ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଜୋରଦାର ଲଢ଼ାଇ କରିବ। ଓଡ଼ିଶାର ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଅବତୀର୍ଣ୍ଣ କରାଇବ। ଆମେ ଭଲ ଭାବରେ ନିର୍ବାଚନ ଲଢ଼ିବୁ। ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପିର ବୈଠକରେ ସାମିଲ ହୋଇ ଓଡ଼ିଶା ଫେରିବା ପରେ ରାଜ୍ୟ ସଭାପତି ମନମୋହନ ସାମଲ ରବିବାର ସନ୍ଧ୍ୟାରେ ଏହା କହିଛନ୍ତି।

Advertisment

ଗଣମାଧ୍ୟମର ପ୍ରତିନିଧିଙ୍କୁ ଶ୍ରୀ ସାମଲ କହିଛନ୍ତି, ଦିଲ୍ଲୀ ବୈଠକରେ ଓଡ଼ିଶାର ରଣନୀତି ନେଇ ଚର୍ଚ୍ଚା ଓ ଆଲୋଚନା ହୋଇଛି। ରଣନୀତି ସଂପର୍କରେ ଆମେ କେନ୍ଦ୍ରୀୟ ନେତୃତ୍ବକୁ ଅବଗତ କରିଛୁ। ରଣନୀତି ସଂପର୍କରେ ଅବଗତ କରାଇଛୁ। ଓଡ଼ିଶା ବାବଦରେ ତନ୍ନତନ୍ନ କରି ଜଣାଇଛୁ। କେନ୍ଦ୍ରୀୟ ନେତୃତ୍ବର ରଣନୀତି ଅନୁସାରେ ଆମେ ଲଢ଼ିବୁ।

ମନମୋହନ ସାମଲ ଆଜି ସାମାଜିକ ଗଣମାଧ୍ୟମ ଏକ୍‌ସରେ କହିଥିଲେ ଓଡ଼ିଶାରେ ୨୦୨୪ରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମସ୍ତ ଲାଭାର୍ଥି ଏହି ଆୟୁଷ୍ମାନ ଭାରତ ଯୋଜନାର ସ୍ୱତ ପ୍ରବୃତ୍ତ ଭାବେ ଲାଭାର୍ଥି ହିସାବରେ ଏହାର ସୁଫଳ ପାଇବେ। ଓଡ଼ିଶାରେ ଆର୍ଥିକ ସ୍ୱଛଳ ବର୍ଗର ବରିଷ୍ଠ ନାଗରିକମାନେ ମଧ୍ୟ ଏହି ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ ହେବେ।

ସୂଚନାଯୋଗ୍ୟ, ଶ୍ରୀ ସାମଲ ଗତ ଶୁକ୍ରବାର ଦିନ କହିଥିଲେ ଯେ, ସମଗ୍ର ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ଯ୍ୟସବୁ ତ୍ବରାନ୍ବିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଅଛୁ। କିନ୍ତୁ ଆଜି ଓଡ଼ିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ, ଯେଉଁ କାରଣରୁ ଓଡିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇପାରୁନାହାଁନ୍ତି। ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ବାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହ‌ମତ ହୋଇପାରୁନାହୁଁ।

ଶ୍ରୀ ସାମଲ ଆହୁରି କହିଥିଲେ ଯେ, ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ।