ଅନୁଗୁଳ : ପ୍ରାୟ ମାସକ ତଳେ ଅନୁଗୁଳ ଆସିଥିଲା ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ଟିମ୍‌। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ବିକୃତି ଘଟଣାର ତନାଘନା କରି ଫେରିଥିଲା। ରାଜ୍ୟର ପୂଜ୍ୟପୂଜ୍ୟା, ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଅପମାନକୁ କଦାପି ବରଦାସ୍ତ କରାଯବ ନାହିଁ। ସେମାନଙ୍କ ପ୍ରତିମୂର୍ତ୍ତିକୁ ସସମ୍ମାନେ ସ୍ଥାନିତ କରାଯିବ ବୋଲି ଟିମ୍‌ କେବଳ ପ୍ରତିଶ୍ରୁତି ଦେଲା ନାହିଁ, ବରଂ ଟିମ୍‌ ଫେରିଯିବାର କେଇଟା ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନଠାରୁ ନବକୃଷ୍ଣ ଚୌଧୁରୀ(ବାପି) ଓ ମାଳତୀ ଦେବୀ(ନୁମା)ଙ୍କର ଫଟୋ ମଗାଇଥିଲା। ସରକାର ଉଭୟ ସ୍ବାଧୀନତା ସଂଗ୍ରାମୀଙ୍କର ବ୍ରୋଞ୍ଜ୍‌ ପ୍ରତିମୂର୍ତ୍ତି କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ, ଫଟୋ ପଠାଇବାକୁ ଅନୁରୋଧ କରିଥିଲା। ଫଟୋ ନେଲା ପରେ ୧୦ଲକ୍ଷ ଟଙ୍କା ବ୍ୟୟରେ ନବକୃଷ୍ଣ ଚୌଧୁରୀଙ୍କର ପ୍ରତିମୂର୍ତ୍ତି କରିବାକୁ ସରକାର କାର୍ଯ୍ୟାଦେଶ ଦେଇଛନ୍ତି। କିନ୍ତୁ, ମାଳତୀ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ନେଇ କୌଣସି ସ୍ପଷ୍ଟ ସୂଚନା ‌ନାହିଁ।

Advertisment

ସରକାର ଉଭୟ ନୁମା ଓ ବାପିଙ୍କର ବ୍ରୋଞ୍ଜ୍‌ ପ୍ରତିମୂର୍ତ୍ତି କରାଇବାକୁ ଘୋଷଣା କରିଥିଲେ। କିନ୍ତୁ, ସରକାର କେବଳ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି କାହିଁକି କରାଉଛନ୍ତି ତାହାକୁ ନେଇ ନବ-ମାଳତୀପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଖେଳାଇଛି। କେବଳ ସେତିକି ନୁହେଁ, ଗୋପବନ୍ଧୁ ପାର୍କରେ ସମୁଦାୟ ୧୧ଜଣ ସ୍ବାଧୀନତା ସଂଗ୍ରାମୀଙ୍କର ପ୍ରତିମୂର୍ତ୍ତି ସ୍ଥାନିତ କରାଯାଇଥିଲା। ରାଜ୍ୟ ସଂସ୍କୃତି ବିଭାଗ ନବବାବୁ ଏବଂ ମାଳତୀ ଦେବୀଙ୍କ ଦାୟିତ୍ବ ମୁଣ୍ଡାଇଥିବା ବେଳେ ଅନ୍ୟ ୯ଜଣ ସ୍ବାଧୀନତା ସଂଗ୍ରାମୀଙ୍କ କଥା କିଏ ବୁଝିବ? ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ସୂଚନା ମୁତାବକ, ଏପ୍ରିଲ୍‌ ମାସ ୧ତାରିଖରୁ ପ୍ରତିମୂର୍ତ୍ତି ବିକୃତି ବିବାଦର ସୂତ୍ରପାତ ହୋଇଥିଲା। ଅନୁଗୁଳ ପୌରପାଳିକା ଉତ୍କଳ ଦିବସ ଉପଲକ୍ଷେ ଗୋପବନ୍ଧୁ ପାର୍କରେ ମୋଟ୍ ୧୧ଜଣ ସ୍ବାଧୀନତା ସଂଗ୍ରାମୀଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିଥିଲା। ତନ୍ମଧ୍ୟରେ ରହିଥିଲେ ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀ। ମୂର୍ତ୍ତି ତିଆରି ବେଳେ ଅନୁଗୁଳ ପୌରପାଳିକା ନିଜର ଚରମ ଅବହେଳା ଦେଖାଇଥିଲା। ଗାନ୍ଧୀବାଦକୁ ନିଜର ଜୀବନ ଆଦର୍ଶ କରି ନେଇଥିବା ନବବାବୁଙ୍କୁ ପୌରପାଳିକା ପିନ୍ଧାଇ ଦେଇଥିଲା ବେକଚିପା ଫୁଲ୍ ସାର୍ଟ, ଫୁଲ୍‌ ପ୍ୟାଣ୍ଟ୍ ସହିତ ବୁଟ୍। ସମାନ ବିକୃତି କରିଥିଲା ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କ କ୍ଷେତ୍ରରେ। କେବଳ ଏହି ଦୁଇ ମହାପୁରୁଷଙ୍କ ନୁହେଁ, ତା ସହିତ ଅନ୍ୟ ସ୍ବାଧୀନତା ସଂଗ୍ରାମୀଙ୍କର ନାଁ ବି ଭୁଲ୍‌ କରିଥିଲା। ଯାହାକୁ ନେଇ ଅନୁଗୁଳଠାରୁ ଆରମ୍ଭ କରି ରାଜଧାନୀ ଯାଏ ଉଠିଥିଲା ପ୍ରତିବାଦର ସ୍ବର। ପୌରପାଳିକାର ଭୁଲ୍ ପାଇଁ ସରକାରଙ୍କୁ ବି ସମାଲୋଚିତ ହେବାକୁ ପଡ଼ିଥିଲା।