ନିର୍ବାଚନ ପାଣିପାଗକୁ ଓଲଟପାଲଟ କରିବ କି ପାଟକୁରା?

ମୁଖ୍ୟମନ୍ତ୍ରୀଙ୍କ ‘ପାଟକୁରା ମୋ ଦାୟିତ୍ବ’ ନାରା ହୋଇପାରେ ୨୦୨୪ର ମୁଖ୍ୟ ପ୍ରସଙ୍ଗ

ମାର୍ଶାଘାଇ: କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ନିର୍ବାଚନମଣ୍ଡଳୀ ସବୁବେଳେ ବିଭିନ୍ନ କାରଣରୁ ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ରହିଆସିଛି। ଅତୀତରେ ଏହି ନିର୍ବାଚନମଣ୍ତଳୀରୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଏକଦା ପରାଜୟ ବରଣ କରିଥିଲେ। ୧୯୮୦ ଉପନିର୍ବାଚନରେ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରଥମେ ଏହି ଆସନରୁ ବିଜୟୀ ହୋଇ ନିଜର ରାଜନୈତିକ ଜୟଯାତ୍ରା ଆରମ୍ଭ କରିଥିଲେ। ୨୦୦୦ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ନମିଳିବା ଯାଏ ସେ ବିଜୟୀ ହୋଇ ଆସୁଥିବା ବେଳେ ୨୦୦୦ ପରଠାରୁ ବିଜୟ ସେଠାରେ ୪ଟି ନିର୍ବାଚନ ଲଢି ପରାସ୍ତ ହୋଇଛନ୍ତି। ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ପରେ ୨୦୧୯ରେ ପାଟକୁରରେ ଏକ ଉପନିର୍ବାଚନ ହୋଇଥିବା ବେଳେ ସେଥିରେ ବିଜେଡିରୁ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ, ବିଜେପିରୁ ବିଜୟ ମହାପାତ୍ର ଓ କଂଗ୍ରେସରୁ ଜୟନ୍ତ ମହାନ୍ତି ପ୍ରାର୍ଥୀ ହୋଇଥିଲେ। କିନ୍ତୁ ସେଥିରେ କଡ଼ା ଟକ୍କର ସତ୍ତ୍ବେ ବିଜୟଙ୍କୁ ହାର ମାନିବାକୁ ପଡିଥିଲା। କିନ୍ତୁ ସେତେବେ​ଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରକୁ ଆସି ‘ପାଟକୁରା ମୋ ଦାୟିତ୍ବ’ ବୋଲି ଯାହା କହି ଯାଇଥିଲେ, ବାସ୍ତବିକ ତାହା କେତେ କାର୍ଯ୍ୟକାରୀ ହୋଇଛି, ତାହା ହିଁ ଆଗାମୀ ସାଧାରଣ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ହେବାକୁ ଯାଉଛି।

ବେଦପ୍ରକାଶଙ୍କ ପରେ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ବିଧାୟକ ହେବା ପରେ ଏବେ ସେ ତାଙ୍କ ପୁଅଙ୍କ ପାଇଁ ବାଟ ଛାଡିବାକୁ ଯାଉଛନ୍ତି। ‘ମୋ ପୁଅ (ସଂଜୟ ଅଗ୍ରୱାଲ) ଆପଣମାନଙ୍କୁ ଲାଗିଲା, ସେ ବାପାଙ୍କ ପରି ଆପଣମାନଙ୍କ ସେବା କରିବ’ ବୋଲି ବନ୍ଧକଟା ହାଟପଡ଼ିଆଠାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ସାବିତ୍ରୀଙ୍କ ବକ୍ତବ୍ୟକୁ ପାଟକୁରାବାସୀ ବାସ୍ତବରେ କିଭଳି ଗ୍ରହଣ କରିବେ, ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ। କିନ୍ତୁ ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ପୁଅ ସଂଜୟ ଅଗ୍ରୱାଲଙ୍କ ସହିତ ଝିଅ ମଧ଼ୁମିତା ଅଗ୍ରୱାଲ ବି ବିଜେଡି ଟିକେଟ ଆଶାୟୀ ଥିବା ବେଳେ ବିଜେଡି ନେତା ରବି ସାମଲ, ଅବସରପ୍ରାପ୍ତ ଅଧ୍ୟାପକ ଅଜୟ ରାଉତ, ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଉତ୍କଳକେଶରୀ ପରିଡ଼ା, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବଡ଼ଭାଇ ଶାନ୍ତନୁ କୁମାର ନାୟକ, ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ପ୍ରମୁଖ ବିଜେଡି ଟିକେଟ ଲବିରେ ଅଛନ୍ତି। ଅନ୍ୟପଟେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବି ଏଠି ବିଜେଡି ପ୍ରାର୍ଥୀ ଭାବେ ଉଭା ହୋଇପାରନ୍ତି ବୋଲି ଚର୍ଚ୍ଚା ଜାରି ରହିଛି। ଅନ୍ୟପଟେ ବିଜୟ ମହାପାତ୍ର ଏପର୍ଯ୍ୟନ୍ତ ନିଜ ସ୍ଥିତି ସ୍ପଷ୍ଟ କରି ନଥିବା ବେଳେ ସେ ପାଟକୁରାରୁ କି ମହାକାଳପଡ଼ାରୁ ଏଥର ନିର୍ବାଚନ ଲଢ଼ିବେ, ନା ଏହି ଦୁଇଟି ଆସନ ଭିତରୁ କୌଣସି ଗୋଟିକରେ ତାଙ୍କ ପୁଅଙ୍କୁ ଓହ୍ଲାଇବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଅତନୁ ସବ୍ୟସାଚୀ ନାୟକ ​ଏବେ ମହାକାଳପଡ଼ାରୁ ବିଧାୟକ ଅଛନ୍ତି। ତେଣୁ ପରିବର୍ତ୍ତିତ ସ୍ଥିତି ଓ ରାଜନୈତିକ ବୁଝାମଣାରେ ସେ ବି ହୁଏତ ମହାକାଳପଡ଼ାରୁ ପାଟକୁରା ଆସିବା ନେଇ ଚର୍ଚ୍ଚା ହେଉଛି।

ଅନ୍ୟପଟେ ପାଟକୁରାରୁ ବିଜେପି ଟିକେଟ ଲବିରେ ତେଜେଶ୍ବର ପରିଡ଼ା, ମାନସ ରଂଜନ ମହାନ୍ତି, ଉମାକାନ୍ତ ପଟ୍ଟନାୟକଙ୍କ ଭଳି ନେତା ରହିଛନ୍ତି। କିନ୍ତୁ ବିଜୟ ମହାପାତ୍ରଙ୍କୁ ନେଇ ସଂପୂର୍ଣ୍ଣ ରାଜନୈତିକ ଗଣିତ ଉଭୟ ବିଜେପି ଓ ବିଜେଡିରେ ଘୂରିବୁଲୁଛି। କଂଗ୍ରେସ ପ୍ରାର୍ଥୀ ଭାବେ ଜୟନ୍ତ ମହାନ୍ତିଙ୍କ ନାମ ରହିଥିବା ବେଳେ ପୂର୍ବତନ ବିଧାୟକ ଚିନ୍ମୟ ବେଉରା, ରତିକାନ୍ତ କାନୁନଗୋଙ୍କ ​ଭଳି ନେତାଙ୍କ ନାମ ସମ୍ଭାବ୍ୟ ତାଲିକାରେ ରହିଛି। କିନ୍ତୁ ଚକିତ କଲାଭଳି ନିର୍ବାଚନ ଫଳାଫଳ ଦେଇ ଆସିଥିବା ପାଟକୁରା ୨୦୨୪ରେ ବି ରାଜନୈତିକ ପାଣିପାଗକୁ ଓଲଟପାଲଟ କରିଦେବା କିଛି ଅସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର