ବ୍ରହ୍ମପୁର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ କରିଥିବା ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କ ପରିବାରବର୍ଗ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। କାହିଁକି ଓ କିଭଳି ପରିସ୍ଥିତିରେ ସେ ଏଭଳି କାଣ୍ଡ ଘଟାଇଲେ, ସେଥିନେଇ ପରିବାରବର୍ଗ କିଛି ଜାଣିପାରୁ ନାହାନ୍ତି। ତେବେ, ତଦନ୍ତରେ ସମ୍ପୂର୍ଣ୍ଣ ଭାବେ କ୍ରାଇମବ୍ରାଞ୍ଚକୁ ସହଯୋଗ କରିବେ ବୋଲି ଅଭିଯୁକ୍ତ ଗୋପାଳଙ୍କ ପତ୍ନୀ ଜୟନ୍ତୀ କହିଛନ୍ତି।

Advertisment

ଏଏସ୍‌ଆଇ ଗୋପାଳଙ୍କ ପତ୍ନୀ, ପୁଅ ଓ ଝିଅ ବ୍ରହ୍ମପୁର ଶିଳ୍ପାଞ୍ଚଳ ପଞ୍ଚଶୀଳମାର୍ଗରେ ରହୁଥିଲେ। ଘଟଣାପରେ ସେମାନେ ତାଙ୍କ ଶ୍ବଶୁର ଘର ଜଳେଶ୍ବରଖଣ୍ଡିକୁ ଚାଲି ଯାଇଛନ୍ତି। ସେଠାରେ ତାଙ୍କର ଅନ୍ୟ ପରିବାର ସଦସ୍ୟ ଅଛନ୍ତି। ଘଟଣା ପରେ ଗୋପାଳଙ୍କ ପରିବାର ଲୋକେ କେଉଁଆଡ଼େ ଚାଲି ଯାଇଥିବା ନେଇ ପ୍ରଚାର ହୋଇଥିଲା। ‌ତେବେ, ଏହିଭଳି ପ୍ରଚାରକୁ ଖଣ୍ଡନ କରିଛନ୍ତି ଜୟନ୍ତୀ। ସେ କହିଛନ୍ତି, ମୁଁ ମୋର ସ୍ବାମୀଙ୍କ ପୈତୃକ ଘରକୁ ଆସିଛି। ପରିବାରର ସମସ୍ତ ସଦସ୍ୟ ଏହି ଘଟଣାକୁ ନେଇ ସ୍ତବ୍ଧ। ‌କିଭଳି ଏତେ ବଡ଼ ଘଟଣା ଘଟିଲା କିଛି ଜଣାପଡ଼ୁ ନାହିଁ। ଯଦି ଏହି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ତଦନ୍ତ କରିବାକୁ ବ୍ରହ୍ମପୁର ଆସିବେ, ତେବେ ମୁଁ ନିଶ୍ଚିତ ଭାବେ ସହଯୋଗ କରିବି ବୋଲି ଜୟନ୍ତୀ କହିଛନ୍ତି।