ଚଳିତ ସାଧାରଣ ନିର୍ବାଚନରେ ମୟୂରଭଂଜ ଲୋକସଭା କ୍ଷେତ୍ର ଅଧିନ ରାଇରଂଗପୁର ବିଧାନସଭା ଆସନରେ ବିଜେଡି ଟିକେଟ୍ରେ ରାଇସେନ୍ ମୁର୍ମୁ ପ୍ରାର୍ଥୀ ହୋଇଛନ୍ତି। ରାଜନୀତିରେ ପ୍ରଥମ ଥର ପାଦ ରଖି ସେ ରାଇରଂଗପୁରର ବିକାଶ ପାଇଁ ଅନେକ ସ୍ବପ୍ନ ଦେଖିଛନ୍ତି। ତାଙ୍କୁ ଭେଟିଛନ୍ତି ‘ସମ୍ବାଦ’ର ରାଇରଂଗପୁର ପ୍ରତିନିଧି ତୁଷାରକାନ୍ତ ମହାନ୍ତ।
୧. ପୁଲିସ ଚାକିରି ଛାଡି ରାଜନୀତି ପ୍ରତି କାହିଁକି ମନ ବଳଇଲେ ?
ଉ: ବହୁ ବର୍ଷଧରି ମୁଁ ସରକାରଙ୍କ ପୁଲିସ ବିଭାଗରେ କାମ କଲି ପରବର୍ତ୍ତୀ। ସମୟରେ ମୁଁ ପଦୋନ୍ନତି ପାଇ ଡିିଏସପି ହେଲି। କିନ୍ତୁ ଲୋକଙ୍କ ପ୍ରତି ସେବା କରିବାର ଦୂର୍ବଳତା ମୋର ଛୋଟ ବେଳରୁ ଥିଲା। ସେଥିପାଇଁ ମୁଁ ସେବା ମନୋବୃତ୍ତି ନେଇ ରାଜନୀତିରେ ଯୋଗଦେଲି। ଲୋକଙ୍କ ସେବା କରିବାକୁ ଚାହୁଁଛି।
୨. ବିଜେପି ଓ କଂଗ୍ରେସ ଭଳି ଜାତୀୟ ଦଳ ବଦଳରେ ନିର୍ବାଚନ ଲଢ଼ିବା ପାଇଁ ଆଂଚଳିକ ଦଳ ବିଜେଡିକୁ ବାଛିବା ପଛର କାରଣ ?
ଉ: ଯଦିଓ ଏହା ମୋର ରାଜନିତୀରେ ପ୍ରଥମ। କିନ୍ତୁ ରାଜନିତୀକୁ ଦୂରରୁ ରହି ଲକ୍ଷ୍ୟ କରୁଥିଲି ଏବଂ ଜନସାଧାରଣଙ୍କ ପ୍ରତି ଯେଉଁ ସେବା ମନୋଭାବ ଅଛି ଓ ନବୀନ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ମୁଁ ଲକ୍ଷ୍ୟ କରୁଥିଲି। ନବୀନ ସରକାରଙ୍କ ସମୟରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ରଖି ସମସ୍ତଙ୍କ ଜରୁରୀ ସେବା ଯୋଗାଇଛନ୍ତି । ସେହି ସେବା ଦେଖି ମୁଁ ନବୀନ ସରକାରଙ୍କ ପ୍ରତି ଆକୃଷ୍ଟ ହୋଇ ବିଜେଡି ଭଳି ଅଗ୍ରଣୀ ଆଂଚଳିକ ଦଳରେ ଯୋଗଦେଲି। କାହିଁକି ନା ଆଗାମୀ ଦିନରେ ନବୀନ ସରକାରଙ୍କ ପାଖରେ ରହି ଲୋକଙ୍କ ସେବା କରି ପାରିବି ।
୩. ବିରୋଧୀଙ୍କ ଅଭିଯୋଗ; ୨୫ ବର୍ଷର ଶାସନକାଳ ଭିତରେ ରାଇରଙ୍ଗପୁରର ଯେମିତି ବିକାଶ ହେବା କଥା ହୋଇନି। ଆପଣଙ୍କ ପ୍ରତିକ୍ରିୟା କ’ଣ?
ଉ: ୨୫ ବର୍ଷ ଶାସନ ଭିତରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଯେମିତି ବିକାଶ ହେବା କଥା ସେମିତି ବିକାଶ ହୋଇନି ଏକତା ସତ। କାହିଁକି ନା ଏସବୁ ଜିନିଷ ବିକାଶ ପଛରେ ଥାଏ ଇଚ୍ଛା ଶକ୍ତି। ବିକାଶ ପାଇଁ ବିକାଶ କ୍ଷେତ୍ରରେ ଇଚ୍ଛା ଶକ୍ତି ଜରୁରୀ। ଆପଣଙ୍କ ପାଖରେ ସବୁ ଜିନିଷ ଥିବ କିନ୍ତୁ ଇଚ୍ଛା ଶକ୍ତି ନଥିଲେ କୌଣସି ଜିନିଷ ସମ୍ଭବପର ନାହିଁ। ତେଣୁ ସେଭଳି ଇଚ୍ଛା ଶକ୍ତି ନେଇ ମୁଁ ଲୋକଙ୍କ ପାଖୁ ଆସିଛି ଏବଂ ରାଇରଙ୍ଗପୁର ଏକ ପୌରପରିଷଦର ୧୫ ଟି ୱାର୍ଡର କିଭଳି ଆହୁରି ଉନ୍ନତି ହେବ ଏନେଇ ମୁଁ ଆଗକୁ ଆସିଛି।
୪. ରାଇରଙ୍ଗପୁରବାସୀ ଆପଣଙ୍କୁ କାହିଁକି ଭୋଟ୍ ଦେବେ ?
ଉ: ରାଇରଙ୍ଗପୁର ମାଟିରେ ମୋର ଜନ୍ମ। ଆଦିବାସୀ ପରିବାରରେ ମୋର ଜନ୍ମ ଏବଂ ଆଦିବାସୀ ଲୋକଙ୍କ ସହିତ ମୁଁ ଅଧିକ ସମୟ ଅତିବାହିତ କରିଛି। ତାଙ୍କ ସହିତ ମୋର ବହୁତ ଦିନର ସମ୍ପର୍କ। ଏଣୁ ମୁଁ ଯଦି ମୁଁ ବିଧାୟକ ହୁଏ, ତାହେଲେ ମୁଁ ମୋ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସେବା କରିବାର ସୁଯୋଗ ପାଇ ଗର୍ବିତ ଅନୁଭବ କରିବି ଏବଂ ଅଂଚଳରେ ବହୁ ଲୋକ ପଛୁଆ ହୋଇ ରହିଛନ୍ତି ତାଙ୍କୁ କିପରି ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିବ ଏବଂ ତାଙ୍କୁ ମୁଁ କେମିତି ଆଗକୁ ଆଣି ପାରିବି ସେ ନେଇ ଚିନ୍ତା କରିବି ।
୫. ନିର୍ବାଚନ ଜିତିଲେ ଆପଣ କେଉଁକେଉଁ ପ୍ରମୁଖ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବେ ?
ଉ: ପ୍ରଥମେ ମୁଁ ଅଂଚଳର ଛାତ୍ରଛାତ୍ରୀମାନଙ୍କର ଶିକ୍ଷାରେ ଉନ୍ନତି ଆଣିବାକୁ ଉଦ୍ୟମ କରିବି। କାହିଁକି ନା ବହୁ ଜନସାଧାରଣ ଗରିବ ଶ୍ରେଣୀର ହୋଇଥିବାରୁ ସେମାନେ ଉଚ୍ଚ ଶିକ୍ଷାରୁ ବଂଚିତ ହେଉଛନ୍ତି। ଶିକ୍ଷାର ବିକାଶ ହେଲେ ସେମାନେ ସବୁ କ୍ଷେତ୍ର ଆଗକୁ ବଢି ପାରିବେ ଏବଂ ଉଚ୍ଚ ପଦବିରେ ନିଯୁକ୍ତି ପାଇପାରିବେ ।
୬. ପ୍ରତିଦ୍ୱନ୍ଦ୍ବୀ ଓ ଭୋଟରଙ୍କୁ ଆପଣ କଣ ଆହ୍ୱାନ ଦେବେ ?
ଉ: ଅନ୍ୟ କାହାକୁ ମୁଁ ପ୍ରତିଦ୍ବନ୍ଦ୍ବୀ ଭାବେ ଭାବି ନାହିଁ । ମୁଁ ଲୋକଙ୍କ ସେବା କରିବା ପାଇଁ ରାଜନିତୀକୁ ଆପଣେଇ ନେଇଛି। ଲୋକଙ୍କ ସାମୁହିକ କାଯ୍ୟରେ ମୁଁ ସାମିଲ ହେବି ଏବଂ ତାଙ୍କର କେମିତି ବିକାଶ ଏନେଇ ମୁଁ ରାଜନିତୀକୁ ଆସିଛି। ତେବେ ବିଗତ ଦିନରେ ଭାରତୀୟ ଜନତା ପାର୍ଟିର ବିଧାୟକ ଥିଲେ ଏବଂ ସେ ସମୟରେ କେତେ ବିକାଶ ହୋଇଛି ତାହା ଜନସାଦାରଣ ଆକଳନ କରିବେ ?
୭. ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ଆପଣ କଣ ନିର୍ଦ୍ଧିଷ୍ଟ ଯୋଜନା କରିଛନ୍ତି ?
ଉ: ରାଇରଙ୍ଗପୁରରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦେବି। ଯେପରି କୌଣସି ବ୍ୟକ୍ତି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରୁ ବଂଚିତ ନ ହୁଅନ୍ତି ସେଦିଗରେ କାମ କରିବି।
୮. ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଆପଣ ବିଜୟ ନେଇ କେତେ ଆଶାବାଦୀ ?
ଉ: ଏହି କିଛି ମାସ ଭିତରେ ମୁଁ ପ୍ରାୟ ସମସ୍ତ ଶ୍ରେଣୀର ଜନସାଧାରଣଙ୍କ ସହିତ ମିଶିଛି। ତାଙ୍କ ଦୁଃଖସୁଃଖରେ ସାମିଲ ହୋଇଛି। ଏଣୁ ମୁଁ ତାଙ୍କ ଭଲ ପାଇବା ଦେଖିଛି। ତାଙ୍କ ଆଶୀର୍ବାଦ ରହିଛି। ଏଣୁ ମୁଁ ବିଜୟ ହେବି ବୋଲି ଆଶାବାଦୀ।
୯. ଆପଣଙ୍କ ଅବଶୋଷ କିଛି ଅଛି କି ?
ଉ: ମୋର ଅବଶୋଷ ଥିଲା ମୁଁ ଚାକିରି କରୁଥିବା ସମୟରେ ନିର୍ଦ୍ଧିଷ୍ଟ ଲୋକଙ୍କ ସେବା କରି ପାରୁଥିଲି। ଯଦି ମୁଁ ବିଧାୟକ ହୁଏ ତାହେଲେ ମୁଁ ସମସ୍ତ ବର୍ଗର ଜନସାଧାରଣଙ୍କୁ ସେବା କରିବାର ସୁଯୋଗ ପାଇବି ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp