ସଫଳ ହେବ ତ ରେଡିଓ କଲାର୍‌? ଦୁଇ ବର୍ଷ ତଳେ ଛତିଶଗଡ଼ରେ ବିଫଳ ହୋଇଥିଲା

ବନ ବିଭାଗ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ, ଚନ୍ଦକାରେ ଲକ୍ଷାଧିକ ଖର୍ଚ୍ଚ, ୬ କର୍ମଚାରୀ ଆହତ

ଭୁବନେଶ୍ବର: ଦନ୍ତା ହାତୀଙ୍କୁ ରେଡିଓ କଲାର୍‌ ପିନ୍ଧାଇବାରେ ସଫଳ ହେବ କି ବନ ବିଭାଗ? ୨୦୧୯ରୁ ଯୋଜନା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ଏମିତିକି ଗତ ସପ୍ତାହରେ ଚନ୍ଦକାର ୩ଟି ହାତୀଙ୍କ ବେକରେ ରେଡ଼ିଓ କଲାର୍‌ ଲଗାଇବାକୁ ସମସ୍ତ ପ୍ରକାର ଉଦ୍ୟମ କରାଯିବା ପରେ ମଧ୍ୟ ସଫଳତା ମିଳିପାରି ନାହିଁ। ଦିନରାତି ଏକ କରି ବନ ବିଭାଗ ଅଧିକାରୀ, ବିଶେଷଜ୍ଞ ଦଳ ଭରତପୁର ଜଙ୍ଗଲରେ ଡେରା ପକାଇଥିଲେ। ଡ୍ରୋନ୍‌ କ୍ୟାମେରା ଯୋଗେ ହାତୀଙ୍କ ଗତିବିଧି ଉପରେ ନଜର ବି ରଖିଥିଲେ। ଏତେ ସବୁ ଉଦ୍ୟମ ପରେ ବି ଦନ୍ତା ହାତୀ ରାମୁ ବେକରେ ରେଡ଼ିଓ କଲାର୍‌ ଲଗାଇବାରେ ବନ ବିଭାଗ ସଫଳ ହୋଇପାରିନି, ବରଂ ଏ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି। ହାତୀ ପଛରେ ଦୌଡ଼ି ଦୌଡ଼ି ୬ରୁ ଅଧିକ ବନ କର୍ମଚାରୀ ଆହତ ହୋଇଛନ୍ତି। ଯେଉଁଥିପାଇଁ ଚନ୍ଦକାରେ ଏବେ ରେଡିଓ କଲାର୍‌ ଅଭିଯାନକୁ ସ୍ଥଗିତ ରଖାଯାଇଛି।

