ବରଗଡ଼ : ଡେବ୍ରିଗଡ଼ରେ ଦ୍ବିତୀୟଥର ପାଇଁ ମହାବଳ ବାଘ ଚିହ୍ନଟ ହେବା ପରିବେଶ ଏବଂ ଜୀବଜନ୍ତୁପ୍ରେମୀଙ୍କୁ ଖୁସି ଦେଇଛି। ହେଲେ, ମହାବଳ ବାଘର ସୁରକ୍ଷା ପାଇଁ ବି ସମସ୍ତେ ଚିନ୍ତିତ। କାରଣ ପୂର୍ବରୁ ଡେବ୍ରିଗଡ଼ରେ ଚିହ୍ନଟ ହୋଇଥିବା ମହାବଳ ବାଘକୁ ହତ୍ୟା କରାଯାଇଥିଲା। ମହାବଳ ବାଘକୁ ଶିକାର ପ‌ରେ ବି ଡେବ୍ରିଗଡ଼ରେ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଏଯାଏ କିଛି ଠୋସ୍ ବ୍ୟବସ୍ଥା ବି କରାଯାଇନାହିଁ। ଫଳରେ, ଏହି ମହାବଳକୁ ସୁରକ୍ଷା ମିଳିବ କି ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରିଛି।

Advertisment

୧୯୮୫ ମସିହାରେ ଡେବ୍ରିଗଡ଼କୁ ଅଭୟାରଣ୍ୟ ମାନ୍ୟତା ମିଳିଥିଲା। ଡେବ୍ରିଗଡ଼ ଅଭୟାରଣ୍ୟ ୩୫୩.୮୧ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ନିକଟସ୍ଥ ଦେଚୁଆଁ ସଂରକ୍ଷିତ ଜଙ୍ଗଲର ୭୦.୮୮ ବର୍ଗ କିଲୋମିଟର ଏବଂ ୭୮ ବର୍ଗ କିଲୋମିଟରର ଜଙ୍ଗଲକୁ ମିଶାଇ ମୋଟ ୫୦୩.୨୧ ବର୍ଗ କିଲୋମିଟରରେ ବ୍ୟାଘ୍ର ଅଭୟାରଣ୍ୟ କରିବାକୁ ପ୍ରସ୍ତାବ ରହିଛି। ଅଭୟାରଣ୍ୟ ଭିତରେ ବାସକରୁଥିବା ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। କିନ୍ତୁ, ଏଠାରେ ସୁରକ୍ଷା ବ୍ୟବସ୍ଥା ଆଖିଦୃଶିଆ ହୋଇନାହିଁ। ବିଭାଗୀୟ ସୂତ୍ର ଅନୁସାରେ, ପୂର୍ବରୁ ୪୫ଟି ସ୍କ୍ବାଡ୍‌ ଅଭୟାରଣ୍ୟର ସୁରକ୍ଷା ଦାୟିତ୍ବରେ ନିୟୋଜିତ ଥିଲେ। ଏବେ ଏହି ସଂଖ୍ୟା ଖସି ୩୩ରେ ପହଞ୍ଚିଛି । ଜାତୀୟ ବ୍ୟାଘ୍ର ସୁରକ୍ଷା କର୍ତ୍ତୃପକ୍ଷ ଟଙ୍କା ଦେଉନଥିବାରୁ କର୍ମଚାରୀ ନିଯୁକ୍ତ ହେଉନଥିବା ଜଣାପଡ଼ିଛି। ଫଳରେ, ମାଫିଆମାନେ ଅବାଧରେ ଜନ୍ତୁ ଶିକାର ଚଳାଇଛନ୍ତି। ଜନ୍ତୁ ଶିକାର ପରେ ସେମାନେ ମୂଲ୍ୟବାନ ଅଙ୍ଗପ୍ରତ୍ୟଙ୍ଗକୁ ଗଚ୍ଛିତ ରଖୁଛନ୍ତି। ସୁବିଧାସୁଯୋଗ ଦେଖି ଏଗୁଡ଼ିକୁ ବାହାର ରାଜ୍ୟକୁ ଚାଲାଣ କରାଯାଉଛି। ଏଥିପାଇଁ ଛତିଶଗଡ଼ୀ ମାଫିଆଙ୍କୁ ସ୍ଥାନୀୟ କିଛି ଶିକାରୀ ସହାୟତା କରୁଥିବା ଦେଖିବାକୁ ମିଳିଛି।

