କିଡ୍‌ନି ରୋଗ ପାଇଁ ଗାଁ ଛାଡ଼ିବେ: ୨ ମୃତ୍ୟୁ ପରେ କରାବିରାଖୋଲରେ ପହଞ୍ଚିଲା ପ୍ରଶାସନ

ଅନୁଗୁଳ/ବନ୍ତଳା: ‘ପିଇବାକୁ ଭଲ ପାଣି ମୁନ୍ଦେ ମିଳୁନି। ଭତ୍ତା ପାଇଁ ଯିବାକୁ ପଡ଼ୁଛି ୨୦ କିମି। ସରକାରୀ ସୁବିଧା ସୁଯୋଗ ଦୂରେ ଥାଉ, ମୌଳିକ ସୁବିଧା ଟିକେ ବି ଏଠି ପାଉନୁ। ତେଣୁ ଗାଁକୁ ଉଠାଇ ଅନ୍ୟତ୍ର ଥଇଥାନ କର।’ ପ୍ରଶାସନିକ ଅଧିକାରୀଙ୍କୁ ପାଖରେ ପାଇ ଆଜି ଏମିତି ଗୁହାରି କରିଛନ୍ତି ଅନୁଗୁଳ ବ୍ଲକ୍‌ କରାବିରାଖୋଲର ଗ୍ରାମବାସୀ। କିଡ୍‌ନି ରୋଗରେ ଏହି ଗାଁରୁ ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି। ଗାଁ ମଣିଷଶୂନ୍ୟ ହେବା ଆଗରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି ଗ୍ରାମବାସୀ। ଏପଟେ ପ୍ରଶାସନ ଲୋକଙ୍କ କଥା ଶୁଣିବ‌ା ସହ କିଡ୍‌ନି ରୋଗର କାରଣ ଖୋଜିବା ଉପରେ ଗୁରୁତ୍ବ ଦେଇଛି। ଲୋକମାନଙ୍କଠାରୁ ଆଜି ରକ୍ତ ନମୁନା ସଂଗ୍ରହ କରାଯାଇଛି। ଆଗକୁ ଗାଁରେ ନିୟମିତ ସ୍ବାସ୍ଥ୍ୟ ଶିବିର କରିବାକୁ ମଧ୍ୟ ନିଷ୍ପତ୍ତି ‌ହୋଇଛି।

ଅନୁଗୁଳ ଜିଲ୍ଲା ସଦର ବ୍ଲକ୍‌ ବଡ଼କନ୍ତକୁଳ ପଞ୍ଚାୟତ କରାବିରାଖୋଲ ଗ୍ରାମରେ ଦୀର୍ଘଦିନ ଧରି କିଡ୍‌ନି ରୋଗ ଗ୍ରାମବାସୀଙ୍କୁ ଆତଙ୍କିତ କରି ରଖିଛି। ବଣ ପାହାଡ଼ ଘେରା ଏହି ଦୁର୍ଗମ ଗାଁରେ ପାନୀୟ ଜଳର ଉପଯୁକ୍ତ ବ୍ୟବସ୍ଥା ନାହିଁ। ଲୋକମାନେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଗତ ୩ ବର୍ଷରେ କିଡ୍‌ନି ଜନିତ ରୋଗରେ ଗାଁରୁ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏଇ ୧୦ ଦିନ ଭିତରେ ୨ ଜଣ ଏହି ରୋଗରେ ପ୍ରାଣ ହରାଇବା ପରେ ଗ୍ରାମବାସୀ ଗାଁ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଗାଁ ଛାଡ଼ି ଅନ୍ୟତ୍ର ରହିବାକୁ ଗତକାଲି ଗାଁ ବୈଠକରେ ନିଷ୍ପତ୍ତି ହେବାପ‌ରେ ଆଜି ଗାଁରେ ପହଞ୍ଚିଥିଲା ପ୍ରଶାସନ। ଉପଜିଲ୍ଲାପାଳ ବଇତୁରା ଦୀପଙ୍କ ସମେତ ବ୍ଲକ୍‌, ପାନୀୟ ଜଳଯୋଗାଣ ଓ ଡାକ୍ତରୀ ଟିମ୍‌ ମଧ୍ୟ ଗାଁରେ ପହଞ୍ଚିଥିଲେ। ସେମାନେ ଗ୍ରାମବାସୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ତେବେ ଲୋକମାନେ ସେମାନଙ୍କ ଅଭାବ, ଅସୁବିଧା ଅଧିକାରୀଙ୍କୁ ଜଣାଇବା ସହ ଗାଁ ସ୍ଥାନାନ୍ତର ପାଇଁ ଦାବି କରିଥିଲେ। ପ୍ରଶାସନିକ ଅଧିକାରୀମାନେ ସବୁ ଶୁଣିବା ପରେ ଏ ଦିଗରେ ବିଚାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତେ‌ବେ ଲୋକମାନଙ୍କୁ କାହିଁକି କିଡ୍‌ନି ରୋଗ ହେଉଛି ତା କାରଣ ଖୋଜିବା ଉପରେ ପ୍ରଶାସନ ଅଧିକ ଗୁରୁତ୍ବ ଦେଇଛି।

ସମ୍ବନ୍ଧିତ ଖବର