ଚାଷୀଙ୍କୁ ଠିକ୍ ସମୟରେ ୟୁରିଆ ମିଳିବ ତ?

ସାର ଉପଲବ୍ଧତା ନେଇ ନିଶ୍ଚିତ କରିବ କିଏ, ମନ୍ତ୍ରୀଙ୍କ ଚିଠି, ବୟାନବାଜି ପରେ ସମସ୍ତେ ନିରବ

ଭୁବନେଶ୍ବର : ଗତ ଖରିଫ ଋତୁରେ ରାଜ୍ୟର ବହୁ ସ୍ଥାନରେ ଚାଷୀଙ୍କୁ ୟୁରିଆ ସାର ଆବଶ୍ୟକତା ମୁତାବକ ମିଳିପାରି ନ ଥିଲା। ସାର ପାଇଁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ସାର ଅଭାବର ସୁଯୋଗ ନେଇ କଳାବଜାରୀ ବି ହୋଇଥିଲା। ବିଶେଷ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରୁ ଏମିତି ଗଦା ଗଦା ଅଭିଯୋଗ ଆସିଥିଲା। କିନ୍ତୁ ଏହି ତିକ୍ତ ଅନୁଭୂତିରୁ କିଛି ଶିଖିପାରିଲେ ନାହିଁ ସରକାର। ଚଳିତ ବର୍ଷ ମଧ୍ୟ ସମାନ ସ୍ଥିତିର ପୁନରାବୃତ୍ତି ହେବାର ଆଶଙ୍କା ଦେଖାଦେଲାଣି। ଆଉ କିଛି ଦିନ ପରେ ଖରିଫ ଚାଷ ପାଇଁ ସାରର ଆବଶ୍ୟକତା ହଠାତ ବଢ଼ିବାର ସମ୍ଭାବନା ଥିବାରୁ ଚାଷୀଙ୍କୁ ସାର ଠିକ୍ ପରିମାଣରେ ଉପଲବ୍ଧ ହେବା ନେଇ କିଏ ନିଶ୍ଚିତ କରାଇବ? ସାର ପ୍ରସଙ୍ଗରେ ରାଜ୍ୟ କୃଷି ମନ୍ତ୍ରୀଙ୍କର କେନ୍ଦ୍ରକୁ ଚିଠି, ବିରୋଧୀ ବିଜେପିର ରାଜନୈତିକ ବିବୃତି ଚାଷୀଙ୍କୁ ଆଶ୍ବାସନା ଦେଇପାରି ନାହିଁ।

ସାଧାରଣତଃ ସାର ଯୋଗାଣ କେନ୍ଦ୍ର ସରକାରଙ୍କ ଦ୍ବାରା ନିୟନ୍ତ୍ରିତ ହୋଇଥାଏ। ସାର ଦର ମଧ୍ୟ କେନ୍ଦ୍ର ସରକାର ସ୍ଥିର କରିଥା’ନ୍ତି। ରାଜ୍ୟର ଆବଶ୍ୟକତାକୁ ଦେଖି ସାର ଆବଣ୍ଟନ କରିଥା’ନ୍ତି। ଚଳିତ ଖରିଫ ଋତୁ ପାଇଁ ଏପ୍ରିଲ୍‌ ମାସରୁ ସେ‌େପ୍ଟମ୍ବର ମାସ ଭିତରେ ଓଡ଼ିଶାକୁ ୪ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ସାର ଆବଣ୍ଟନ ପାଇଁ ଧାର୍ଯ୍ୟ କରାଯାଇଛି। ଏପ୍ରିଲ୍‌ ମାସରେ ୩୮ ହଜାର ମେଟ୍ରିକ୍ ଟନ୍ ଆସିବା ପାଇଁ ଧାର୍ଯ୍ୟ ହୋଇଥିଲା ବେଳେ ୩୫ ହଜାର ମେଟ୍ରିକ୍ ଟନ୍‌ରୁ ଅଧିକ ଆସିଥିଲା। କିନ୍ତୁ ମେ’ ମାସ ଠାରୁ ଧାର୍ଯ୍ୟ ପରିମାଣରୁ ଯୋଗାଣ କମି କମି ଚାଲିଲା। ମେ’ ମାସରେ ୪୮,୯୫୦ ମେଟ୍ରିକ୍ ଟନ୍ ୟୁରିଆ ଆସିବା ପାଇଁ ଧାର୍ଯ୍ୟ ହୋଇଥିଲା ବେଳେ ଆସିଥିଲା ୩୪,୪୪୦ ମେଟ୍ରିକ୍ ଟନ୍।

ICL Industrial Products

ଜୁନ୍ ମାସରେ ୭୦,୮୩୦ ମେଟ୍ରିକ୍ ଟନ୍ ୟୁରିଆ ପାଇଁ ଧାର୍ଯ୍ୟ ହୋଇଥିଲା ବେଳେ ମିଳିଲା ୧୮,୬୯୦ ମେଟ୍ରିକ୍ ଟନ୍। ଜୁଲାଇ ମାସରେ ୯୦ ହଜାର ମେଟ୍ରିକ୍ ଟନ୍ ଯୋଗାଣ ପାଇଁ ଧାର୍ଯ୍ୟ ହୋଇଥିଲା ବେଳେ ବର୍ତ୍ତମାନ ସୁଦ୍ଧା ଆସିଛି ୨୫,୩୨୨ ମେଟ୍ରିକ୍ ଟନ୍। ଅଗଷ୍ଟ ମାସରେ ଆଉ ଏକ ଲକ୍ଷ ଓ ସେପ୍ଟମ୍ବରରେ ୯୦ ହଜାର ମେଟ୍ରିକ୍ ଟନ୍ ସାର ଆସିବାକୁ ସ୍ଥିର କରାଯାଇଛି। ବର୍ତ୍ତମାନ ସୁଦ୍ଧା୫ ଡିଏପି, ଏମ୍‌ଓପି ଓ ଏନ୍‌ପିକେ ସାର ଯୋଗାଣ ମଧ୍ୟ ଧାର୍ଯ୍ୟ ପରିମାଣ ଠାରୁ କମ୍ ରହିଛି।

ରାଜ୍ୟ ସରକାର ସାର ମହଜୁଦ୍ ରଖି ପିକ୍ ସମୟରେ ଚାଷୀଙ୍କୁ ଯୋଗାଇବା ପାଇଁ ୧୦୦ କୋଟି ଟଙ୍କାର କର୍ପସ୍‌ ପାଣ୍ଠିର ବ୍ୟବସ୍ଥା କରିଛନ୍ତି। ମାର୍କଫେଡ୍‌ ଓ କୃଷି ଶିଳ୍ପ ନିଗମକୁ ଏହି ଅର୍ଥ ବିନା ସୁଧରେ ଦିଆଯାଉଛି। ଉଦ୍ଦେଶ୍ୟ ହେଲା ସେମାନେ ସାର କିଣି ମହଜୁଦ୍ ରଖିବେ ଓ ପିକ୍ ସମୟରେ ଚାଷୀଙ୍କୁ ଡିଲର୍‌ ଓ ପ୍ୟାକ୍ସ୍‌ ମାଧ୍ୟମରେ ଧାର୍ଯ୍ୟ ମୂଲ୍ୟରେ ଯୋଗାଇ ‌ଦେବେ। ଜୁନ୍ ମାସ ଶେଷ ସୁଦ୍ଧା ଏହି ଦୁଇ ସଂସ୍ଥା ଦ୍ବାରା ୨ ଲକ୍ଷ ମେଟ୍ରିକ୍ ଟନ୍ ମହଜୁଦ୍ ରଖିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଏବେ ମାତ୍ର ୮୫ ଲକ୍ଷ ମେଟ୍ରିକ୍ ଟନ୍ ସାର ମହଜୁଦ୍ ଥିବାର ଜଣାପଡ଼ିଛି। ତେଣୁ ଏହି କର୍ପସ୍‌ ପାଣ୍ଠିର ଉଦ୍ଦେଶ୍ୟ ସାଧିତ ହୋଇପାରିନି।

meditfert.com

ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ରାଜ୍ୟ ୱାରି ସାର ପରିମାଣ ଆବଣ୍ଟନ କଲା ପରେ ସିଧାସଳଖ ସାର ଉତ୍ପାଦନକାରୀ ସଂସ୍ଥାକୁ ଯୋଗାଣ ପାଇଁ ଅର୍ଡ‌ର୍‌ ଦିଅନ୍ତି। କେଉଁ କମ୍ପାନି କେଉଁ ରାଜ୍ୟକୁ କେତେ ପରିମାଣରେ ସାର ପଠାଇବ, ତାହା ସ୍ଥିର ‌‌ହୁଏ। ଏହି ଆବଣ୍ଟନ ଧାର୍ଯ୍ୟ ହେଲା ପରେ ସଂପୃକ୍ତ କମ୍ପାନିର କାମ ହେଉଛି ସିଧାସଳଖ ରାଜ୍ୟକୁ ସାର ଯୋଗାଇବ। କିନ୍ତୁ ‌କିଛି କମ୍ପାନି ଅର୍ଡର୍‌ ପାଇଲା ପରେ ମଧ୍ୟ ଠିକ୍ ସମୟରେ ସାର ପହଞ୍ଚାଉ ନାହାନ୍ତି। ଏଇଠି ହିଁ ସମସ୍ୟା ସୃଷ୍ଟି ହେଉଛି। ସାର ଠିକ୍ ସମୟରେ ନ ପହଞ୍ଚାଇବାର ଆଉ ଏକ କାରଣ ହେଲା ସବ୍‌ସିଡି। ଯେହେତୁ ମେ’, ଜୁନ୍ ମାସରେ ସାର ବିକ୍ରି କମ୍ ହୁଏ, ତେଣୁ ପ୍ରଚଳିତ ବ୍ୟବସ୍ଥାରେ କମ୍ପାନିକୁ ସବ୍‌ସିଡି ଅର୍ଥ ଯାଇପାରେ ନାହିଁ। ପଞ୍ଜୀକୃତ ଚାଷୀ ସାର କିଣିଲେ ହିଁ କମ୍ପାନି ପାଖକୁ ସବ୍‌ସିଡି ଯାଏ। ସେଥି ପାଇଁ କମ୍ପାନିଗୁଡ଼ିକ ନିର୍ଦ୍ଧାରିତ ସମୟରେ ସାର ଦେଉନାହାନ୍ତି। ଚାଷୀଙ୍କ ଆବଶ୍ୟକତା ସମୟରେ ଅଧିକ ଯୋଗାଣ ହେଉଥିଲେ ବି ସେତେବେଳେ ତାହା ଯଥେଷ୍ଟ ହୁଏ ନାହିଁ। ଠିକ୍ ସମୟରେ ସାର ପହଞ୍ଚିପାରେ ନାହିଁ। ଫଳରେ ସାରର ଅଭାବ ସୃଷ୍ଟି ହୁଏ ଓ ଚାଷୀମାନେ ହଇରାଣ ହୁଅନ୍ତି।

ବର୍ତ୍ତମାନ ବର୍ଷା ଠିକ୍ ଭାବେ ହୋଇ ନ ଥିବାରୁ ସାରର ଆବଶ୍ୟକତା ‌ଅଧିକ ପଡ଼ି ନାହିଁ। କିନ୍ତୁ ବର୍ଷା ଆରମ୍ଭ ହୋଇଗଲା ମାତ୍ରେ ସାରର ପ୍ରଚୁର ଆବଶ୍ୟକତା ପଡ଼ିବ। ଆଉ କିଛି ଦିନ ପରେ ଓଡ଼ିଶାରେ ବର୍ଷା ଅଧିକ ହେବାର ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି। ‌ସେତେବେଳକୁ ସାରର ପ୍ରଚୁର ଆବଶ୍ୟକତା ପଡ଼ିବ। କିନ୍ତୁ ସେହି ସମୟରେ ସାର ଠିକ୍ ପରିମାଣରେ ଉପଲବ୍ଧ ହେବା ନେଇ ଆଶଙ୍କା ରହିଛି। କାରଣ ବର୍ତ୍ତମାନ କମ୍ ସାର ମହଜୁଦ୍ ଥିବାରୁ ଏକା ସମୟରେ ଅଧିକ ପରିମାଣର ସାର ଚାଷୀଙ୍କ ପାଖରେ ପହଞ୍ଚିବାର ସମ୍ଭାବନା କମ୍। ଗତ ବର୍ଷ ଏହି ସମସ୍ୟା ସୃଷ୍ଟି ହୋଇଥିଲା। ପାଖାପାଖି ୪୫ ହଜାର ମେଟ୍ରିକ୍ ଟନ୍‌ ୟୁରିଆ ଅଭାବ ପଡ଼ିଥିଲା। ଏ ବର୍ଷ ସେହି ସମସ୍ୟା ଯେମିତି ସୃଷ୍ଟି ନ ହୁଏ, ସେ ଦିଗ ପ୍ରତି ଆଦୌ ଗୁରୁତ୍ବ ଦିଆଯାଉ ନାହିଁ। ଠିକ୍ ସମୟରେ ସାର ନ ପାଇଲେ ଚାଷୀ ଯେ କେତେ କ୍ଷତିର ସମ୍ମୁଖୀନ ହେବ, ତାହା କ୍ଷମତାରେ ଥିବା ଓ ରାଜନୀତି କରୁଥିବା ବ୍ୟକ୍ତିମାନେ ବୁଝିବାକୁ ସମର୍ଥ ହେଉ ନାହାନ୍ତି।

DNA India

ସାର ଯୋଗାଣ କମ୍ ହେଉଥିବାରୁ ଗତ ମାସ ୨୧ ତାରିଖରେ ରାଜ୍ୟ କୃଷି ମନ୍ତ୍ରୀ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଆବଣ୍ଟନ ଅନୁଯାୟୀ ସାର ଯୋଗାଣ ପାଇଁ ପଦକ୍ଷେପ ନେବାକୁ ମନ୍ତ୍ରୀ ଅନୁରୋଧ କଲେ। ସେହି ଚିଠିର ପ୍ରତିବାଦ କରିଥିଲା ରାଜ୍ୟ ବିଜେପି। ବିଜେପି ପକ୍ଷରୁ ରାଜ୍ୟରେ କେତେ ସାର ଅଛି, ତାହାର ତାଲିକା ଦିଆଯାଇଥିଲା। ଏମିତି ଚିଠି ଲେଖା ଓ ରାଜନୈତିକ ବୟାନବାଜିରେ ସାର ପ୍ରସଙ୍ଗ ସୀମିତ ରହିଗଲା। ସାର ପଛର ସତ କ’ଣ ତାହା ପଦାକୁ ଆସିଲା ନାହିଁ। ସାର କାହିଁକି କମ୍ ଆସିଲା, ନ ଆସିବା ପଛରେ ଅସୁବିଧା କେଉଁଠି ଓ ଠିକ୍ ସମୟରେ ଚାଷୀଙ୍କ ପାଖରେ ସାର ପହଞ୍ଚିପାରିବ କି ନାହିଁ, ତାହାର ଉତ୍ତର କେହି ଦେଲେ ନାହିଁ। ମନ୍ତ୍ରୀ ଚିଠି ଲେଖି ତାଙ୍କ ଦାୟିତ୍ବ ସାରିଦେଲେ। କିନ୍ତୁ ସାର କିପରି ପହଞ୍ଚିବ, ସେ ଦିଗରେ ଠୋସ୍ ପଦକ୍ଷେପ ନେବାକୁ ଭୁଲିଗଲେ। ସେମିତି ସାରର ଯୋଗାଣ କମ୍ ଅଛି ବୋଲି ରାଜ୍ୟ ସରକାର ଦେଖାଉଥିଲା ବେଳେ ବାସ୍ତବ ପରିସ୍ଥିତି ସମ୍ପର୍କରେ ଚାଷୀଙ୍କୁ ଠିକ୍ ସୂଚନା ଦେବାକୁ ବିଜେପି ବି ଉଚିତ ମଣିଲାନି। ଚାଷୀଙ୍କ ପ୍ରସଙ୍ଗକୁ ନେଇ ସାମୟିକ ଭାବେ ରାଜନୀତି ସରଗରମ ହେଲା ସିନା, ଚାଷୀଙ୍କ ସ୍ବାର୍ଥ କିପରି ପୂରଣ ‌ହେବ ତାହାର ବାଟ ବାହାରିଲାନି।

ସମ୍ବନ୍ଧିତ ଖବର