ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପବଳୟ ପ୍ରଭାବରେ ଉପକୂଳ ଓଡ଼ିଶାରେ ଶନିବାର ଦିନତମାମ ବର୍ଷା ଜାରି ରହିଥିଲା। ଆଜି ମଧ୍ୟ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବ। ପୁରୀ, ଜଗତ୍ସିଂହପୁର, ଗଞ୍ଜାମ, କଟକ, ଖୋର୍ଧା ଓ ନୟାଗଡ଼ ଆଦି ୬ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଦର୍ଶାଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଶନିବାର ଦିନ ଦକ୍ଷିଣ ଆଣ୍ଡାମାନସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆସନ୍ତା ୧୫ତାରିଖ ଭିତରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ ଓ ୧୮ତାରିଖ ସୁଦ୍ଧା ଆନ୍ଧ୍ର ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବ। ପାଗ ମେଘୁଆ ସହ ବର୍ଷାର ସମ୍ଭାବନା ଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହି ମାସର ତୃତୀୟ ଲଘୁଚାପ ଆଜି ସୃଷ୍ଟି ହୋଇଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅବପାତ ଓ ପରବର୍ତୀ ୪୮ଘଣ୍ଟାରେ ଏହା ଗଭୀର ଅବପାତ ହେବାର ସମ୍ଭାବନା ରହିଛି। ସମ୍ଭବତଃ ଏହା ୧୯ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ର ଅତିକ୍ରମ କରିବ। ଆନ୍ଧ୍ର ଉପକୂଳରେ ଅତିପ୍ରବଳ ବର୍ଷା ହେବ। ଏହା ପ୍ରଭାବରେ ରାଜ୍ୟରେ ୧୯ ଓ ୨୦ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସହ ପାଗ ମେଘୁଆ ରହିବ।
/sambad/media/post_attachments/wp-content/uploads/2021/09/rain-m40.jpg)
ଆକଳନ କରାଯାଉଛି ଯେ ଚତୁର୍ଥ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରେ ଏହି ମାସର ଚତୁର୍ଥ ଲଘୁଚାପ ସୃଷ୍ଟି ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ଉପକୂଳ ପହଞ୍ଚିବ। ସମ୍ଭବତଃ ୨୩ ବା ୨୪ ତାରିଖରେ ସୃଷ୍ଟି ହୋଇ ୨୯ ତାରିଖରେ ସ୍ଥଳଭାଗ ଛୁଇଁବ। ରାଜ୍ୟରେ ଏହାର ପ୍ରଭାବ ୨୦ ତାରିଖ ପରେ ସଠିକ୍ କହି ହେବ। ଇଣ୍ଡିଆନ୍ ଓସନ୍ ଡାଇପୋଲ୍, ମଡର୍ଣ୍ଣ ଜୁଲିଅନ୍ ଓସିଲେସନ୍ ଓ ଲା-ନିନା ପ୍ରଭାବରେ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେବା ପାଇଁ ବାତାବରଣ ଅନୁକୂଳ ରହିଛି। ତେବେ ଏହା କେତେ ଘନୀଭୂତ ହେବ, ତା’ ଉପରେ ନଜର ରଖାଯାଇଛି।
ସେପ୍ଟେମ୍ବରରେ ‘ଗୁଲାବ’ ବାତ୍ୟା ପରେ ଅକ୍ଟୋବରରେ କୌଣସି ଅବପାତ ହୋଇନଥିଲା। କିନ୍ତୁ ନଭେମ୍ବରରେ ପ୍ରତି ସପ୍ତାହରେ ଗୋଟିଏ ଲେଖାଏଁ ସିଷ୍ଟମ୍ ସୃଷ୍ଟି ହେବାରେ ଲାଗିଛି। ଲଘୁଚାପ କ୍ଷେତ୍ର ଦେଇ ଟ୍ରଫଲାଇନ୍ ସୃଷ୍ଟି ଓ ଅତିକ୍ରମ ତଥା ରାଜ୍ୟ ଉପରେ ଏହାର ପ୍ରଭାବ ବିଶ୍ବ ଜଳବାୟୁ ପରିବର୍ତ୍ତନର ସଙ୍କେତ ଦେଉଛି। ଟ୍ରଫ୍ ଦ୍ବାରା ବର୍ଷାର ପ୍ରକୋପ ଶନିବାର କମି ଯାଇଛି। ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ପ୍ରାୟତଃ ସମ୍ପୂର୍ଣ୍ଣ ରାଜ୍ୟରେ ଓ ୧୭ରେ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ, କୋହଲା ସହିତ କିଛି କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହୁଛି। ରାତ୍ରିର ତାପମାତ୍ରା ଅଧିକ ରହିଥିବାରୁ ଧାନ ଫସଲ ଅମଳ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ଥିବା ଡ. ପଶୁପାଳକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/rain-Rajadhanire-barsha2.jpg)