ଭୁବନେଶ୍ୱର: ଚୀନ୍‌ର ଉହାନ ସହରରୁ ଆତ୍ମପ୍ରକାଶ କରିଥିବା ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଭୂତାଣୁ ମାତ୍ର ୫ ମାସର ସମୟ ମଧ୍ୟରେ ବିଶ୍ୱର ୨୧୦ ରାଷ୍ଟ୍ରକୁ ବ୍ୟାପିଯିବା ସହ ୩୦ ଲକ୍ଷରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୨ଲକ୍ଷ ୭ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି। ବର୍ତ୍ତମାନ ସୁଦ୍ଧା ଏହି ରୋଗର କୌଣସି ପ୍ରକାରର ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ବା ଏହାର ପ୍ରତିଷେଧ ପାଇଁ କୌଣସି ପ୍ରକାରର ଟୀକା ବାହାରିପାରି ନାହିଁ। ଏ ପରିସ୍ଥିତିରେ ଏ ରୋଗକୁ କେନ୍ଦ୍ରକରି ପ୍ରତ୍ୟେକ ଦିନ ନୂଆ ନୂଆତଥ୍ୟ ସାମନାକୁ ଆସିବାରେ ଲାଗିଛି। ଏ ପ୍ରକାରର ସ୍ଥିତିରେ ସମସ୍ତଙ୍କୁ ଯଥେଷ୍ଟ ସତର୍କତା ଓ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଜ୍ୟ କୋଭିଡ୍‌-୧୯ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ।

Advertisment

ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଅପରାହ୍ଣରେ ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି ଯେ ବର୍ତମାନ ସୁଦ୍ଧା ରାଜ୍ୟରେ ୧୧୦ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଆକ୍ରାନ୍ତଙ୍କ ନିକଟରେ ଏହି ରୋଗର କୌଣସି ପ୍ରକାରର ଲକ୍ଷଣ ଦେଖିବାକୁ ମିଳି ନଥିଲା। କିନ୍ତୁ, ଏମାନଙ୍କ ନିକଟରେ ଅନ୍ୟକୁ ସଂକ୍ରମିତ କରିବାର ସମସ୍ତ କ୍ଷମତା ରହିଥିଲା। ତେଣୁ, ଏହି ବାସ୍ତବତା ସମସ୍ତଙ୍କୁ ବୁଝିବାକୁ ପଡ଼ିବ। ଅନ୍ୟପକ୍ଷରେ ପ୍ରଥମେ ଗବେଷକମାନେ କହୁଥିଲେ ଏହି ରୋଗରେ ଆକ୍ରାନ୍ତ ହେଲେ ଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହୁଏ ଓ ରୋଗୀ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରେ। କିନ୍ତୁ ଏବେ ଏହା ଭୁଲ ପ୍ରମାଣ ହେଲାଣି। ଏହି ରୋଗରେ ଆକ୍ରାନ୍ତ ରୋଗୀର ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗକୁ ମଧ୍ୟ ଏହି ରୋଗ ପ୍ରଭାବିତ କରୁଛି। ସେହିପରି ପ୍ରଥମେ କୁହା ଯାଉଥିଲା ଏହି ଗୋଗ ଥରେ ହେଲେ ଆଉ ଦ୍ୱିତୀୟ ଥର ପାଇଁ ହେବ ନାହିଁ କିମ୍ବା ଶିଶୁମାନେ ଏହି ରୋଗରେ ଆକ୍ରାନ୍ତ ହେବେ ନାହିଁ ଯାହାକି ଏବେ ଭୁଲ୍‌ ପ୍ରମାଣିତ ହୋଇ ସାରିଲାଣି। ସେହିପରି ପ୍ରଥମେ କେବଳ ଆକ୍ରାନ୍ତ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମାସ୍କ ପିନ୍ଧିବାକୁ କୁହା ଯାଉଥିବା ବେଳେ ଏବେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ କୁହାଗଲାଣି।

ସେହିପରି ଗତକାଲି ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ସ୍ପଷ୍ଟ ରୂପେ କହିଛନ୍ତି ଯେ ନିକଟ ଭବିଷ୍ୟତରେ ଏହି ରୋଗର ପ୍ରକୋପ କମିବାର କୌଣସି ପ୍ରକାରର ସମ୍ଭାବନା ନାହିଁ। ଏହି ରୋଗରେ ସଂକ୍ରମିତ ଅଧିକାଂଶ ରାଷ୍ଟ୍ର ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛନ୍ତି। ପୁଣି ଥରେ ପ୍ରକୋପ କମିଗଲେ ଗଲେ ମଧ୍ୟ ଆଉଥରେ ଫେରିବାର ସମ୍ଭାବନା ଓ ଆଶଙ୍କା ରହିଛି। କରୋନା ସଂକ୍ରମିତ ଅଧିକାଂଶ ରାଷ୍ଟ୍ରରେ ଏହାର ପ୍ରଭାବ ଦୀର୍ଘଦିନ ପର୍ଯ୍ୟନ୍ତ ରହିବ। ଏଥିରୁ ମୁକୁବାକୁ ହେଲେ ଲମ୍ବା ଦୌଡ଼ ଦୌଡ଼ିବାକୁ ପଡ଼ିବ ଆଉ ଏଥିପାଇଁ ସମସ୍ତଙ୍କୁ ଏବେ ଠାରୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଆଉ କରୋନା କବଳରୁ ମୁକୁଳିବାକୁ ହେଲେ ୬ଟି ଜିନିଷକୁ ନିଶ୍ଚିତ କରିବାକୁ ପଡ଼ିବ। ସେହି ୬ଟ ଜିନିଷ ହେଲା: (୧) ପ୍ରତି ସଂକ୍ରମିତକୁ ଚିହ୍ନଟ କରିବା (୨) ସଂକ୍ରମିତକୁ ଅଲଗା ରଖିବା (୩) ସଂକ୍ରମିତର ପରୀକ୍ଷା କରିବା (୪) ସୁଚାରୁ ଭାବେ ଚିକିତ୍ସା କରିବା (୫) ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଚିହ୍ନଟ କରିବା ଓ (୬) ସୂଚନା, ସହଯୋଗର ସଶକ୍ତୀକରଣ କରିବା ବୋଲି ସ୍ପଷ୍ଟ କରି ଦେଇଛନ୍ତି ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ।

ତେଣୁ, ଏପ୍ରକାରର ପରିସ୍ଥିତିରେ ପ୍ରତ୍ୟେକ ରାଜ୍ୟବାସୀ କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ସାହାଯ୍ୟ ଓ ସହଯୋଗ କରିବାକୁ ଅନୁରୋଧ କରିବା ସହ କରୋନା ସଂକ୍ରମିତ ନହେବାକୁ ସମସ୍ତଙ୍କୁ ସତର୍କତା ଓ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ବାଗଚୀ।