରେ ମିଶିଯିବ କି? ଘରଟି ପୁଣି କୌଣସି ସାଧାରଣ ବ୍ୟକ୍ତିଙ୍କର ନୁହେଁ। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସ୍ବତନ୍ତ୍ର ଓଡ଼ିଶାର ଅନ୍ୟତମ ନିର୍ମାତା, ସମ୍ବଲପୁରର ପ୍ରଥମ ଓଡ଼ିଆ ଆଇନଜୀବୀ ତଥା ସମ୍ବଲପୁର ପୌରପାଳିକାର ସର୍ବପ୍ରଥମ ଅଧ୍ୟକ୍ଷ ଚନ୍ଦ୍ରଶେଖର ବେହେରାଙ୍କର। ୧୯୨୮ ମସିହା ଡିସେମ୍ବର ୨୨ ତାରିଖରେ ମହାତ୍ମା ଗାନ୍ଧୀ ପ୍ରଥମଥର ସମ୍ବଲପୁର ଆସିଥିବାବେଳେ କମଲିବଜାରସ୍ଥିତ ଚନ୍ଦ୍ରଶେଖରଙ୍କ ଘରେ ରାତ୍ରିଯାପନ କରିଥିଲେ। ଗାନ୍ଧୀଜୀ ‌ଛେଳି କ୍ଷୀର ପିଉଥିବାରୁ ଚନ୍ଦ୍ରଶେଖର ବହୁ ଖୋଜାଖୋଜି କରି ତାହା ଯୋଗାଡ଼ କରିଥିଲେ। ୨୩ ତାରିଖ ଦିନ ଗାନ୍ଧୀଜୀ ସମ୍ବଲପୁରରୁ ଫେରି ଯାଇଥିଲେ। ହେଲେ ତାଙ୍କର ଦେଢ଼ ଦିନର ରହଣି ଉକ୍ତ ଘରକୁ ଭାରତୀୟ ଇତିହାସରେ ସ୍ଥାନ ଦେଇଥିଲା। ସେଦିନ ରାତିରେ ଗାନ୍ଧୀ ଶୋଇଥିବା ଖଟଟି ଆଜି ବି ଉକ୍ତ ଘରେ ସଂରକ୍ଷିତ ହୋଇ ରହିଛି। ଚନ୍ଦ୍ରଶେଖରଙ୍କ ଅଣନାତି ବିଶ୍ବନାଥ ବେହେରା ଦୁର୍ବଳ ହୋଇ ଯାଇଥିବା ପ୍ରାୟ ୧୦୦ ବର୍ଷ ପୁରୁଣା ଖଟଟିକୁ ସାଇତି ରଖିଛନ୍ତି। ତେବେ ସେହି ଘର ଉପରେ ଏବେ ବୁଲଡୋଜର୍‌ ବୁଲିବା ଆଶଙ୍କା ସୃଷ୍ଟି ହୋଇଛି। ମାଁ ସମଲେଶ୍ବରୀ କ୍ଷେତ୍ରର ବିକାଶ ପାଇଁ ସରକାର ଯେଉଁ ସବୁ ଅଞ୍ଚଳକୁ ଅଧିଗ୍ରହଣ କରିବାକୁ ଯାଉଛନ୍ତି, ତନ୍ମଧ୍ୟରେ ଏହି ଘରଟି ରହିଥିବାରୁ ଏହିଭଳି ଆଶଙ୍କା ପ୍ରକାଶ ପାଇଛି।

ସମଲେଇ ଯୋଜନାରେ ଅଧିଗ୍ରହଣ ହେବ
ଅଧିଗ୍ରହଣ ହେଲେ ବି ତରବରିଆ ଭାବେ ଭଙ୍ଗାଯିବନି: ଜିଲ୍ଲାପାଳ
ଐତିହାସିକ ସ୍ମାରକୀ ଭାବେ ବିକଶିତ କରିବା ପାଇଁ ଦାବି

ମିଳିଥିବା ସୂଚନା ଅନୁସାରେ, ଅଧିଗ୍ରହଣ ଦାୟିତ୍ବରେ ଥିବା ଜିଲ୍ଲା ପ୍ରଶାସନର ସ୍ବତନ୍ତ୍ର ଅଧିକାରୀ ମଧ୍ୟ ଚନ୍ଦ୍ରଶେଖରଙ୍କ ଦାୟାଦଙ୍କୁ ଭେଟି କ୍ଷତିପୂରଣ ରାଶି ଗ୍ରହଣ ନେବାକୁ କହି ସାରିଛନ୍ତି। ଫଳରେ, ଐତିହାସିକ ସମ୍ପର୍କ ଥିବା ଏହି ଘରକୁ ଭାଙ୍ଗିବା ପାଇଁ ପ୍ରଶାସନ ଏକପ୍ରକାର ନିଷ୍ପତ୍ତି ଗ୍ରହଣ କରିଥିବା ଏଥିରୁ ସ୍ପଷ୍ଟ ହୋଇଛି। ତା’ପରେ ବି ପ୍ରଶାସନ କେତେବେଳେ କେଉଁପ୍ରକାରର ନିଷ୍ପତ୍ତି ନେଉଛି, ତାହା ବି ଅନୁମାନ କରିବା କଷ୍ଟ। ପୂର୍ବରୁ ସମ୍ବଲପୁରରେ ଅହମିଆ କବି ଲକ୍ଷ୍ମୀକାନ୍ତ ବେଜବରୁଆ ବହୁବର୍ଷ ଅବସ୍ଥାନ କରିଥିବାରୁ ତାଙ୍କର ଜୀର୍ଣ୍ଣଗୃହର ପୁନରୁଦ୍ଧାର କରାଯାଇଛି। ଏବେ ତାକୁ ଏକ ସ୍ମାରକସ୍ଥଳ ଭାବେ ବିକଶିତ କରାଯାଇଛି। ଅବଶ୍ୟ ଏହି ଗୃହର ଜୀର୍ଣ୍ଣୋଦ୍ଧାର ପଛରେ ଆସାମ ସରକାର ଏବଂ ଆସାମର ତତ୍କାଳୀନ ରାଜ୍ୟପାଳ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। କିନ୍ତୁ, କବି ଡ. ମାୟାଧର ମାନସିଂହ ଅବସ୍ଥାନ କରୁଥିବା ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ପରିସରର ସରକାରୀ କ୍ବାର୍ଟର୍ସ ପ୍ରତି ପ୍ରଶାସନ ଦରଦ ଦେଖାଇନାହିଁ। ଏହି ସରକାରୀ କ୍ବାର୍ଟର୍ସକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ତେଣୁ ମହାତ୍ମା ଗାନ୍ଧୀ ରହିଥିବା ଚନ୍ଦ୍ରଶେଖରଙ୍କ ଘରର ଭବିଷ୍ୟତ କ’ଣ ହେବ, ତାହାକୁ ନେଇ ବୁଦ୍ଧିଜୀବୀ ତଥା ଗାନ୍ଧୀପ୍ରେମୀମାନେ ଚିନ୍ତା ପ୍ରକଟ କରିଛନ୍ତି।

ଏ ସଂପର୍କରେ ଶିକ୍ଷାବିତ୍‌ ଡ. ଶଙ୍କର ପ୍ରସାଦ ପତିଙ୍କ ମତ ହେଲା, ସରକାର ଏହି ଘରକୁ ଏକ ସ୍ମାରକୀ ଭାବେ ବିକଶିତ କରି ସୁରକ୍ଷିତ ରଖନ୍ତୁ। ଫଳରେ ମାଁ ସମଲେଶ୍ବରୀଙ୍କ କରିଡର୍‌ ଭିତରେ ଏହା ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣ ହୋଇପାରିବ। ଏହାକୁ ଏକ ମ୍ୟୁଜିୟମ୍ ବା ଆର୍ଟ ଗ୍ୟାଲେରି ଭାବେ ବିକଶିତ କରାଯାଇ ପାରିବ ବୋଲି ପ୍ର. ପତି କହିଛନ୍ତି। ସେହିପରି ଉକ୍ତ ଘରେ ରହୁଥିବା ଚନ୍ଦ୍ରଶେଖରଙ୍କ ଅଣନାତି ବିଶ୍ବନାଥ ବେହେରାଙ୍କ କହିବା ହେଲା, ଏହି ଘରର ଐତିହାସିକ ମହତ୍ବକୁ ସରକାର ଓ ପ୍ରଶାସନ ବୁଝିବା ଦରକାର। ଏଠାରେ ବାପୁଙ୍କ ସ୍ମୃତି ଆଜି ବି ଉଜ୍ଜୀବିତ ରହିଛି। ତେଣୁ ଏହାର କ’ ଣ କରାଯିବ ଆମେ କହିବା ଠିକ୍ ନୁହେଁ, ସହର ଓ ରାଜ୍ୟବାସୀ ବିଚାର କରନ୍ତୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ, ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ପଚାରିବାରୁ ସେ ଏହି ଗୃହକୁ ଐତିହାସିକ ସ୍ମାରକୀ ଭାବେ ବିକଶିତ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି। ଯେହେତୁ ଏହି ଘର ଗାନ୍ଧୀଜୀ ଓ ଚନ୍ଦ୍ରଶେଖରଙ୍କ ସ୍ମୃତି ବହନ କରୁଛି ତେଣୁ ଏହା ମାଁ ସମଲେଶ୍ବରୀ ପର୍ଯ୍ୟଟନ କରିଡର୍‌ ଭିତରେ ଆଉ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳର ମର୍ଯ୍ୟାଦା ପାଇପାରିବ। ତେବେ ଏହା ଉପରେ ବିଶେଷଜ୍ଞଙ୍କ ଦ୍ବାରା ସର୍ଭେ କରାଯାଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ, ଅଧିଗ୍ରହଣ ‌କରାଗଲେ ବି ତରବରିଆ ଭାବେ ଘର ଭଙ୍ଗାଯିବ ନାହିଁ ବୋଲି ଶ୍ରୀ ପରିଡ଼ା ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର