ଭୁବନେଶ୍ବର: ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରୁ ବିଧାନସଭା ଲଢ଼ିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୨୪ ନିର୍ବାଚନରେ ଯଦି ଏହି ଦୁଇ ହେଭିୱେଟ୍ ପୁରୀରୁ ନିର୍ବାଚନ ଲଢ଼ନ୍ତି ତାହାଲେ ଏହା ଦେଶରେ ସବୁଠାରୁ ରୋଚକ ନିର୍ବାଚନ ହେବ ବୋଲି କୁହାଯାଉଛି। ଏହାକୁ ନେଇ ରାଜ୍ୟର ୩ ପ୍ରମୁଖ ଦଳ ଭିତରେ ବୟାନବାଜି ଆରମ୍ଭ ହୋଇଛି। ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, ପୁରୀରେ ସେବକମାନଙ୍କ ଅଲଗା ମର୍ଯ୍ୟାଦା ରହିଛି। ଏହା ହେଉଛି ସେମାନଙ୍କ ମନର ପ୍ରତିଫଳନ। କିଏ ନିର୍ବାଚନ ଲଢ଼ିବ ତାହା ଅଲଗା କଥା, ହେଲେ ଏହା ପ୍ରମାଣିତ କରୁଛି ଯେ ନବୀନ ବାବୁଙ୍କୁ ପୁରୀବାସୀ କେତେ ଭଲ ପାଆନ୍ତି। ପୁରୀରୁ ନବୀନ ବାବୁଙ୍କୁ ଯେଉଁଭଳି ସମର୍ଥନ ମିଳିଛି ତାହା ହେଉଛି ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ବୋଲି ଶ୍ରୀ ବେହେରା କହିଛନ୍ତି।
ପୁରୀରୁ ଯେଉଁଭଳି ସମର୍ଥନ ମିଳିଛି ତାହା ଜଗନ୍ନାଥଙ୍କ ଆଶୀର୍ବାଦ: ଶଶୀଭୂଷଣ
ମୋଦୀ ପୁରୀରୁ ଲଢ଼ିବା ଆମର ସୌଭାଗ୍ୟ: ଅପରାଜିତା
ଲୋକଙ୍କ ସମସ୍ୟା ସହ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ଟିକେଟ୍ ଦିଆଯିବ: ଶରତ
ପୁରୀରୁ ପ୍ରାର୍ଥୀ ହେବା ପାଇଁ ସୋନିଆଙ୍କୁ ଅନୁରୋଧ କରିବୁ: ସୁର
ଅପରପକ୍ଷରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନିଅନ୍ତି ତାହାଲେ ଏହା ଆମର ସୌଭାଗ୍ୟ। ତା’ହାଲେ ଏହାକୁ ସାଢ଼େ ୪ କୋଟି ଓଡ଼ିଆ ସ୍ବାଗତ କରିବା କଥା। ହେଲେ ହିଞ୍ଜିଳିକାଟୁରେ କିଛି ସମସ୍ୟା ହୋଇଛି ନା ସେଠାର ଲୋକମାନେ ନବୀନ ବାବୁ ଆଉ ତାଙ୍କ ଅଞ୍ଚଳରୁ ଛିଡ଼ା ନ ହେବାକୁ ଚାହୁଁଛନ୍ତି କି ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି। କଂଗ୍ରେସ ପକ୍ଷରୁ ପୁରୀ କିଏ ନିର୍ବାଚନ ଲଢ଼ିବ ତାହା ଉପରେ ମତ ରଖିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି, ବିଜେପି ଓ ବିଜେଡିରୁ କେଉଁମାନେ ପୁରୀରୁ ଲଢ଼ିବେ ତାହା ଦୁଇ ଦଳର କଥା। ତାଙ୍କ ଦଳ ଏହି ନିଷ୍ପତ୍ତି ନେବ। ହେଲେ ପୁରୀ ସହରର ଲୋକଙ୍କ ସୁଖଦୁଃଖରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ହିଁ କଂଗ୍ରେସ ଟିକେଟ୍ ଦେବ। ଆମେ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ବିଚାର କରି ଟିକେଟ୍ ଦେବୁ। ଯେଉଁମାନେ ଲୋକଙ୍କ ସହ ଜଡ଼ିତ ରହି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ପ୍ରାଥମିକତା ଦିଆଯିବ। ଅନେକ ମହିଳା, ଯୁବକମାନେ କାମ କରିବାକୁ ଆଗ୍ରହୀ, ସେମାନେ ବି ନଜରରେ ରହିଛନ୍ତି। ସେହିପରି ଏନ୍ଜିଓ କ୍ଷେତ୍ରରୁ ପ୍ରାର୍ଥୀ ହେବା ପାଇଁ ମଧ୍ୟ ବହୁ ପ୍ରସ୍ତାବ ଆସୁଛି। ନଭେମ୍ବର ପ୍ରଥମ ସପ୍ତାହ ବେଳକୁ ଜିଲ୍ଲା ସଭାପତିମାନେ ପ୍ରାର୍ଥୀଙ୍କ ତାଲିକା ପଠାଇବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଅପରପକ୍ଷରେ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ପୁରୀ ଲୋକସଭା ପାଇଁ ସୋନିଆ ଗାନ୍ଧୀ ଭଲ ପ୍ରାର୍ଥୀ ହୋଇପାରିବେ। ସୋନିଆ ଯଦି ପୁରୀରେ ପ୍ରାର୍ଥୀ ହେବେ ତାହାଲେ ପ୍ରଧାନମନ୍ତ୍ରୀ ମୋଦୀ ଗୁଡ଼ି ଭଳି ଆକାଶରେ ଉଡ଼ିବେ ଓ ନବୀନ ବାବୁଙ୍କୁ ଖୋଜିଲେ ବି ମିଳିବେ ନାହିଁ। ପୁରୀବାସୀ ବିପୁଳ ସଂଖ୍ୟାରେ ହାତ ଚିହ୍ନରେ ଭୋଟ୍ ଦେଇ ତାଙ୍କୁ ବିଜୟୀ କରାଇବେ। ୯ ବିଧାୟକ, ପିସିସି ସଭାପତି ଓ ଅନ୍ୟ ନେତାମାନେ ଦିଲ୍ଲୀ ଯାଇ ପୁରୀରେ ପ୍ରାର୍ଥୀ ହେବା ପାଇଁ ନିମନ୍ତ୍ରଣ କରିବୁ। ଜଣେ ମହିଳାଭାବେ ୨୦ବର୍ଷ ହେବ ନିଃସ୍ବାର୍ଥପର ଭାବେ ଦଳକୁ ବଞ୍ଚାଇ ରଖିଛନ୍ତି। କଂଗ୍ରେସର ଏବେ ଚାରିଆଡ଼େ ହାୱା ଦେଖିବାକୁ ମିଳିଲାଣି ବୋଲି ଶ୍ରୀ ରାଉତରାୟ କହିଛନ୍ତି। ଉଲ୍ଲେଖ ଯେ ଗତକାଲି ପୁରୀର ବରିଷ୍ଠ ସେବାୟତ ତଥା ବିଜେଡି ନେତା ରାମକୃଷ୍ଣ ଦାସ ମହାପାତ୍ର କହିଥିଲେ ଯେ ବନାରସରେ ମୋଦୀ ପ୍ରାର୍ଥୀ ହେବା ପରେ ବନାରସର ବିକାଶ ହେଲା। ଠିକ୍ ସେମିତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ପୁରୀରୁ ନିର୍ବାଚନ ଲଢ଼ିବେ ତାହାଲେ ଶ୍ରୀକ୍ଷେତ୍ରର ବିକାଶ ହେବ। ରାମକୃଷ୍ଣଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଥିଲେ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ଶ୍ରୀ ଷଡ଼ଙ୍ଗୀ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀ ପୁରୀରେ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଶୁଣିଛି। ଯଦି ମୋଦୀ ଓ ନବୀନ ପୁରୀରୁ ନିର୍ବାଚନ ଲଢ଼ିବେ ତେବେ ପୁରୀର ଭାଗ୍ୟ ବଦଳିଯିବ।