ଭିମ୍‌ସାର୍‌ରେ ପୁଣି ଡାଇଲିସିସ୍ ୟୁନିଟ୍‌ ଅଚଳ, କଟକରେ ଦିନେ ବି ବନ୍ଦ ହେବ କି?

ବାରମ୍ବାର ହେଉଛି ଆର୍‌ଓ ପ୍ଲାଣ୍ଟରେ ସମସ୍ୟା, ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ରୋଗୀ

ସମ୍ବଲପୁର: କଟକ ଏସ୍‌ସିବି ମେଡିକାଲ୍‌ରେ ଦିନେ ଡାଇଲିସିସ୍ ବନ୍ଦ ହେବ କି? ବ୍ରହ୍ମପୁରର ଏମ୍‌କେସିଜି ଡାକ୍ତରଖାନାରେ ବି ଡାଇଲିସିସ୍ ବନ୍ଦ ହେବାର ନଜିର ନାହିଁ। ତାହେଲେ ବୁର୍ଲା ବଡ଼ ଡାକ୍ତରଖାନାରେ କାହିଁକି? ଭିମସାର୍‌ରେ ଡାଇଲିସିସ୍ ୟୁନିଟ୍ ଅଚଳ ହେବା ଏକ ନିୟମିତ ଘଟଣା ପାଲଟିଛି। ଆର୍‌ଓ ପ୍ଲାଣ୍ଟର ଫିଲ୍‌ଟର ଖରାପ ହେଉଥିବା ବାହାନାରେ ମାସରେ ଏକାଧିକ ବାର ସଂପୂର୍ଣ୍ଣ ଡାଇଲିସିସ୍ ୟୁନିଟ୍‌କୁ ବନ୍ଦ କରି ଦିଆଯାଉଛି। କେବେ ୨ ଦିନ ତ କେବେ ୫ ଦିନ ତା’ର ଠିକଣା ନାହିଁ। ୪ ବର୍ଷରୁ ଅଧିକ ହେଲା କେହି କିଡ୍‌ନି ରୋଗ ବିଶେଷଜ୍ଞ ନଥିବା ପଶ୍ଚିମ ଓଡ଼ିଶାର ସର୍ବବୃହତ୍ ଡାକ୍ତରଖାନା ଭିମସାର୍‌କୁ କେବଳ ଡାଇଲିସିସ୍ ପାଇଁ ପ୍ରତିଦିନ ବହୁ ରୋଗୀ ଆସନ୍ତି। ଘରୋଇ ଡାକ୍ତରଖାନାରେ ଡାଇଲିସିସ୍ ଖର୍ଚ୍ଚ ବହୁଳ ହୋଇଥିବାରୁ ସରକାରୀ ବ୍ୟବସ୍ଥାରେ ମାଗଣାରେ କରାଇବାକୁ ଗରିବ ରୋଗୀ ଏଠି ଦିନ ଦିନ ଅପେକ୍ଷା କରି ରହୁଛନ୍ତି। ରୋଗୀ ସଂଖ୍ୟା ତୁଳନାରେ ମେସିନ୍ ସଂଖ୍ୟା କମ୍ ଥିବାରୁ ଜଣେ ଜଣେ ରୋଗୀକୁ ସପ୍ତାହେରୁ ମାସେ ପର୍ଯ୍ୟନ୍ତ ବି ଅପେକ୍ଷା କରିବା ନଜିର ରହିଛି। ତେବେ ତତ୍କାଳ ଡାଇଲିସିସ୍ ଆବଶ୍ୟକ ଥିବା ଗୁରୁତର ରୋଗୀଙ୍କୁ ସଂଗେସଂଗେ ଏହି ସେବା ଯୋଗାଇ ଦିଆଯାଏ। ହେଲେ ଏଠାରେ କାର୍ଯ୍ୟକ୍ଷମ ଥିବା ୪ଟି ଯାକ ମେସିନ୍ ଅଚଳ ହୋଇଗଲେ ରୋଗୀ ମାନେ ଭଗବାନଙ୍କ ଭରସାରେ ପଡ଼ି ରହନ୍ତି। ଡାଇଲିସିସ୍‌ ମେସିନ୍ ପ୍ରଥମେ ଠିକ୍‌ ହେବ ନା ମୃତ୍ୟୁ ଆଗ ଆସିବ ତାହା ସେମାନଙ୍କୁ ଜଣା ନଥାଏ। ‌ସେଭଳି ଜଣେ ଗୁରୁତର ରୋଗୀ ହେଲେ ନୂଆପଡ଼ା ଜିଲ୍ଲା କଲ୍ୟାଣପୁରର ରେବତୀ ତିୱାରୀ। ତାଙ୍କୁ ତୁରନ୍ତ ଡାଇଲିସସ୍‌ର ଆବଶ୍ୟକତା ଥିଲା। କିନ୍ତୁ ତାହା ବନ୍ଦ ଥିବାରୁ କେବେ ଠିକ୍ ହେବ ସେହି ଅପେକ୍ଷାରେ ଭାଗ୍ୟକୁ ଆଦରି ଡାକ୍ତରଖାନା ଶଯ୍ୟାରେ ପଡ଼ି ରହିଛନ୍ତି।

ପୂର୍ବରୁ ଅନେକ ଥର ଭିମ୍‌ସାର୍‌ ଡାଇଲିସିସ୍ ୟୁନିଟ୍ ଅଚଳ ଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶିତ ହୋଇଛି। ଅଧିକାଂଶ ସମୟରେ ଆର୍‌ଓ ପ୍ଲାଣ୍ଟରେ ସମସ୍ୟା କାରଣରୁ ହିଁ ଏହା ହେଉଛି। ମଙ୍ଗଳବାର ବି ଭିମସାର୍‌ରେ ଡାଇଲିସିସ୍ ବନ୍ଦ ହୋଇ ଯାଇଥିଲା। ଆର୍‌ଓ ପ୍ଲାଣ୍ଟ ଖରାପ ଯୋଗୁଁ ଏହା ବନ୍ଦ ହୋଇଥିବା କହାଯାଉଛି। ତେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ କାହିଁକି କରାଯାଉ ନାହିଁ? ବାରମ୍ବାର କାହିଁକି ଆର୍‌ଓ ଅଚଳ ବାହାନାରେ ଡାଇଲିସିସ୍ ଭଳି ଗୁରୁତ୍ବପୂର୍ଣ୍ଣ ଚିକିତ୍ସା କାର୍ଯ୍ୟକୁ ବନ୍ଦ କରି ଦିଆଯାଉଛି। ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଡାଇଲିସିସ୍ ବ୍ୟବସ୍ଥା ଥିଲେ ବି ରୋଗୀ ସାମାନ୍ୟ ଗୁରୁତର ହେଲେ ସେମାନଙ୍କୁ ବୁର୍ଲାକୁ ରେଫର୍ କରି ଦିଆଯାଉଛି। କିନ୍ତୁ ଏଠି ନା’ କିଡ୍‌ନି ରୋଗ ବିଶେଷଜ୍ଞ ଅଛନ୍ତି ନା ଡାଇଲିସିସ୍‌ର ଠିକଣା ଅଛି। କିଡ୍‌ନି ଚିକିତ୍ସାର ସାର୍ଟିଫିକେଟ୍ କୋର୍ସ କରିଥିବା ଜଣେ ମେଡିସିନ୍ ବିଭାଗର ଡାକ୍ତର ଭିମ୍‌ସାର୍‌ରେ କିଡ୍‌ନି ରୋଗ ବିଭାଗ ଦାୟିତ୍ବରେ ଅଛନ୍ତି। ରୋଗୀଙ୍କ ଡାଇଲିସିସ୍ ତାଙ୍କ ତତ୍ତ୍ବାବଧାନରେ ହେଉଛି। ତେବେ ଏକଦା ରାଜ୍ୟର ପ୍ରଥମ କିଡ୍‌ନି ପ୍ରତିରୋପଣ କରି ଗୌରବ ଅର୍ଜନ କରିଥିବା ଭିମସାର୍‌ ଏବେ ରୋଗୀଙ୍କୁ ଡାଇଲିସିସ୍ ଭଳି ସାଧାରଣ ଅଥଚ ଜରୁରୀ ସେବା ବି ଠିକ୍‌ରେ ଦେଇପାରୁ ନାହିଁ। ଭିମସାର୍‌ରେ ଥିବା ଦୁଇଟି ପୁରୁଣା ଡାଇଲିସିସ୍ ମେସିନ୍ ପ୍ରାୟତଃ ଅଚଳ ହୋଇ ରହୁଛି। ନୂଆ ଆସିଥିବା ୧୦ଟି ମେସିନ୍ ମଧ୍ୟରୁ ୪ଟିକୁ କାର୍ଯ୍ୟକ୍ଷମ କରାଯାଇଛି ଯାହା ଏବେ ରୋଗୀଙ୍କ ସେବାରେ ଲାଗୁଛି।

ସ୍ଥାନାଭାବ ଦର୍ଶାଇ ବାକି ‌ନୂଆ ମେସିନ୍‌ ଗୁଡ଼ିକ ଲଗାଯାଉ ନାହିଁ। ୨ ବର୍ଷରୁ ଅଧିକ ହେଲା ସେଗୁଡ଼ିକ ଗୋଦାମରେ ଖତ ଖାଉଛି। ବୁର୍ଲା ବଡ଼ ଡାକ୍ତରଖାନାରେ କାହିଁକି ବାରମ୍ବାର ଡାଇଲିସିସ୍ ବନ୍ଦ ହେଉଛି ତାହା ତଦନ୍ତ ସାପେକ୍ଷ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଉଛନ୍ତି। ନର୍ସିଂହୋମ୍ ପୋଷଣ ପାଇଁ ଏଭଳି କରାଯାଉ ନାହିଁ ତ? ନା’ ଦାୟିତ୍ବରେ ଥିବା ଲୋକଙ୍କ ବେପରୁଆ ଭାବ ଯୋଗୁଁ ରୋଗୀ ହଟହଟା ହେଉଛନ୍ତି? ଏହା ଉପରେ କଡ଼ା ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି। ଡାଇଲିସସ୍‌ ୟୁନିଟ୍ ଅଚଳକୁ ଭିମସାର୍‌ ଅଧୀକ୍ଷକ ଡା. ଲାଲ୍‌ମୋହନ ନାୟକ ସ୍ବୀକାର କରିଛନ୍ତି ଓ ଏହା ଉପରେ ଧ୍ୟାନ ଦେଇ ତୁରନ୍ତ ଠିକ୍ କରାଯିବ ବୋଲି କହିଛନ୍ତି। ସେହିପରି ନିର୍ଦ୍ଦେଶକ ପ୍ର. ଲଳିତ ମେହେର ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସଂପୃକ୍ତ ସମସ୍ତ ପକ୍ଷ ସହ ଆଲୋଚନା କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର