ଭୁବନେଶ୍ବର: ଓଡ଼ିଶାର ଜଳବାୟୁ ଆଳୁ କିସମର ବିକାଶ ପାଇଁ ଅନୁକୂଳ ନୁହେଁ। ତେଣୁ ଓଡ଼ିଶା ତାହାର ଆବଶ୍ୟକତା ମେଣ୍ଟାଇବାକୁ ସବୁବେଳେ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରୁଛି। ଏଭଳି ସମୟରେ ରାଜ୍ୟ ନିଜେ କିପରି ଆଳୁର ନୂଆ ନୂଆ କିସମ ବାହାର କରିବ, ସେ ନେଇ ସରକାର ଅଧିକ ତତ୍ପରତା ପ୍ରକାଶ କରିବା କଥା। ମାତ୍ର ତାହା ବଦଳରେ ଗବେଷଣା କରୁଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର ପକ୍ଷଛେଦନ କରାଯାଉଛି। ଯେଉଁ ଜମିରୁ ଦିନେ ନୂଆ କିସମ ଆଳୁ ବାହାରୁଥିଲା ଏବେ ଆଉ ତାହା ନାହିଁ। ଆଳୁ ଗବେଷଣା ଜମିକୁ ରାଜ୍ୟ ସରକାର ନେଇଯିବା ପରେ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଧାନ ଜମିରେ ଆଳୁ ଗବେଷଣା କରୁଛନ୍ତି। କେବଳ ସେତିକି ନୁହେଁ, ସାଢ଼େ ୪ ଏକର ଜମିରେ ହେଉଥିବା ଆଳୁ ଗବେଷଣା ଏବେ ଅଢ଼େଇ ଏକରରେ ସୀମିତ ରହିଛି। ଯାହାର ପ୍ରଭାବ ସିଧାସଳଖ ଆଳୁ ଗବେଷଣା ଉପରେ ପଡ଼ିଛି।
ଆଳୁ ଗବେଷଣା ହେଉଥିବା ଓୟୁଏଟି ଜମିକୁ ୨୦୨୨ରେ ରାଜ୍ୟ ସରକାର ବରମୁଣ୍ଡା ବସ୍ଷ୍ଟାଣ୍ଡ ଓ ବିଭିନ୍ନ ପ୍ରକଳ୍ପ କରିବାକୁ ନେଇଥିଲେ। ଫଳରେ ଯେଉଁ ଜମିରୁ ଦିନେ ଉନ୍ନତ କିସମର ଆଳୁ ବାହାରୁଥିଲା ସେଠାରେ ସବୁଦିନ ପାଇଁ ତାଲା ପଡ଼ିଲା। ଆଳୁ ଗବେଷଣା ପ୍ରଭାବିତ ହେଲା ନାହିଁ ସତ, ହେଲେ ଗବେଷଣା ଜମି କମିଗଲା। କର୍ତ୍ତୃପକ୍ଷ ଏହାର ବିକଳ୍ପ ଭାବେ ଓୟୁଏଟି ଅଧୀନସ୍ଥ ଆଞ୍ଚଳିକ ଗବେଷଣା କେନ୍ଦ୍ରର ଅଢ଼େଇ ଏକର ଧାନ ଜମିରେ ଆଳୁ ଗବେଷଣା ପାଇଁ ଆବଶ୍ୟକ ଭିତ୍ତିଭୂତ୍ତି ସୃଷ୍ଟି କରିଛନ୍ତି। ଏହି ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଗୋଦାମଘର ଓ ସୁଲଭ ଜଳସେଚନ ପାଇଁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ତେବେ ପୂର୍ବରୁ ଯେଉଁଭଳି ଭାବେ ଆଳୁ ଗବେଷଣା ହେଉଥିଲା ତାହା ଏବେ ହ୍ରାସ ପାଇଛି। ଗୋଟିଏ ପଟେ ରାଜ୍ୟରେ ଆଳୁ ସଙ୍କଟ ସୃଷ୍ଟି ହେଉଥିବା ବେଳେ ଅନ୍ୟପଟେ ଏଠାରୁ ଆଗଭଳି ଅଧିକ ଅମଳକ୍ଷମ କିସମ ବାହାରିବାକୁ ସମୟ ଲାଗୁଛି।
ଧାନ ଜମିରେ ହେଉଛି ଆଳୁ ଗବେଷଣା
ମାତ୍ର ଅଢ଼େଇ ଏକରରେ ହେଉଛି ଚାଷ
ଅନୁମୋଦନ ଅପେକ୍ଷାରେ ‘ଫୁଲବାଣୀ ଆଳୁ’
ଜଣେ ବରିଷ୍ଠ ପ୍ରଫେସରଙ୍କ କହିବାନୁଯାୟୀ, ଆଳୁ ଗବେଷଣା ପାଇଁ ଯେତିକି ଜମି ଆବଶ୍ୟକ ତାହା ନାହିଁ। ସାଢ଼େ ୪ ଏକର ଜମି ଏବେ ସାଢ଼େ ଦୁଇ ଏକରରେ ପହଞ୍ଚିଛି। ଯେଉଁ ଜମିରେ ଧାନ ହେଉଥିଲା ସେଠାରେ ଆଳୁ ଗବେଷଣା ହେଉଛି। ତାହା ଉପଯୁକ୍ତ ନ ଥିଲେ ମଧ୍ୟ ଜମି ଅଭାବ ବର୍ତ୍ତମାନ ବିଶ୍ବବିଦ୍ୟାଳୟ ଗବେଷଣା ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ପୂର୍ବରୁ ସ୍ବତନ୍ତ୍ର ଗୁଣ ଥିବା ଅନେକ କିସମ ଏଠାରୁ ବାହାରିଛି। ଧଳା ଚୋପା ଥିବା ହାଇବ୍ରିଡ୍ କିସମ ଯଥା କୁଫ୍ରି ଗଙ୍ଗା, କୁଫ୍ରି ଖ୍ୟାତି, କୁଫ୍ରି ପୋଖରାଜ, କୁଫ୍ରି ଅଶୋକ, କୁଫ୍ରି ମୋହନ, କୁଫ୍ରି ପୁଷ୍କର, ଆଳୁ ଚିପ୍ସ ଭଳି ବିଭିନ୍ନ ଚିପ୍ସ ପ୍ରସ୍ତୁତ ଉପଯୋଗୀ ହାଇବ୍ରିଡ୍ କିସମ ଯଥା କୁଫ୍ରି ଚିପ୍ସୋନା-୧, କୁଫ୍ରି ଚିପ୍ସୋନା-୨, କୁଫ୍ରି ସୂର୍ଯ୍ୟ, କୁଫ୍ରି ଫାୟସୋନା କିସମ ବାହାରିଥିଲା। ଆନ୍ଥୋସିଆନିନ୍ ଓ ଅନ୍ୟାନ୍ୟ କଣିକା ଥିବା ରଙ୍ଗୀନ ଚୋପା ଆଳୁ ଭିତରେ କୁଫ୍ରି ନୀଳକଣ୍ଠ, କୁଫ୍ରି ଲଳିତ, କୁଫ୍ରି ଉଦୟ, କୁଫ୍ରି ଲଲିମା, କୁଫ୍ରି ଲୋହିତ୍ ଏବଂ କମ୍ ପାଣିରେ ପ୍ରସ୍ତୁତ ଆଳୁ ବା ଜଳକ୍ଲିଷ୍ଟ ସହଣି କିସମ ଯଥା କୁଫ୍ରି ଥର୍-୧, କୁଫ୍ରି ଥର୍-୩, କୁଫ୍ରି ଦକ୍ଷ ଭଳି ଆଳୁ କିସମ ଏଠାରୁ ବାହାରି ଓଡ଼ିଶା ଚାଷୀଙ୍କ ଦ୍ବାରା ଆଦୃ୍ତ ହୋଇଛି।
ଓୟୁଏଟିର ଜଣେ ଅଧିକାରୀଙ୍କ କହିବା କଥା ସିମ୍ଲାସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା କେନ୍ଦ୍ର ସହ ସମନ୍ବିତ କାର୍ଯ୍ୟକ୍ରମ ଜରିଆରେ ଆଳୁ କିସମର ବିକାଶ କରାଯାଇଛି। ଏବର୍ଷ ବିଶ୍ବବିଦ୍ୟାଳୟ ପକ୍ଷରୁ ‘ଫୁଲବାଣୀ ଆଳୁ’ ନାମରେ ଏକ ଉନ୍ନତ କିସମ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦସ୍ତାବିଜ୍ ଦାଖଲ ହୋଇଛି। ଏହାବ୍ୟତୀତ ଆଳୁ ଫସଲର ଖାଦ୍ୟସାର ଓ ରୋଗ ପୋକ ପରିଚାଳନା ସହ ଅନ୍ୟାନ୍ୟ ଉତ୍ପାଦନ କୌଶଳର ବିକାଶ କରାଯାଇ ବିଭିନ୍ନ ସମ୍ପ୍ରସାରଣ କାର୍ଯ୍ୟକ୍ରମ ଜରିଆରେ କୃଷକମାନଙ୍କ ମଧ୍ୟରେ ଆଦୃତ ହେଉଛି। ଗବେଷଣାକୁ ଅଧିକ ତ୍ବରାନ୍ବିତ କରିବାକୁ ଓୟୁଏଟି ଓ ଅନ୍ତଃରାଷ୍ଟ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ମିଳିତ ଭାବେ କୋରାପୁଟ, ଭୁବନେଶ୍ବରରେ ଏରୋପୋନିକ୍ସ, ଟିସୁ କଲ୍ଚର ଜରିଆରେ ଆଳୁଚାରା ଗବେଷଣା କରୁଥିବା ସେ ସୂଚନା ଦେଇଛନ୍ତି।