ଜୁନ ୧ ରୁ ଅନଲକ୍ ହେବ ନା କଟକଣା ଅବଧି ବଢ଼ିବ?

କ'ଣ କହୁଛନ୍ତି ବିଶେଷଜ୍ଞ ?

ଭୁବନେଶ୍ବର : ଆସନ୍ତା ଜୁନ ପହିଲାରେ ରାଜ୍ୟରେ ଜାରି ରହିଥିବା ଲକଡାଉନର ଅବଧି ଶେଷ ହେଉଛି । ଏହା ପରେ ସରକାର ପୁଣି ଥରେ ଲକଡାଉନ ଅବଧିକୁ ବଢେଇବେ କିମ୍ବା ଅନଲକ୍ ଆରମ୍ଭ କରିବେ ତାହାକୁ ନେଇ ସବୁଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି ।

ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ ହାର । କିଛି ଦିନ ହେଲା ଏକ ନିର୍ଦ୍ଦିଷ୍ଟ ସ୍ତରରେ ରହିଛି ସଂକ୍ରମଣ । କିଛି ଦିନ ତଳେ ୨୫ ପ୍ରତିଶତ ଉପରକୁ ଉଠି ଯାଇଥିଲା ଟେଷ୍ଟ ପଜିଟିଭିଟି ରେଟ୍ । ତେବେ ଗତ ୫ ଦିନର ସଂକ୍ରମଣ ହାର ଉପରେ ନଜର ପକାନ୍ତୁ । ଯାହାକି ସୂଚାଉଛି, ରାଜ୍ୟରେ କରୋନା ଶୀର୍ଷ ଛୁଇଁ ତଳକୁ ଖସୁଛି ।

ମେ’ ୨୪ ତାରିଖରେ ସଂକ୍ରମଣ ହାର ଥିଲା ୧୭.୫୬ ପ୍ରତିଶତ । ତେବେ ଗତ ୨୪ ଘଂଟା ଭିତରେ ୪୮ହଜାର ୬୪୯ କରୋନା ପରୀକ୍ଷା କରାଯାଇଥିବା ବେଳେ ୭ ହଜାର ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୧୪.୭୭ ପ୍ରତିଶତ । ବିଶେଷଜ୍ଞଙ୍କ ମତରେ ଏହା ଇଙ୍ଗିତ କରୁଛି ସଂକ୍ରମଣ ଗ୍ରାଫ୍ ତଳମୁହାଁ ହେଉଛି । ଠିକ୍ ସମୟରେ ଲକ୍ଡାଉନ କରାଯାଇଥିବାରୁ ରାଜ୍ୟରେ ଦୈନିକ ସଂକ୍ରମଣ ଗ୍ରାଫ୍ ଅତି ଉପରକୁ ଉଠିଲା ନାହିଁ, ଏହା ପ୍ଲାଟୋ ସ୍ତରରେ ରହିଗଲା ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର ।

ପଜିଟିଭିଟି ରେଟ୍ ୫ ପ୍ରତିଶତ ନକମିବା ପର୍ଯ୍ୟନ୍ତ କଟକଣା କୋହଳ ନକରିବାକୁ ପରାମର୍ଶ ଦେଇଆସିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେଣୁ ଲକଡାଉନକୁ ବଢ଼ାଇବେ ନା’ ରାଜ୍ୟ ସରକାର ଧୀରେ ଧୀରେ ଅନ୍ଲକ୍ କରିବା ପ୍ରକ୍ରିୟା ଆରମ୍ଭ କରିବେ, ଏହା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ସୁସ୍ଥ ହାର । ଦେଶରେ ୨୪ ଘଂଟାରେ ୧ ଲକ୍ଷ ୭୩ ହଜାର ୭୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨ଲକ୍ଷ ୮୪ ହଜାର ୬୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୩ହଜାର ୬୧୭ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି ।

ସମ୍ବନ୍ଧିତ ଖବର