ବୈଷୟିକ ପାଠ୍ୟକ୍ରମ ଫି’ ବଢ଼ିବ ନା ନାହିଁ?

ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାନୁଷ୍ଠାନ କର୍ତୃପକ୍ଷ

ଭୁବନେଶ୍ବର : ୨୦୨୨-୨୩ ଶିକ୍ଷାବର୍ଷରେ ବୈଷୟିକ ଶିକ୍ଷାନୁଷ୍ଠାନ ଫି’ କେତେ ରହିବ? ବୃଦ୍ଧି ହେବ କି ନାହିଁ? ଯଦି ବଢ଼ିବ ତେବେ କେତେ? ନା ଚଳିତ ଶିକ୍ଷାବର୍ଷ ଲାଗି ବୃଦ୍ଧି ପାଇବ ନାହିଁ? ଇଞ୍ଜିନିୟରିଂ, ଆୟୁର୍ବେଦିକ, ଏମ୍‌.ଟେକ୍‌, ବି.ଆର୍କ, ଏମ୍‌.ଆର୍କ, ଏମ୍‌ବିଏ, ଏମ୍‌ସିଏ ଆଦି ପାଠ୍ୟକ୍ରମରେ ନାମଲେଖା ପାଇଁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି। ନିୟମ ଅନୁଯାୟୀ ପ୍ରତି ୩ ବର୍ଷରେ ଥରେ ପାଠ୍ୟକ୍ରମଗୁଡ଼ିକର ଫି’ ବୃଦ୍ଧି କରାଯିବା କଥା। ସେହି ଅନୁଯ‌ାୟୀ ଚଳିତ ଶିକ୍ଷାବର୍ଷରେ ଶିକ୍ଷାନୁଷ୍ଠାନର ଫି’ ପୁନଃନିର୍ଦ୍ଧାରଣ କରାଯିବା କଥା। ଇତିମଧ୍ୟରେ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଫି’ ପୁନଃନିର୍ଦ୍ଧାରଣ ହୋଇ ନ ଥିବାରୁ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟପ ଫି’ ସମ୍ପର୍କରେ ସ୍ପଷ୍ଟ ଚିତ୍ର ରଖିପାରୁ ନାହାନ୍ତି।

ଶେଷ ଥର ଲାଗି ୨୦୧୮-୧୯ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ଘରୋଇ କଲେଜର ଏମ୍‌ବିବିଏସ୍‌, ବିଡିଏସ୍‌, ଇଞ୍ଜିନିୟରିଂ, ଆୟୁର୍ବେଦିକ, ଏମ୍‌.ଟେକ୍‌, ବି.ଆର୍କ, ଏମ୍‌.ଆର୍କ, ଏମ୍‌ବିଏ, ଏମ୍‌ସିଏ ଆଦି ପାଠ୍ୟକ୍ରମର କୋର୍ସ ଫି’ ବୃଦ୍ଧି ପାଇଥିଲା। ଓଡ଼ିଶା ପ୍ରଫେସନାଲ ଏଜୁକେସନାଲ ଇନଷ୍ଟିଚ୍ୟୁସନ୍ସ (ରେଗୁଲେସନ୍‌ ଅଫ୍‌ ଅଫ୍‌ ଆଡମିସନ୍‌ ଆଣ୍ଡ ଫିକ୍ସେସନ୍‌ ଅଫ୍‌ ଫି’) ଆକ୍ଟ ୨୦୦୭ର ଧାରା ୬ର ଉପଧାରା ୭ ଅନୁଯାୟୀ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ଫି’ ବୃଦ୍ଧି ହୋଇଥିଲା। ଏମ୍‌ବିବିଏସ୍‌ ପାଠ୍ୟକ୍ରମର ବାର୍ଷିକ ଫି’ ସର୍ବାଧିକ ୧ଲକ୍ଷ ୨୫ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା।

୪ ମାସ ହେଲା ରିପୋର୍ଟ ଧରିବସିଛି ବୈଷୟିକ ଶିକ୍ଷା ବିଭାଗ

ପୂର୍ବରୁ ୪ଲକ୍ଷ ୨୫ହଜାର ଟଙ୍କା ନିଆଯାଉଥିବାବେଳେ ତାହାକୁ ୫ଲକ୍ଷ ୫୦ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ବିଡିଏସ୍‌ ପାଠ୍ୟକ୍ରମ ଫି’ ୫ଲକ୍ଷ ୫୦ହଜାର ଟଙ୍କାରୁ ୬ଲକ୍ଷ ୫୦ହଜାର ଟଙ୍କାକୁ ବଢ଼ାଯାଇଥିଲା। ଡେଣ୍ଟାଲ ଫି’ ଅଢେଇ ଲକ୍ଷରୁ ୩ଲକ୍ଷ ଓ କ୍ଲିନିକାଲ ପିଜି ପାଠ୍ୟକ୍ରମ ଫି’ ୭ଲକ୍ଷ ୧୫ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା। ପିଜି ପାଠ୍ୟକ୍ରମ ଫି’ ଅପରିବର୍ତ୍ତିତ ରହିଥିଲା। ସେହିପରି ବି.ଫାର୍ମ ଫି’ ୭ହଜାର ୫୦୦ଟଙ୍କାରୁ ୯ହଜାର ଟଙ୍କା, ବି.ଟେକ୍‌ ଫି’ ଦୁଇ ହଜାରରୁ ଆରମ୍ଭ କରି ୩୦ହଜାର ପର୍ଯ୍ୟନ୍ତ ବଢ଼ିଥିଲା। ଏମ୍‌ବିଏ କଲେଜରେ ଫି’ ୯ହଜାରରୁ ୨୭ହଜାର ପର୍ଯ୍ୟନ୍ତ ‌ହୋଇଥିଲା। ଏହାସହ ହଷ୍ଟେଲ୍‌ ଫି’, ଗାଡ଼ି ଭଡ଼ା, ପ୍ରି ପ୍ଲେସମେଣ୍ଟ କଷ୍ଟ, ୟୁନିଫର୍ମ ଓ ବ୍ଲେଜର, କସନ୍‌ ମନି ବି ଧାର୍ଯ୍ୟ ହୋଇଥିଲା।

ଗତ ତିନିଟି ଶିକ୍ଷାବର୍ଷ ଯଥା ୨୦୧୯-୨୦, ୨୦୨୦-୨୧, ୨୦୨୧-୨୨ରେ କୌଣସି ବି ଶିକ୍ଷାନୁଷ୍ଠାନ ଫି’ ବୃଦ୍ଧି କରିନାହାନ୍ତି। ଯେତେବେଳେ ନିୟମ ଅନୁଯାୟୀ ୨୦୨୨-୨୩ ଶିକ୍ଷାବର୍ଷରେ ଫି’ ପୁନଃନିର୍ଦ୍ଧାରଣ ହେବା କଥା। ଶିକ୍ଷାବର୍ଷ ଆରମ୍ଭରୁ ବୈଷୟିକ ଶିକ୍ଷା ବିଭାଗର ଫି’ ନିର୍ଦ୍ଧାରଣ କମିଟିର ବୈଠକ ବସିବା ସହ କେଉଁ ଶିକ୍ଷାନୁଷ୍ଠାନର କେ‌ଉଁ ପାଠ୍ୟକ୍ରମର କେତେ ଫି’ ବୃଦ୍ଧି କରାଯିବ ସେନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ମାତ୍ର ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। କମିଟିର ରିପୋର୍ଟ କେଉଁଠି ଅଛି ସେନେଇ କାହା ପାଖରେ ଉତ୍ତର ବି ନାହିଁ। ଅଧିକାରୀମାନେ ମଧ୍ୟ ଏନେଇ ମୁହଁ ଖୋଲୁନାହାନ୍ତି। ଗୋଟିଏ ପଟେ ଫି’ ଧାର୍ଯ୍ୟ ହୋଇପାରୁ ନ ଥିବାରୁ ଛାତ୍ରଛାତ୍ରୀ ଅନ୍ଧାରରେ। ଅନ୍ୟପଟେ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ବି ନାଚାର। କାଉନସେଲିଂ ଲାଗି ଯେଉଁ ଛାତ୍ରଛାତ୍ରୀ ଆବେଦନ କରୁଛନ୍ତି ସେମାନଙ୍କୁ ଫି’ ନେଇ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ କିଛି ଠୋସ୍‌ ଉତ୍ତର ଦେଇପାରୁ ନାହିଁ। ବଢ଼ିବ କି ନାହିଁ ସେନେଇ ସେମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ରାଜ୍ୟ ସରକାର ତୁରନ୍ତ ଘଟଣାରେ ହସ୍ତକ୍ଷେପ କରିବା ସହ ଫି’ ନିର୍ଦ୍ଧାରଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର