ଅନୁଗୁଳ ଜିଲ୍ଲାରେ ଖୋଲିବ କି ଶିକ୍ଷାର ଦ୍ୱାର?

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପାଇଁ ବାଟ ଫିଟିଲା

ଅନୁଗୁଳ : ୨୦୨୦ ନଭେମ୍ବରରେ ଧର୍ମେନ୍ଦ୍ର ତତ୍କାଳୀନ ଶିକ୍ଷା ମନ୍ତ୍ରୀ ଡା. ରମେଶ ପୋଖରିଆଲ ନିଶାଙ୍କଙ୍କୁ ଚିଠି ଲେଖି ଓଡ଼ିଶାରେ ଆଉ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ ଦାବି କରିଥିଲେ। ପଡୋଶୀ ବିହାରରେ ୪ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ରହିଥିଲାବେଳେ ଆନ୍ଧ୍ରରେ ୩ଟି ରହିଛି। ଓଡ଼ିଶାରେ କେବଳ କୋରାପୁଟରେ ଏହି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଖୋଲା ଯାଇଛି। ତେଣୁ ରାଜ୍ୟକୁ ଆଉ ଗୋଟିଏ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଦେବା ପାଇଁ ସେ ଅନୁରୋଧ କରିଥିଲେ। ଶିଳ୍ପ ଓ ଶିକ୍ଷାବିତଙ୍କ ମଧ୍ୟରେ ସମନ୍ବୟ ବଢାଇବା ସହ ଅତ୍ୟାଧୁନିକ ଗବେଷଣାକୁ ପ୍ରୋତ୍ସାହନ ଦେବା ପାଇଁ ନୂତନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପୂର୍ବ ଓଡ଼ିଶାରେ ଖୋଲିବା ପାଇଁ ଧର୍ମେନ୍ଦ୍ର ଯୁକ୍ତି କରିଥିଲେ। ତାଙ୍କର ଏହି ଯୁକ୍ତି ଅନୁସାରେ ଅନୁଗୁଳ ଉପଯୁକ୍ତ ସ୍ଥାନ ବୋଲି ବିବେଚନା କରାଯାଉଛି। ଏଠାରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କରାଗଲେ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଦେବଗଡ, ବଉଦ, ସମ୍ବଲପୁର, କଟକ ଓ ଭୁବନେଶ୍ବରର ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ। ଏହା ପୂର୍ବ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ଭିତରେ ସମନ୍ବୟର ସେତୁ ହୋଇପାରିବ। ଦକ୍ଷିଣ ଓଡ଼ିଶାରେ ଗୋଟିଏ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ରହିଥିଲାବେଳେ ପୂର୍ବ ଓ ପଶ୍ଚିମ ଓଡ଼ିଶାକୁ ଯୋଡ଼ୁଥିବା ଅନୁଗୁଳରେ ଆଉ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେଲେ ରାଜ୍ୟବାସୀଙ୍କୁ ଫାଇଦା ହେବ। ଅନୁଗୁଳରେ ଶିକ୍ଷା ଭିତ୍ତିଭୂମି ବଢିବା ସହ ଏଠାକାର ଛାତ୍ରଛାତ୍ରୀ ମଧ୍ୟ ଉପକୃତ ହେବେ।

କେନ୍ଦ୍ରୀୟ ବିଦ୍ୟାଳୟ ନେଇ ଆଶା ବଢିଲା
ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଅନେକ ଗୁଡିଏ କେନ୍ଦ୍ରୀୟ ଅନୁଷ୍ଠାନ ଥିବାରୁ ଏଠାରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ସଂଖ୍ୟା ଅଧିକ। କିନ୍ତୁ ଏହି କର୍ମଚାରୀଙ୍କ ପିଲାମାନେ ପଢିବା ପାଇଁ ଆବଶ୍ୟକତା ଅନୁସାରେ କେନ୍ଦ୍ରୀୟ ବିଦ୍ୟାଳୟ ନାହିଁ। ଏବେ କେବଳ ଅନୁଗୁଳ ଓ କଣିହାଁରେ କେନ୍ଦ୍ରୀୟ ବିଦ୍ୟାଳୟ ରହିଛି। ଅନ୍ୟ କୌଣସି ସହର କିମ୍ବା ବ୍ଳକରେ ଏହି କେନ୍ଦ୍ରୀୟ ବିଦ୍ୟାଳୟ ନ ଥିବାରୁ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା। ବିଶେଷକରି ତାଳଚେର ସହରରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଲାଗି ଜୋରଦାର୍‌ ଦାବି ହେଉଛି। ଏହା ସହିତ ପାଳଲହଡା, ଛେଣ୍ଡିପଦା ଓ ଆଠମଲ୍ଲିକ ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବା ନେଇ ଆଶା ବଢିଛି। ସେହିପରି ଢେଙ୍କାନାଳ ଜିଲ୍ଲାରେ ଆବଶ୍ୟକତା ଅନୁସାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ଦିଗରେ ଧର୍ମେନ୍ଦ୍ର ପଦକ୍ଷେପ ନେଇ ପାରନ୍ତି।

ଆଇଆଇଆଇଟି ଆଶା
ଅନୁଗୁଳ : ଓଡ଼ିଶାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫର୍ମେସନ ଟେକ୍ନୋଲୋଜି(ଆଇଆଇଆଇଟି) ଏ ପର୍ଯ୍ୟନ୍ତ ସ୍ଥାପନ ହୋଇନି। ଦେଶର ବିଭିନ୍ନ ଭାଗରେ ଏହି ସମ୍ମାନଜନକ ଶିକ୍ଷାନୁଷ୍ଠାନ ଥିଲାବେଳେ ଓଡ଼ିଶାରେ ରାଜ୍ୟ ସରକାରଙ୍କ ଦ୍ବାରା ଇଣ୍ଟରନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫର୍ମେସନ ଟେକ୍ନୋଲୋଜି ପରିଚାଳିତ ହେଉଛି। ଏବେ କେନ୍ଦ୍ର ସରକାର ଓଡ଼ିଶାର ଏହି ଶିକ୍ଷାନୁଷ୍ଠାନକୁ ନିଜ ଅଧୀନକୁ ନେବାର ସମ୍ଭାବନା ରହିଛି। କିମ୍ବା ରାଜ୍ୟରେ ନୂଆ ଏକ ଆଇଆଇଆଇଟି ସ୍ଥାପନ କରିପାରନ୍ତି। ଏହି ବୈଷୟିକ ଶିକ୍ଷାନୁଷ୍ଠାନ ପାଇଁ ଅନୁଗୁଳ ଜିଲ୍ଲା ଏକ ଉପଯୁକ୍ତ ସ୍ଥାନ ବୋଲି ବିବେଚନା କରାଯାଉଛି। ରାଜ୍ୟ ରାଜଧାନୀରୁ ବେଶି ଦୂରରେ ନ ଥିବା ଏହି ଶିକ୍ଷାନୁଷ୍ଠାନ ହେଲେ ଛାତ୍ରଛାତ୍ରୀଙ୍କୁ ଅନେକ ସୁବିଧା ମିଳିପାରିବ। ଆଇଆଇଟି, ଆଇଆଇଏମ୍, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ନାଇଜର, ଆଇଜର ପରି ଶିକ୍ଷାନୁଷ୍ଠାନ ପାଇବାରୁ ବଞ୍ଚିତ ହୋଇଥିବା ଅନୁଗୁଳକୁ ଏହି ଆଇଆଇଆଇଟି ଉପହାର ଦେବାର ସମ୍ଭାବନା ସୃଷ୍ଟି ହୋଇଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ପରି ପ୍ରତିଷ୍ଠାନ ମଧ୍ୟ ଏଠାରେ ଖୋଲାଯାଇପାରେ। ଆଇଆଇଟି, ଆଇଜର, ନାଇଜର ପରି ଅନୁଷ୍ଠାନଗୁଡିକର ରୁରାଲ କିମ୍ବା ସାଟେଲାଇଟ କ୍ୟାମ୍ପସ କରାଗଲେ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ ଜ୍ଞାନ ଆହରଣ କରିବାରେ ସୁବିଧା ହେବ। ବାଙ୍ଗାଲୋରରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଢାଞ୍ଚାରେ ଏକ ବିଶ୍ବବିଦ୍ୟାଳୟ ମଧ୍ୟ କରାଯାଇପାରିବ ବୋଲି ଆଶା ରଖିଛନ୍ତି।

ଆଶାରେ ଢେଙ୍କାନାଳ ଜିଲ୍ଲାବାସୀ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାକୁ ଆକାଂକ୍ଷା ଜିଲ୍ଲା ଭାବେ ଘୋଷଣା କରାଯାଇଥିବା ବେଳେ ଏଠାରେ ଶିକ୍ଷା ବ୍ୟବସ୍ଥା ଅନୁନ୍ନତ ଅବସ୍ଥାରେ ରହିଛି। ଜିଲ୍ଲାର ଲୋକସଂଖ୍ୟା ଅନୁପାତରେ ଉନ୍ନତମାନର ଶିକ୍ଷାନୁଷ୍ଠାନ ନାହିଁ। ଉଚ୍ଚଶିକ୍ଷା ପାଇଁ ଜିଲ୍ଲାରେ ଆବଶ୍ୟକ ଭିତ୍ତିଭୂମି ରହିଛି ସତ, ହେଲେ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ କିମ୍ବା ଅତ୍ୟାଧୁନିକ ବୈଷୟିକ ଶିକ୍ଷାନୁଷ୍ଠାନ ନାହିଁ। ସାମ୍ବାଦିକତା ଓ ଗଣମାଧ୍ୟମ ପାଠ୍ୟକ୍ରମ ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପରିଚାଳିତ ଆଇଆଇଏମସି ରହିଥିଲେ ହେଁ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ପରିଚାଳିତ ଶିକ୍ଷାନୁଷ୍ଠାନ ଭାବେ ଜିଲ୍ଲାରେ ଏକମାତ୍ର କେନ୍ଦ୍ରୀୟ ବିଦ୍ୟାଳୟ ରହିଛି। ୮ଟି ବ୍ଳକକୁ ନେଇ ଏହି ଜିଲ୍ଳାରେ ଆହୁରି ଗୋଟିଏ କିମ୍ବା ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇପାରିବ। ସମଗ୍ର ଜିଲ୍ଲାରେ ସେପରି କୌଣସି ବଡ଼ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ନାହିଁ। ଛାତ୍ରଛାତ୍ରୀମାନେ ବାହାରକୁ ଯାଇ ଉଚ୍ଚଶିକ୍ଷା ଗ୍ରହଣ କରିବା ସୁବିଧା ହେଉନଥିବାରୁ ହାଇସ୍କୁଲ୍ ପାସ୍‌ ପରେ ଅଧାରୁ ପାଠଛାଡି ବିକଳ୍ପ ଧନ୍ଦାରେ ମନନିବେଶ କରୁଛନ୍ତି। ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରୁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ଶିକ୍ଷା ଓ ଦକ୍ଷତାବିକାଶ ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଜିଲ୍ଲାବାସୀଙ୍କର ଆଶା ସଞ୍ଚାର ହୋଇଛି। ଛାତ୍ରଛାତ୍ରୀଙ୍କର ଆବଶ୍ୟକତା ଅନୁଯାୟୀ, ଶିକ୍ଷାଦାନର ସୁଯୋଗ ଦେବାପାଇଁ କେନ୍ଦ୍ର ସରକାରଙ୍କ ଶିକ୍ଷା ମଡେଲ୍ ଓ ଯୋଜନାଗୁଡିକୁ ଜିଲ୍ଲାରେ ବିକାଶ କରାଇବା ସହିତ ବିଦ୍ୟାର୍ଥୀଙ୍କ ପାଇଁ ନୂତନ ମାର୍ଗ ପ୍ରସ୍ତୁତ ଦିଗରେ ଶ୍ରୀ ପ୍ରଧାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ବୋଲି ଜନସାଧାରଣ ଆଶା ବାନ୍ଧିଛନ୍ତି।

ସମ୍ବନ୍ଧିତ ଖବର