୨୦୨୪ରେ ଓଡ଼ିଶାରୁ ଲୋକସଭା ପାଇଁ ଲଢିବି: ଧର୍ମେନ୍ଦ୍ର

ଝାରସୁଗୁଡ଼ା: ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାର କୌଣସି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଶ୍ରୀ ପ୍ରଧାନ ‘ସମ୍ବାଦ’କୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କେଉଁଠୁ ଲଢ଼ିବେ ତାହା ଦଳ ନିଷ୍ପତ୍ତି ନେବ। ତାଙ୍କ ଭଳି କର୍ମକର୍ତ୍ତାକୁ ଦଳ ପ୍ରଥମ ଥର ପାଇଁ ବାହାର ରାଜ୍ୟରୁ ଦୁଇ ଦୁଇଥର ରାଜ୍ୟସଭା ପଠାଇଥିବାରୁ ସେ ଦଳ ପ୍ରତି କୃତଜ୍ଞ ଥିବା କହିଥିଲେ।

ଏଠାରେ ଉଲ୍ଲେଖଥାଉକି, ୨୦୦୦ ମସିହାରେ ପାଳଲହଡ଼ାରୁ ବିଧାୟକ ଭାବେ ନିର୍ବାଚନ କ୍ୟାରିଅର ଆରମ୍ଭ କରିଥିବା ଶ୍ରୀ ପ୍ରଧାନ ପରବର୍ତ୍ତୀ ସମୟରେ ଅର୍ଥାତ୍ ୨୦୦୪ ମସିହାରେ ଦେବଗଡ଼ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ହେଲେ ୨୦୦୯ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଯିବା ପରେ ସେ ଆଉ ନିର୍ବାଚନ ଜିତିପାରିନାହାନ୍ତି। ଏହା ସତ୍ତ୍ବେ ବିଜେପିର କେନ୍ଦ୍ରୀୟ ନେତୃତ୍ବ ତାଙ୍କୁ ଦୁଇ ଦୁଇ ଥର ରାଜ୍ୟସଭା ଟିକେଟ୍ ଦେଇଛନ୍ତି। ୨୦୧୨ରେ ଶ୍ରୀ ପ୍ରଧାନ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୮ରେ ସେ ପୁଣି ଥରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଛନ୍ତି। ୨୦୨୪ରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ତେବେ ଗତ କିଛି ମାସ ଧରି ଶ୍ରୀ ପ୍ରଧାନଙ୍କ ରାଜ୍ୟ ରାଜନୀତିରେ ସକ୍ରିୟତା, ବିଶେଷକରି ଉଭୟ ଢେଙ୍କାନାଳ ଏବଂ ସମ୍ବଲପୁର ଲୋକସଭା ରାଜନୀତିରେ ପ୍ରତ୍ୟକ୍ଷ ଅଂଶଗ୍ରହଣ ପରେ ଏଥର ପୁଣି ସେ ନିର୍ବାଚନ ରାଜନୀତି ଲଢ଼େଇରେ ସାମିଲ ହେବେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜାରି ରହିଥିଲା। ଶ୍ରୀ ପ୍ରଧାନ ଏବେ ନିର୍ବାଚନ ଲଢ଼ିବା ସଂପର୍କରେ ସୂଚନା ଦେବା ପରେ ଏହି ଆଲୋଚନା ଯେ ଅମୂଳକ ନ ଥିଲା ତାହା ସ୍ପଷ୍ଟ ହୋଇଛି। ଏବେ ଦେଖିବା କଥା ବିଜେପି ହାଇକମାଣ୍ଡ ତାଙ୍କୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବେ ଟିକେଟ୍ ଦେବେ ନା ସେ ନିଜ ଜନ୍ମମାଟି (ଢେଙ୍କାନାଳ ଲୋକସଭା ଆସନ)ରୁ ଲଢ଼ିବେ।

ସମ୍ବନ୍ଧିତ ଖବର