ସେପଟେ ବନ ବିଭାଗର ଏଭଳି ପ୍ରୟାସକୁ ନେଇ ୱାଇଲ୍ଡ-ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶାର ସମ୍ପାଦକ ତଥା ହାତୀ ବିଶେଷଜ୍ଞ ବିଶ୍ବଜିତ୍‌ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି। ୨୦୧୮ ଅକ୍ଟୋବରରେ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସହଯୋଗରେ ଛତିଶଗଡ଼ରେ ହୋଇଥିବା ଏହି ପ୍ରୟାସ ବିଫଳ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ୭ଟି ହାତୀଙ୍କଠାରେ ରେଡ଼ିଓ କଲାର ଲଗାଯାଇଥିବା ବେଳେ ଏବେ ମାତ୍ର ଗୋଟିଏ ରହିଛି। ବାକି ୬ଟି ନଷ୍ଟ ହୋଇଯାଇଛି। ଅଷ୍ଟ୍ରେଲିଆରୁ କିଣାଯାଇଥିବା ଏହି ରେଡିଓ କଲାର୍‌ଗୁଡ଼ିକ ଅଧିକ ସମୟ ରହିଲା ନାହିଁ। ହାତୀ ବେକରେ ଲାଗିଥିବା ରେଡ଼ିଓ କଲାର୍‌ ମଧ୍ୟରୁ ୩ଟି ୨୦୧୯ ମେ’ ସୁଦ୍ଧା ଏବଂ ୨୦୨୦ ମାର୍ଚ୍ଚ ସୁଦ୍ଧା ଆଉ ଗୋଟିଏ ଖସି ଯାଇଥିଲା। ଗୋଟିଏ ରେଡ଼ିଓ କଲାରର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା। ଏହାବ୍ୟତୀତ ସାଟେଲାଇଟ୍ ସିଗନାଲ୍ ଟ୍ରାକ୍ କରିବା ଓ ହାତୀ ଉପରେ ନଜର ରଖିବା ପାଇଁ ବର୍ଷକୁ ପ୍ରାୟ ୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏଭଳି ଭାବେ ଗୋଟିଏ ହାତୀ ପିଛା ବର୍ଷକୁ ୧୦ଲକ୍ଷ ଖର୍ଚ୍ଚ ହେଉଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ। ଛତିଶଗଡ଼ରେ ଏହି ପ୍ରକଳ୍ପ ବିଫଳ ହେବା ପରେ ସେଠାରେ ହାତୀମାନଙ୍କୁ ଗ୍ରାଉଣ୍ଡ ଟ୍ରାକିଂ ଦଳ ଦ୍ୱାରା ନଜର ରଖାଯାଉଛି। ରେଡ଼ିଓ କଲାର୍‌ ଲଗାଇବା ପରିବର୍ତ୍ତେ ଓଡ଼ିଶା ବନ ବିଭାଗ ‌ହାତୀ ଉପରେ ନଜର ରଖିବାକୁ ବନ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦକା ଅଭୟାରଣ୍ୟରେ ଥିବା ହାତୀଙ୍କ ବେକରେ ରେଡ଼ିଓ କଲାର ଲଗାଇବା ବାବଦରେ ଇତି ମଧ୍ୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସରିଲାଣି। ୧୦ ଦିନ ତଳେ ଗୋଡ଼ିବାରିରେ ଥିବା କୁମ୍‌କୀ ହାତୀ ‘ଯଶୋଦା’କୁ ଭରତପୁର ଜଙ୍ଗଲକୁ ଅଣାଯାଇଥିଲା। ଦନ୍ତା ହାତୀଙ୍କୁ ଟ୍ରା‌ଙ୍କୁଲାଇଜ୍‌ କରାଯିବା ପରେ ଯଶୋଦା ପିଠିରେ ବସି ଅଧିକାରୀମାନେ ରାମୁ ନିକଟକୁ ଯାଇ ରେଡ଼ିଓ କଲାର୍‌ ଲଗାଇଥା’ନ୍ତେ। ମାତ୍ର ତାହା ସଫଳ ହେଲା ନାହିଁ। ଦୁଇ ଦିନ ହୋଇଛି କି ନାହିଁ, ଯଶୋଦା ମସ୍ତ ହେବାରୁ ତାହାକୁ ପୁଣିଥରେ ଗୋଡ଼ିବାରିକୁ ଫେରାଇ ନିଆଯାଇଥିଲା। ଏହାପରେ ବେଙ୍ଗାଲୁରୁ ବିଶେଷଜ୍ଞ ଦଳ ଡେରା ପକାଇବା, ଡ୍ରୋନ୍‌ ମାଧ୍ୟମରେ ହାତୀଙ୍କ ପିଛା କରିବା, ୧୦ ଦିନ ଧରି କର୍ମଚାରୀଙ୍କ ଖର୍ଚ୍ଚ ବାବଦରେ ବି ପ୍ରଚୁର ଟଙ୍କା ଖର୍ଚ୍ଚ ସରିଲାଣି। ଏବେ ବର୍ଷା ହେଉଥିବାରୁ ରେଡ଼ିଓ କଲାର ଲଗାଇବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ଅକ୍ଟୋବରରେ ଆଉ ଥରେ ପ୍ରୟାସ କରାଯିବ ବୋଲି ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର