ଝାରସୁଗୁଡ଼ା: ନିର୍ବାଚନ ପୂର୍ବରୁ ବିଜେପି-ବିଜେଡିର ବାହାଘର କରାଇଥିଲା କଂଗ୍ରେସ। କଂଗ୍ରେସ ନେତାମାନେ ବିଜେପିକୁ ଯେତିକି ଭର୍ତ୍ସନା କରିଥିଲେ, ତା’ଠୁ ଅଧିକ କରିଥିଲେ ବିଜେଡିକୁ। କିନ୍ତୁ ହଠାତ ସେହି ବିଜେଡି ନେତାଙ୍କ ପାଇଁ ଏବେ କଂଗ୍ରେସର ମନ ତରଳି ଗଲାଣି। ସ୍ବର୍ଗତ ନବ ଦାସଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ପାଇଁ ଦାବି କରିବା ପରେ ଜଣେ ନାରୀ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଉପରେ ଚାପ ସୃଷ୍ଟି କରାଯିବା ପାଇଁ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା ଖୋଲିଥିବା ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ପ୍ରଧାନ ଅଭିଯୋଗ କରିଛନ୍ତି। ବିଜେଡି ନେତ୍ରୀଙ୍କ ପାଇଁ କଂଗ୍ରେସ ଜିଲ୍ଲା ସଭାପତିଙ୍କ ଏହି ଦରଦକୁ ନେଇ ଜିଲ୍ଲା ରାଜନୀତି ଏବେ ସରଗରମ ହୋଇଛି। 

Advertisment

ଆଜି କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ବିବୃତି ଦେଇ ଶ୍ରୀ ପ୍ରଧାନ କହିଥିଲେ, ନବ ଦାସଙ୍କ ହତ୍ୟାକାଣ୍ଡ ନିଶ୍ଚିତ ଭାବେ ଏକ ସମ୍ବେଦନଶୀଳ ବିଷୟ। ସେତେବେଳେ କାହିଁକି ପୂର୍ବତନ ବିଧାୟିକା ଦୀପାଳି ଦାସ ତଦନ୍ତ ଦାବି କରି ନଥିଲେ ତାହା ଭିନ୍ନ କଥା। କିନ୍ତୁ ଦୀପାଳି ତଦନ୍ତ ଦାବି କରିବା ପରେ ତାଙ୍କ ଉପରେ ଚାପ ସୃଷ୍ଟି କରାଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଜିଲ୍ଲା ବିଜେଡିରେ ଏହି ପ୍ରସଙ୍ଗକୁ ନେଇ ବର୍ତ୍ତମାନ ନାନା ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଗଲାଣି। ହଠାତ୍‌ ଜିଲ୍ଲା କଂଗ୍ରେସର ବିଜେଡି ନେତ୍ରୀଙ୍କ ପ୍ରତି ଏଭଳି ମନୋଭାବ କିଛି ଭିନ୍ନ ଦୃଷ୍ଟିକୋଣକୁ ଦର୍ଶାଉଥିବା ରାଜନୈତିକ ବିଶ୍ଲେଷକମାନେ ଆକଳନ କଲେଣି। ସ୍ବର୍ଗତ ନବ ଦାସ ଛାତ୍ର ଜୀବନରୁ କଂଗ୍ରେସ ସହ ଜଡ଼ିତ ଥିଲେ। ସ୍ବର୍ଗତ ଦାସ ଲଗାତାର ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ପ୍ରଥମ ୨ଟି ନିର୍ବାଚନ ସେ କଂଗ୍ରେସ ଟିକେଟରୁ ହିଁ ଲଢ଼ିବା ପରେ ୨୦୧୯ ନିର୍ବାଚନ ବିଜେଡିରୁ ଲଢ଼ିଥିଲେ। ୨୦୨୩ ଉପ ନିର୍ବାଚନ ବେଳେ ଝାରସୁଗୁଡ଼ାକୁ ପ୍ରଚାର ପାଇଁ ଆସିଥିବା କଂଗ୍ରେସର ରାଜ୍ୟ‌ ନେତୃବୃନ୍ଦ ନବ ଦାସ କଂଗ୍ରେସ ଛାଡ଼ିବା ପରେ ଜିଲ୍ଲାରେ କଂଗ୍ରେସ ଦୁର୍ବଳ ହୋଇଯାଇଥିବା କହିଥିଲେ। ଗତ ସାଧାରଣ ନିର୍ବାଚନରେ ଜିଲ୍ଲାର ଉଭୟ ଆସନରେ ବିଜେଡି ପରାଜିତ ହେବା ସହ ରାଜ୍ୟରେ ବି ସରକାର ବଦଳି ଯାଇଛି। ଏଭଳି ସ୍ଥିତିରେ ଜିଲ୍ଲା ବିଜେପିକୁ ଚେକ୍‌ ଦେବା ଲାଗି କଂଗ୍ରେସ ଓ ବିଜେଡି ସନ୍ଧି କରିବାକୁ ଯାଉଛନ୍ତି, ନଚେତ୍‌ ଦାସ ପରିବାର ପୁଣିଥରେ କଂଗ୍ରେସମୁହାଁ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ଦାସ ପରିବାର କଂଗ୍ରେସମୁହାଁ ହୁଅନ୍ତି ତେବେ ଝାରସୁଗୁଡ଼ା ରାଜନୀତି କଡ଼ ଲେଉଟାଇବାକୁ ସମୟ ଲାଗିବନି।