ରାୟଗଡ଼ା: ମହିଳା ସଶକ୍ତୀକରଣକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ମିସନ ଶକ୍ତିର ସଦସ୍ୟାମାନଙ୍କ ପାଇଁ ଗତ ଜୁଲାଇ ମାସରେ ମୋ ସ୍କୁଟି ଯୋଜନା ପ୍ରଣୟନ କରି ରାଜ୍ୟର ୭୫ ହଜାର ସ୍ବୟଂ ସହାୟକ ଗୋଷ୍ଠୀର କମ୍ୟୁନିଟି ସପର୍ଟ ଷ୍ଟାଫ ଏବଂ ୧ ଲକ୍ଷ ୨୫ ହଜାର ସ୍ବୟଂ ସହାୟକ ଗୋଷ୍ଠୀର ଫେଡେରେସନ ଲିଡରମାନଙ୍କୁ କ୍ସୁଟି ବାବଦକୁ ଏକ ଲକ୍ଷ ଟଂକାର ଋଣ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ଏହି ଯୋଜନା ପ୍ରଣୟନ ପରେ ଜିଲ୍ଲାୱାରି ଟାର୍ଗେଟ ଦିଆଯାଇଥିଲା। ଏ ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲାରେ ମୋଟ ୫୩୬୩ ଟାର୍ଗେଟ ରହିଛି। କିନ୍ତୁ ଏହି ଯୋଜନା ଉଦଘାଟନ ହେବାକୁ ଆଉ କିଛି ଦିନ ଥିବା ବେଳେ ଜିଲ୍ଲାରେ ମାତ୍ର ୨୨ ପ୍ରତିଶତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆବେଦନ କରିଥିବା ଜଣାପଡିଛି। ପୁଣି ଆବେଦନ କରିଥିବା ସଦସ୍ୟାମାନଙ୍କ ମଧ୍ୟରୁ ବହୁ ସଦସ୍ୟା ଏହି ଯୋଜନାରୁ ବଂଚିତ ମଧ୍ୟ ହୋଇପାରନ୍ତି।କାରଣ ଆବେଦନ ପାଇଁ ଯେଉଁ ସବୁ ପ୍ରମାଣ ପତ୍ର ଦରକାର ସେସବୁ ଯୋଗାଡ କରିବାରେ ବହୁ ମହିଳା ସଦସ୍ୟା ବିଫଳ ହୋଇଥିବା ଜଣାପଡିଛି।

Advertisment

ମିସନ ଶକ୍ତି ସ୍କୁଟି ଯୋଜନାରେ କେବଳ ଗ୍ରାମପଞ୍ଚାୟତସ୍ତରରେ ଥିବା ଫେଡେରେସନର ସଦସ୍ୟାମାନେ, ବ୍ଲକସ୍ତରରେ ଥିବା ଫେଡେରେସନର ସଦସ୍ୟାମାନେ, ୧୧ଟି ବ୍ଲକର ଫେଡେରେସନର ସଭାପତି, ସଂପାଦକ, ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର, ବିସିଏ ପ୍ରମୁଖ ଆବେଦନ କରିପାରିବେ। ଯେହେତୁ ମୁଖ୍ୟମନ୍ତ୍ରୀ ଏହି ଯୋଜନା ଉଦଘାଟନ କରିନାହାନ୍ତି। ତେଣୁ ମିସନ ଶକ୍ତି ବିଭାଗ ତରଫରୁ ଏହାର ସବିଶେଷ ବିବରଣୀ ପ୍ରଦାନ କରିବାକୁ କୁଣ୍ଠାବୋଧ କରୁଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେମାନେ କୌଣସି ରିପୋର୍ଟ ଦେବାକୁ ଏକ ପ୍ରକାର ମନା କରିଦେଇଥିଲେ। ଜିଲ୍ଲାରେ କିନ୍ତୁ ଟାର୍ଗେଟ ପୂରଣ କରିବାରେ ଅସଫଳ ଥିବା ସ୍ବୀକାର କରିଛନ୍ତି।

ତେବେ ଜିଲ୍ଲାରେ ମାତ୍ର ୧୨୩୨ ଜଣ ସ୍ବୟଂ ସହାୟକ ଗୋଷ୍ଠୀ ଫେଡେରେସନ ଓ କମ୍ୟୁନିଟି ସପର୍ଟ ଷ୍ଠାଫର ସଦସ୍ୟାମାନେ ଆବେଦନ କରିଛନ୍ତି। ତେବେ କାଗଜପତ୍ର ଯାଞ୍ଚ ପରେ ସ୍କୁଟି ଯୋଜନାରେ ଜିଲ୍ଲାର ୧୦୦୦ରୁ ଆହୁରି ତଳକୁ ଖସିଯିବ ବୋଲି ଜଣାପଡିଛି। ଯଦି ବ୍ଲକଗୁଡିକର ଟାର୍ଗେଟ ଦେଖିବା ବିଷମକଟକ ବ୍ଲକକୁ ୭୬୧ ଟାର୍ଗେଟ ରହିଥିବା ବେଳେ ଚନ୍ଦ୍ରପୁର ବ୍ଲକରେ ୩୧୧, ଗୁଡାରି ବ୍ଲକରେ ୩୪୨, ଗୁଣୁପୁର ବ୍ଲକରେ ୪୫୮, କଲ୍ୟାଣସିଂହପୁର ବ୍ଲକରେ ୩୮୦, କାଶୀପୁର ବ୍ଲକରେ ୭୯୧, କୋଲନରା ବ୍ଲକରେ ୬୬୦, ମୁନିଗୁଡା ବ୍ଲକରେ ୪୨୨, ପଦ୍ମପୁର ବ୍ଲକରେ ୨୯୯, ରାମନାଗୁଡା ବ୍ଲକରେ ୩୩୩, ରାୟଗଡା ବ୍ଲକରେ ୬୦୬ ଟାର୍ଗେଟ ରହିଛି।

ବହୁ ମହିଳା ସଦସ୍ୟା ପୂର୍ବରୁ ବ୍ୟାଙ୍କ ଋଣ କରିଥିବାରୁ ହୁଏତ ସେମାନଙ୍କୁ ଏନଓସି ମିଳୁନଥିବାରୁ ଏହି ଯୋଜନାରେ ସେମାନେ ସାମିଲ ହୋଇପାରୁନାହାନ୍ତି। ସବୁ ବ୍ଲକର ସ୍ଥିତି ଅତି ଖରାପ ରହିଛି। ଜିଲ୍ଲାରେ ମିସନ ଶକ୍ତି ଏହି ଟାର୍ଗେଟକୁ ପୂରଣ କରିପାରୁନଥିବା ଦେଖିବାକୁ ମିଳିଛି। ସରକାରଙ୍କର ଏହି ଯୋଜନା ଜିଲ୍ଲାରେ ଏକ ପ୍ରକାର ସଫଳ ହୋଇପାରୁନଥିବା ଲକ୍ଷ୍ୟ କରାଯାଇଛି।