publive-image

ସେହିପରି, ସୀମା ବିବାଦ ବି ସୁରକ୍ଷା ବ୍ୟବସ୍ଥାରେ ବାଧକ ସାଜିଛି। ଏହି ବିବାଦ ଯୋଗୁଁ ବନବାସୀ ଏବଂ ବନ ବିଭାଗ ଅଧିକାରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି, ବିଭିନ୍ନ କ୍ଷତିପୂରଣକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଡେବ୍ରିଗଡ଼ ଅଭୟାରଣ୍ୟର ୯୦ ପ୍ରତିଶତ ଭାଗ ବରଗଡ଼ ଜିଲ୍ଲାରେ ଥିଲେ ହେଁ ଏହାର ଡିଭିଜନ ଅଫିସ୍‌ ସମ୍ବଲପୁର ବନବିଭାଗ ନିୟନ୍ତ୍ରଣରେ ରହୁଛି। ବିଭିନ୍ନ ସମୟରେ ଉଭୟ ବରଗଡ଼ ଏବଂ ସମ୍ବଲପୁର ଜିଲ୍ଲା ମଧ୍ୟରେ ବିବାଦ ଲାଗି ରହୁଛି। ତେଣୁ ସାଧାରଣ ଯୁକ୍ତି ଅନୁସାରେ, ବରଗଡ଼ ଜିଲ୍ଲାରେ ହିଁ ଡିଭିଜନ୍‌ ଅଫିସ୍‌ ହେବା କଥା। ବର୍ତ୍ତମାନ ଡେବ୍ରିଗଡ଼ ଅଭୟାରଣ୍ୟରେ ତିନୋଟି ରେଞ୍ଜ୍‌ କାମ କରୁଛି। ହୀରାକୁଦ ରେଞ୍ଜ୍‌ , କମଗାଁ ରେଞ୍ଜ୍‌ ଏବଂ ଲଖନପୁର ରେଞ୍ଜ୍‌ । ଜିରୋ ପଏଣ୍ଟରୁ ଚଉରାଶୀମାଲ୍‌ ଯାଏ ହୀରାକୁଦ ରେଞ୍ଜ୍‌ ଅଧୀନରେ ରହିଛି। ଯାହା ସମ୍ବଲପୁର ଜିଲ୍ଲା ଅନ୍ତର୍ଭୁକ୍ତ। ଏହି ରେଞ୍ଜ୍‌ ବିଶେଷକରି ଜଳଭଣ୍ଡାର ସଂଲଗ୍ନ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଉଦ୍ଦିଷ୍ଟ। କିନ୍ତୁ, ଡେବ୍ରିଗଡ଼ ଅଭୟାରଣ୍ୟର ଅନ୍ୟ ସମସ୍ତ ଭାଗ ବରଗଡ଼ ଜିଲ୍ଲାରେ ଯାଉଛି। ଡିଭିଜନ୍‌ ଅଫିସ୍‌ ସମ୍ବଲପୁର‌ରେ ଥିବାରୁ ଗୁଡ଼ିଏ ସମସ୍ୟା ଉପୁଜୁଥିବା କୁହାଯାଉଛି।
ଏସୁବୁକୁ ଦୃଷ୍ଟିକୁ ଆଣିଲେ ମହାବଳ ସୁରକ୍ଷା ନେଇ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।