ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବହଳଦା ବ୍ଲକର କାଙ୍କିଠାରେ ବିଜେପିର ଲୋକସଭା ପ୍ରାର୍ଥୀ ନବଚରଣ ମାଝୀ ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଜଲେନ ନାଏକଙ୍କ ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଙ୍ଗଳବାର ପ୍ରତାର କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ବିଜେଡି ସରକାର ବିରୁଦ୍ଧରେ କଡା ସମାଲୋଚନା କରିଥିଲେ। ନବୀନ ସରକାର ଯାହା କୁହନ୍ତି ତାହା କରନ୍ତି ନାହିଁ ବୋଲି ଅଭିଯୋଗ କରିଥିଲେ। ମୋଦୀ ସରକାର ଓଡ଼ିଶାର ମୟୂରଭଂଜ ଜିଲ୍ଲାର ଆଦିବାସୀ ମହିଳା ତଥା ବର୍ତ୍ତମାନ ଦେଶର ପ୍ରଥମ ନାଗରିକ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରାଇଛନ୍ତି। ସେହିପରି ଜିଲ୍ଲାର ଗିରିଶ ମୁର୍ମୁଙ୍କ ଉଦାହରଣ ମଧ୍ୟ ଦେଇଥିଲେ। ମୋଦୀ ଓଡିଶାର ବହୁ ଓଡିଆଙ୍କୁ ସମ୍ମାନ ଦେଇ ବଡ ବଡ଼ ପଦବିରେ ନିଯୁକ୍ତ କରିଛନ୍ତି କିନ୍ତୁ ନବୀନ ସରକାର ଓଡ଼ିଆଙ୍କ ବଦଳରେ ଜଣେ ଅଣ ଓଡ଼ିଆଙ୍କୁ ପାଖରେ ରଖି ତାଙ୍କ ଇସାରାରେ ଚାଲୁଛନ୍ତି ବୋଲି ନିଜ ବ୍ୟକ୍ତବ୍ୟରେ କହିଥିଲେ। ଏଣୁ ଓଡିଶାରେ ବିଜେପି ଡବଲ୍ ଇଂଜିନ ସରକାର ଗଠନ କରିବ। ସେ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ।
ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ବିଜୁ ଗୋପାଲ ଗୋପଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାର ଲୋକସଭା ପ୍ରାର୍ଥୀ ନବଚରଣ ମାଝୀ, ବିଧାନସଭା ପ୍ରାର୍ଥୀ ଜଲେନ ନାଏକ, ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ୍ ଓ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଝାଡଖଣ୍ଡର ପଟକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମେନକା ସର୍ଦ୍ଧାର୍, ଜାମଦା,ବହଳଦା ଓ ତିରିଂ ବ୍ଲକର ବହୁ ନେତା ଓ କର୍ମୀ ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ।
ଆଉ ତିନିଦିନ ପରେ ମୟୂରଭଂଜ ଲୋକସଭା ଆସନରେ ମତଦାନ। ଏନେଇ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଥିବାରୁ ବୁହ ନେତା-ମନ୍ତ୍ରୀଙ୍କ ସମେତ ଷ୍ଟାର୍ ପ୍ରଚାରକ ଭାବେ ଓଡ଼ିଆ ଓ ହିନ୍ଦି ସିନେମାର ଅଭିନେତା ଓ ଅଭିନେତ୍ରୀମାନେ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରି ପ୍ରଚାର କରୁଛନ୍ତି। ତେବେ ସମସ୍ତଙ୍କ ନଜର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଉପରେ ରହିଛି। ରାଇରଙ୍ଗପୁର ବିଧାନସଭାକୁ ହାତେଇବା ସମସ୍ତ ପ୍ରକାର କସରତ ଚଳାଇଛନ୍ତି ଦଳର ପ୍ରାର୍ଥୀମାନେ।