ଭୁବନେଶ୍ବର: ଦିନ ଥିଲା ସବୁ ପୋଲିଂ ବୁଥ୍ରେ ଆମର ଏଜେଣ୍ଟ୍ ନଥିଲେ। ପରାଜୟରୁ ଶିକ୍ଷା ଗ୍ରହଣ କରିଥିଲୁ ଏବଂ ପରାଜୟର ସମୀକ୍ଷା କରି, ଆଜି ଆମେ ବିଜୟୀ ହୋଇଛୁ। ନୂଆପଡ଼ା ଉପନିର୍ବାଚନରେ ଆମେ ସମସ୍ତେ ଏକାଠି ହୋଇ ଲଢ଼ିଲୁ ଏବଂ ଐତିହାସିକ ବିଜୟ ହାସଲ କରିଲୁ। ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଆମ ପ୍ରତି ଭୋଟ୍ ଚୋରି, ବେଇମାନ ଭଳି ଅପଶବ୍ଦ ମଧ୍ୟ ବ୍ୟବହାର କରିବାକୁ ପଛାଇଲେ ନାହିଁ। କିନ୍ତୁ ବିରୋଧୀଙ୍କ ମିଛ କାମ ଦେଲା ନାହିଁ। ନୂଆପଡ଼ାବାସୀ ସେମାନଙ୍କୁ ଉଚିତ ଜବାବ ଦେଲେ। ଏହି ବିଜୟର ଶ୍ରେୟ କାର୍ଯ୍ୟକର୍ତ୍ତାଙ୍କର। ମୁଁ ଖୁବ୍ଶୀଘ୍ର ନୂଆପଡ଼ା ଯାଇ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇବି ବୋଲି ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ କହିଛନ୍ତି।
ନୂଆପଡ଼ା ଉପନିର୍ବାଚନରେ ବିଜୟ ହାସଲ ପରେ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସଭାରେ ବିଜେପିର ବରିଷ୍ଠ ନେତାମାନେ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରେର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ନୂଆପଡ଼ାରେ ଜୟ ଢୋଲକିଆଙ୍କର ଐତିହାସିକ ଭୋଟ୍ ବ୍ୟବଧାନରେ ବିଜୟ ରାଜ୍ୟରେ ରାଜନୈତିକ ମୋଡ଼ ବଦଳାଇ ଦେଇଛି। ବିଭୀଷଣଙ୍କ ପାଇଁ କଂଗ୍ରେସ ପରାଜୟବରଣ କରିଲା ଏବଂ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି। ଯଦି ତାହା ହୁଏ, ତେବେ ୭୦% ବିଭୀଷଣ ଥିବା କଂଗ୍ରେସ ଦଳ ସଂପୂର୍ଣ୍ଣ ମୂଳପୋଛ ହୋଇଯିବ। ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି େଯ ନୂଅାପଡ଼ାରେ ଯେଉଁ ନେତା, ବିଧାୟକ, ସାଂସଦ, ମନ୍ତ୍ରୀମାନେ ଯେଉଁ ଅଞ୍ଚଳରେ ଥିଲେ, ସେ ଅଞ୍ଚଳର ସ୍ଥାନୀୟ ସମସ୍ୟାଗୁଡ଼ିକର ତାଲିକା ପ୍ରସ୍ତୁତ କରିବେ। ସମସ୍ତ ସମସ୍ୟାର ସମାଧାନ କରାଯିବ। ନୂଆପଡ଼ାର ବିକାଶ ଦାୟିତ୍ୱ ମୋର। ଯାହା ଘୋଷଣା ହୋଇଛି, ସେ ସବୁକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେବି।
ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, ନିର୍ବାଚନ ଏକ ଯୁଦ୍ଧ। ଯୁଦ୍ଧ ପାଇଁ ଠିକ ରଣନୀତି ଆବଶ୍ୟକ। ରଣନୀତି ପାଇଁ ଯୋଜନା ପ୍ରସ୍ତୁତ କରାଗଲା। ଯୋଜନାକୁ କାର୍ଯ୍ୟକର୍ତ୍ତାମାନେ କ୍ରିୟାନ୍ୱୟନ କରିଲେ। କାର୍ଯ୍ୟକର୍ତ୍ତାଙ୍କ ଆତ୍ମବିଶ୍ୱାସ ହିଁ ବିଜେପିକୁ ବଡ଼ ବିଜୟ ଦେଲା। ଆମେ ସଂଗଠିତ ହୋଇ ନିର୍ବାଚନ ଲଢ଼ିଲୁ ବୋଲି ଜିତିଲୁ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମ୍ପଦ ସ୍ୱାଇଁ, ଗୋକୁଳାନନ୍ଦ ମଲ୍ଲିକ, ପ୍ରଦୀପ ବଳସାମନ୍ତ, ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ରାଜ୍ୟ ସାଧାରଣ ସଂପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରମୁଖଙ୍କ ସମେତ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିବା ଅନେକ ସାଂସଦ, ବିଧାୟକ, ରାଜ୍ୟ ଓ ଜିଲ୍ଲାସ୍ତରୀୟ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚା ଓ ପ୍ରକୋଷ୍ଠର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/18/untitled-15-2025-11-18-07-15-22.jpg)