ବିଜେଡି ଗୋଷ୍ଠୀକନ୍ଦଳର ଫାଇଦା ନେବ କି ‘ପ୍ରଦୀପ ସେନା’? ସଂଗଠନ ଗଠନ ପରେ ରାଜନୈତିକ ବାତାବରଣ ସରଗରମ

ଗୋଳନ୍ଥରା : ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ ଗତ ୨ରୁ ୩ ମାସ ହେଲା ନିର୍ବାଚନମଣ୍ଡଳୀରେ ନିଜ ସଂଗଠନକୁ ସକ୍ରିୟ କରିବା ସହ ବିଭିନ୍ନ ଗ୍ରାମରେ ଜନସଂପର୍କ ପଦଯାତ୍ରା ଅଭିଯାନ ଆରମ୍ଭ କରିଛନ୍ତି। ଆଉ ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନକୁ ଆହୁରି ସୁଦୃଢ଼ କରିବା ଲାଗି ବିଧାୟକଙ୍କ ସମର୍ଥକମାନେ ‘ପ୍ରଦୀପ ସେନା’ ନାମରେ ଏକ ସଂଗଠନ ଗଠନ କରିଛନ୍ତି। ଯାହାକୁ ନେଇ ଗୋପାଳପୁର ନିର୍ବାଚନମଣ୍ଡଳୀ ରାଜନୈତିକ ପାଣିପାଗ ବେଶ୍ ସରଗରମ ହୋଇ ଉଠିଛି। କେବଳ ଏତିକି ନୁହେଁ, ବର୍ତ୍ତମାନ ଏହି ନିର୍ବାଚନମଣ୍ଡଳୀରେ ବିଜେଡିରେ ଖୋଲାଖୋଲି ଗୋଷ୍ଠୀକନ୍ଦଳ ସାମ୍ନାକୁ ଆସୁଥିବା ବେଳ‌େ ‘ପ୍ରଦୀପ ସେନା’ ଏହାର କେମିତି ଫାଇଦା ନେବ ଏହା ଦେଖିବାକୁ ବାକି ରହିଛି।

ଗତକାଲି ରଙ୍ଗେଇଲୁଣ୍ଡା ବ୍ଲକ୍ ବିଧାୟକ ପ୍ରତିନିଧି ଭାବେ ଚାନ୍ଦପୁର ପଞ୍ଚାୟତର ବାଲ୍ୟରାମ ଦଳେଇଙ୍କୁ ଦାୟିତ୍ବ ଦିଆଯାଇଥିଲା। ଗୁରୁବାର ଦିନ ଶ୍ରୀ ଦଳେଇ ଗ୍ରାମର ଠାକୁରାଣୀ ମନ୍ଦିରରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଦୃଢ଼ ସମର୍ଥକଙ୍କୁ ନେଇ ଏକ କର୍ମୀ ସମ୍ମିଳନୀର ଆୟୋଜନ କରିଥିଲେ। ବିଧାୟକଙ୍କ ସମର୍ଥିତ ଯୁବନେତା ଲଲାଟେନ୍ଦୁ ସାହୁ ଏଥିରେ ସଭାପତିତ୍ବ କରିଥିଲେ।

ଆଗାମୀ ଦିନରେ ବିଭିନ୍ନ ପଞ୍ଚାୟତ ଓ ଗ୍ରାମରେ ଉନ୍ନୟନମୂଳକ କାମକୁ ତ୍ବରାନ୍ବିତ କରିବା ଏବଂ ଅସଂପୂର୍ଣ୍ଣ କାମକୁ ସଂପୂର୍ଣ୍ଣ କରିବା ଉପରେ ଆଲୋଚନା ହୋଇଥିଲା। ‘ଆମର କୌଣସି ଦଳ ନାହିଁ, ତେଣୁ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ହାତମୁଠାକୁ ଟାଣ କରିବାକୁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ୍ ଦିଆଯାଇଥିଲା। ଏହାସହ ‘ପ୍ରଦୀପ ସେନା’ ନାମରେ ଏକ ସଂଗଠନ ଗଠନ କରାଯାଇ ସଭାପତି ଭାବେ ଗଙ୍ଗା ପାତ୍ରଙ୍କୁ ଚୟନ କରାଯାଇଥିଲା।

ଅନ୍ୟପକ୍ଷରେ ଏହି ସମ୍ମିଳନୀରେ ବିଧାୟକ ନିଜେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗ  ଦେଇ ସମର୍ଥକ ଏବଂ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ଆଗାମୀ ଦିନରେ ପଞ୍ଚାୟତ ଓ ଜୋନରେ ଏହି ସଂଗଠନକୁ ସୁଦୃଢ଼ କରାଯିବା ସହ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଦୃଷ୍ଟି ଦିଆଯିବ ବୋଲି କହିଥିଲେ। ଡି.ଫକୀର, ସନ୍ତୋଷ ବିଷୋୟୀ, ରାଜେଶ ପଟ୍ଟନାୟକ, ଅନୀଲ ପତି, ଧନଞ୍ଜୟ ରାଓ, ମୁରଲୀ ସାହୁ, ରାଜେନ୍ଦ୍ର ସେଠୀ, କାମରାଜୁ ରେଡ୍ଡୀ, ସାରଥି ନାହାକ, ଏମ.ଶେଷଗିରି, ପୂର୍ଣ୍ଣ ବେହେରା, ଲକ୍ଷ୍ମୀନାରାୟଣ ମହାପାତ୍ର, ଲକ୍ଷ୍ମୀ ପାତ୍ର ଓ ଶରତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ବିଧାୟକଙ୍କ ଏହି ସଂଗଠନ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିକୁ କଡ଼ା ଚ୍ୟା‌ଲେଞ୍ଜ୍ ଦେଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି। କାରଣ ବିଧାୟକ ଦଳରୁ ବହିଷ୍କାର ହେବା ପରେ ଦଳରେ ଗ‌ୋଷ୍ଠୀ କନ୍ଦଳ ଜଳଜଳ ହୋଇ ଦିଶିବାରେ ଲାଗିଛି। ସବୁଠି ତୁଙ୍ଗ ନେତାମାନେ ନିଜ ପତିଆରା ଜାହିର୍ କରିବାକୁ ଚେଷ୍ଟା କରୁଛନ୍ତି। ଏଭଳି ପରିସ୍ଥିତିରେ ବିଧାୟକ ଶ୍ରୀ ପାଣିଗ୍ରାହୀ ନିଜ ନିର୍ବାଚନମଣ୍ଡଳୀରେ ଧୀରେ ଧୀରେ ସକ୍ରିୟ ହେବା ଆରମ୍ଭ କରିଛନ୍ତି। ସବୁଠି ପଦଯାତ୍ରା ଓ ସଭାର ଆୟୋଜନ ହେଉଛି। କେବଳ ଏତିକି ନ‌ୁହେଁ, ଗାନ୍ଧୀ ଜୟନ୍ତୀରେ ବିଜେଡି ଓ ବିଧାୟକଙ୍କ ଗୋଷ୍ଠୀର ସମାନ୍ତରାଳ ପଦଯାତ୍ରା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ବିଧାୟକଙ୍କ ନୂଆ ସଂଗଠନ ବିଜେଡିକୁ କେମିତି ଚେକ୍ ଦେବ ଏହା ସମୟ କହିବ।

ସମ୍ବନ୍ଧିତ ଖବର