ପାଣ୍ଡିଆନ୍‌ଙ୍କ ଗସ୍ତକୁ ବିରୋଧ କରିବୁ: କଂଗ୍ରେସ

ନୟାଗଡ଼ : ଆସନ୍ତା ୨୦ ଓ ୨୧ ତାରିଖ ୨ ଦିନିଆ ନୟାଗଡ଼ ଜିଲ୍ଲାଗସ୍ତରେ ଫାଇଭ୍‌ ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ ଆସୁଛନ୍ତି। ତାଙ୍କର ଏହି ଗସ୍ତକୁ କଂଗ୍ରେସ ବିରୋଧ କରିବ। ଆଜି ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର ଏହା ଘୋଷଣା କରିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି, ଫାଇଭ୍‌-ଟି ବୋଲି କୌଣସି ବିଭାଗ ନାହିଁ, ମନ୍ତ୍ରୀ ନାହାନ୍ତି। ତେଣୁ ସଚିବ ଆସିଲେ କୁଆଡ଼ୁ? ତେଣୁ ତାଙ୍କ ଗସ୍ତକୁ ବିରୋଧ କରାଯିବ। ପାଣ୍ଡିଆନ୍‌ ବିଜେଡି ପାଇଁ କାମ କରୁଛନ୍ତି। ଜଣେ ସରକାରୀ କର୍ମଚାରୀଙ୍କ ଏଭଳି ଆଚରଣ ନିନ୍ଦନୀୟ। ସେ ଯଦି ରାଜନୀତି ପାଇଁ ଆଗ୍ରହୀ, ତେବେ ଚାକିରିରୁ ଇସ୍ତଫା ଦେଇ ରାଜନୀତି କରନ୍ତୁ । ଅନ୍ୟତମ ପିସିସି ମୁଖପାତ୍ର ପୀତବାସ ପଣ୍ଡା କହିଛନ୍ତି, ପାଣ୍ଡିଆନ୍‌ କ୍ୟାବିନେଟ୍‌ ମଞ୍ଜୁରୀ ବିନା କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରୁଛନ୍ତି। ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡିର ଅନ୍ୟ ନେତା, ମନ୍ତ୍ରୀ କାହିଁକି ଲୋକଙ୍କ ପାଖକୁ ଯିବେ ନାହିଁ, ସେମାନେ କ’ଣ ଅଯୋଗ୍ୟ? ବିଜେଡି ନେତାମାନେ ପାଣ୍ଡିଆନ୍‌ଙ୍କ ସଭା ପାଇଁ ଲୋକ ସଂଗ୍ରହ କରୁଛନ୍ତି। ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ୍‌ ଦେଇଥିଲେ, ଜଣେ ସଚିବଙ୍କୁ ବିଜେଡି ସରକାର ସର୍ବେସର୍ବା ସଜାଇ ଗଣତନ୍ତ୍ରକୁ ହତ୍ୟା କରୁଛି। ସେହିପରି ବିଜେଡି- ବିଜେପିର ସଲାସୁତରା‌ ଚାଲିଛି ବୋଲି ପିସିସି ସମ୍ପାଦକ ହୁସେନ୍‌ ଖାଁ କହିଛନ୍ତି। କଂଗ୍ରେସ ଅଭିଯୋଗ କରିଛି ୨୦୧୯ ନିର୍ବାଚନ ବିଜୟର ୭ ଦିନ ମଧ୍ୟରେ ନୟାଗଡ଼ ଚିନିକଳ ଚଳାଇବାକୁ ବିଧାୟକ ଅରୁଣ ସାହୁ ପ୍ରତିଶ୍ରୁତି ‌ଦେଇ ଭୋଟ୍‌ ନେଇଥିଲେ। ହେଲେ ଇତିମଧ୍ୟରେ ୫ ବର୍ଷ ବିତିବାକୁ ଯାଉଛି, ଚିନିକଳ ଚାଲିଲାନି। ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ଚିନିକଳ ଉପରେ ନୟାଗଡ଼ ସମେତ ପୁରୀ ଓ ଅନ୍ୟାନ୍ୟ ଜିଲ୍ଲା ମଧ୍ୟ ନିର୍ଭର କରୁଥିଲେ। ବିଧାୟକ ଏନେଇ କାହିଁକି ନିରବ ‌ବୋଲି ଶ୍ରୀ ମିଶ୍ର ଓ କାର୍ଯ୍ୟକାରୀ ସଭାପତି କମଳ ସାହୁ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର