କୌଣସି କୌଶଳକୁ ହାତଛଡ଼ା କରୁନାହିଁ ବିଜେଡି : ବିଜେଡିକୁ ଫେରିବେ କି ରଘୁ!

ଅରୁଣ ଦେ’ଙ୍କ ପରେ ରଘୁନାଥଙ୍କୁ ଦଳକୁ ଆଣିବାକୁ କସରତ ଆରମ୍ଭ
ବସ୍ତା ଆସନରେ ବିଜେଡି ରଘୁ କିମ୍ବା ତାଙ୍କ ପୁଅକୁ ବାଟ ଛାଡ଼ିପାରେ

ଭୁବନେଶ୍ୱର : ବାଲେଶ୍ୱର ସଦର ଆସନରେ ହେଉଥିବା ଉପନିର୍ବାଚନ ଯେତେ ପାଖେଇ ଆସୁଛି, ଦଳୀୟ ଶିବିରମାନଙ୍କରେ ବିଶେଷକରି ବିଜେଡି ଶିବିରରେ ସମୀକରଣ ମଧ୍ୟ ନୂଆ ନୂଆ ମୋଡ଼ ନେବାରେ ଲାଗିଛି। କିଛିଦିନର ସଂଶୟ ପରେ ଧୀରେଧୀରେ ସୁବାସିନୀ ଜେନାଙ୍କ ସପକ୍ଷରେ ବିଜେଡି ପ୍ରାର୍ଥିତ୍ବ ଚୂଡ଼ାନ୍ତ ହେବାକୁ ଯାଉଥିଲେ ହେଁ ନିକଟରେ ନୂଆ ଘଟଣାକ୍ରମର ସୂତ୍ରପାତ ହୋଇଛି। ଅତୀତରେ ଜିଲ୍ଲା ବିଜେଡି ରାଜନୀତିର ଶୀର୍ଷରେ ଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ନେଇ ବିଜେଡିରେ ପୁଣି ଆଲୋଚନା ଆରମ୍ଭ ହୋଇଯାଇଛି।

ପୁତ୍ରବଧୂଙ୍କ ସହ ବିବାଦ ଭିତରକୁ ଟଣାହୋଇ ମନ୍ତ୍ରୀପଦ ହରାଇବା ଓ ୨୦୧୪ ନିର୍ବାଚନରେ ଟିକେଟରୁ ବଞ୍ଚିତ ହେବା ପରେ ୨୦୧୯ ନିର୍ବାଚନରେ ଶ୍ରୀ ମହାନ୍ତି ବସ୍ତା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇ ହାରିଥିଲେ। ସ୍ବାଭାବିକ ଭାବେ ଏଥରର ଉପନିର୍ବାଚନରେ ବିଜେପି ତାଙ୍କୁ ପ୍ରଚାରର ଅଗ୍ରଭାଗରେ ରଖିବା କଥା। ହେଲେ ନିକଟରେ ଆୟୋଜିତ କୌଣସି ଦଳୀୟ ବୈଠକରେ ସେ ଯୋଗନଦେବାରୁ ତାଙ୍କୁ ନେଇ ଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ପ୍ରବୀଣ ରାଜନେତା ଅରୁଣ ଦେ’ଙ୍କ ପରେ ବିଜେଡି ରଘୁନାଥ ମହାନ୍ତିଙ୍କୁ ମଧ୍ୟ ଦଳକୁ ଫେରାଇଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଥିବା ଜଣାଯାଇଛି। ତେବେ ଯେଉଁ ରବୀନ୍ଦ୍ର ଜେନାଙ୍କ ଯୋଗୁଁ ତାଙ୍କୁ ବିଜେଡିରୁ ହଟିବାକୁ ପଡ଼ିଥିଲା ସେହି ନେତାଙ୍କ ପତ୍ନୀ ସୁବାସିନୀଙ୍କୁ ଟିକେଟ୍ ମିଳୁଥିବାବେଳେ ରଘୁନାଥ କିପରି ବିଜେଡିକୁ ଫେରିବେ ତାହା ଏକ ପ୍ରଶ୍ନ। ଏହାକୁ ନେଇ ରହିଥିବା ସଂଶୟ ଅନ୍ୟ ବାଟରେ ଦୂର କରିବା ପାଇଁ ମଧ୍ୟ ଚେଷ୍ଟା ଚାଲିଛି। ଦଳ ଭିତରେ ରବୀନ୍ଦ୍ରଙ୍କ ବିରୋଧୀ ଭାବେ ପରିଚିତ ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶଙ୍କୁ କୋଣଠେସା କରିବା ପାଇଁ ଯେପରି ଅରୁଣ ଦେ’ଙ୍କୁ ସାମିଲ କରାଗଲା ସେହିପରି ଅନ୍ୟତମ ବିରୋଧୀ ରଘୁନାଥ ମହାନ୍ତିଙ୍କୁ ବୁଝେଇସୁଝେଇ ଫେରାଇଆଣିବାକୁ ଉଦ୍ୟମ ଚାଲିଛି।

୨୦୧୪ରେ ବାଲେଶ୍ବର ଆସନରୁ ରବୀନ୍ଦ୍ର ଜେନା ଲୋକସଭାକୁ ନିର୍ବାଚିତ ହେବା ପରଠାରୁ ବସ୍ତା ଆସନରୁ ଲଢ଼ିବା ନେଇ ସୁବାସିନୀ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ତେଣୁ ସ୍ବାଭାବିକ ଭାବେ ବସ୍ତାରେ ଜେନା ପରିବାର ଶ୍ରୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ପ୍ରତିଦ୍ବନ୍ଦ୍ବୀ ଥିଲେ। ଏଥରର ଉପନିର୍ବାଚନରେ ସୁବାସିନୀ ବାଲେଶ୍ବର ସଦର ଆସନରୁ ପ୍ରାର୍ଥୀ ହେଉଥିବାରୁ ବସ୍ତାରେ ସେ ଆଉ ରଘୁନାଥଙ୍କର ପ୍ରତିଦ୍ବନ୍ଦ୍ବୀ ହେବାର ଅବକାଶ ରହିବନାହିଁ। ତେଣୁ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ପତ୍ନୀ ସଦର ଆସନରୁ ଲଢ଼ିଲେ ମଧ୍ୟ ଶ୍ରୀ ମହାନ୍ତି ବିଜେଡିକୁ ଫେରିଆସିବାରେ ଅସୁବିଧା ରହିବନାହିଁ ବୋଲି କୁହାଯାଉଛି। ଆହୁରି ମଧ୍ୟ ୨୦୦୯ରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ଯାଏ ବସ୍ତା ଆସନର ଅଂଶ ରହିଆସିଥିବା ହଳଦୀପଦା, କସିପଦା, ଶ୍ରୀରାମପୁର, କୁରାଢ଼ିଆ, ଛାନୁଆ, ସାର୍ଥା, କଷାଫଳ, ରସୁଲପୁର, ବହାବଳପୁର ଭଳି ୯ ଗୋଟି ପଞ୍ଚାୟତ (ପରେ ୧୪ରେ ରୂପାନ୍ତରିତ) ଏବେ ବାଲେଶ୍ବର ସଦର ଆସନରେ ଥିବାରୁ ଶ୍ରୀ ମହାନ୍ତିଙ୍କ ପ୍ରଭାବକୁ ସେଠାରେ ବିଜେଡି ଏହି ଉପନିର୍ବାଚନରେ ଉପଯୋଗ କରିବା ପାଇଁ ଉଦ୍ୟମ କରିବ। ସେହିଭଳି, ନିଜ ପତ୍ନୀଙ୍କ ଖାତିରରେ ରବୀନ୍ଦ୍ର ଜେନା ମଧ୍ୟ ଆଉ ରଘୁନାଥ ମହାନ୍ତି ଦଳକୁ ଫେରିବାରେ ବାଧକ ସାଜିବେ ନାହିଁ।

ଅନ୍ୟପକ୍ଷରେ ପୂର୍ବରୁ ଥରେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତିରେ ବଳି ପଡ଼ିଥିବା ଦୃଷ୍ଟିରୁ ଏଥର ବିଜେଡି ନେତାଙ୍କ ହାତରେ ଧରାଦେବା ପୂର୍ବରୁ ଶ୍ରୀ ମହାନ୍ତି ଯଥେଷ୍ଟ ସତର୍କ ହେବାକୁ ଚାହିଁବେ। ତେଣୁ ବସ୍ତା ଆସନରେ ପରବର୍ତ୍ତୀ ନିର୍ବାଚନରେ ନିଜେ କିମ୍ବା ନିଜ ପୁତ୍ରଙ୍କ ପାଇଁ ବିଜେଡି ରାଜ୍ୟ ନେତୃତ୍ବଠାରୁ ନିର୍ଭର ପ୍ରତିଶ୍ରୁତି ନ ପାଇଲେ ଶ୍ରୀ ମହାନ୍ତି ଫେରିବେ ନାହିଁ। ପ୍ରତିଟି ନିର୍ବାଚନକୁ ଯୁଦ୍ଧ ଭଳି ଗମ୍ଭୀରତାର ସହ ନେଉଥିବା ବିଜେଡିର ରାଜ୍ୟ ନେତୃତ୍ବ ବାଲେଶ୍ବର ଆସନକୁ କଳେ-ବଳେ-କୌଶଳେ ବିଜେପିଠାରୁ ଛଡ଼ାଇ ଆଣିବା ପାଇଁ କୈାଣସି ସୁଯୋଗ ହାତଛଡ଼ା କରିବ ନାହିଁ। ସେହିଦୃଷ୍ଟିରୁ ଶିଘ୍ର ଶ୍ରୀ ମହାନ୍ତି ଦଳକୁ ଫେରିଆସିବା ସମ୍ଭାବନା ନେଇ ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର