ପୁରୁଣା ଘରକୁ ଫେରିବେ କି ବିଜେଡିରୁ ସାଂସଦ ହୋଇଥିବା ମହେଶ ସାହୁ!

ଅନୁଗୁଳ : ‘ଅନୁଗୁଳରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଛି। ଏବେ ୬୫ କୋଟି ଟଙ୍କା ଖର୍ଚ୍ଚ କରି ଇଏସଆଇସି ଡାକ୍ତରଖାନା କରାଯାଇଛି। କେନ୍ଦ୍ରରୁ ଟଙ୍କା ଆଣି ଏ ଅଞ୍ଚଳର ଉନ୍ନତି ପାଇଁ ଲାଗିପଡ଼ିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ମାଟି ପାଇଁ ଯାହା କରିଛନ୍ତି ତାଙ୍କୁ ପ୍ରଶଂସା ନ କଲେ ମତେ ପାପ ଲାଗିବ।’ଏ ମନ୍ତବ୍ୟ କୌଣସି ବିଜେପି ନେତା କିମ୍ବା କର୍ମୀଙ୍କର ନୁହେଁ। ବିଜେଡିରୁ ସାଂସଦ ହୋଇଥିବା ମହେଶ ସାହୁ ଖୋଲାଖୋଲି ଭାବେ ଏମିତି ପ୍ରଶଂସାରେ ପୋତି ପକାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ। ଏତିକିରେ ଅଟକି ନାହାନ୍ତି, ପରୋକ୍ଷରେ ନିଜ ଦଳର ଦୁଇ ନେତାଙ୍କୁ ସମାଲୋଚନା ବି କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସଭାକୁ ଆସି ନ ଥିବାରୁ ଉପବାଚସ୍ପତି ରଜନୀକାନ୍ତ ସିଂହ ଓ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ନାଏକଙ୍କୁ କଟାକ୍ଷ କରି ସେମାନଙ୍କୁ ବୋଧେ କରୋନା ହୋଇଯାଇଛି, ସେଥିପାଇଁ ସଭାକୁ ଆସି ପାରିନାହାନ୍ତି ବୋଲି କହିଛନ୍ତି।

ଅନୁଗୁଳ ଜିଲ୍ଲା ବଳରାମପ୍ରସାଦରେ ଆଜି ଇଏସ୍‌ଆଇସି ଡାକ୍ତରଖାନା ଉଦ୍‌ଘାଟିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥିଭାବେ କେନ୍ଦ୍ର ସରକାରଙ୍କ ଶ୍ରମ ଓ ରୋଜଗାର ଏବଂ ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ଯୋଗଦେଇଥିଲେ। ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଏହି ସରକାରୀ ସଭାରେ ସାଂସଦଙ୍କ ଭାଷଣ ଦେବାର କାର୍ଯ୍ୟସୂଚୀରେ ଉଲ୍ଲେଖ ନ ଥିଲା। କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରି ସେ ମାଇକ୍ ଧରିଥିଲେ। ଆଉ ଆରମ୍ଭରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାମେଶ୍ବର ତେଲିଙ୍କୁ ପ୍ରଶଂସା କରିଥିଲେ। କହିଥିଲେ, ଏହି ଦୁଇ କେନ୍ଦ୍ରମନ୍ତ୍ରୀ ଏ ମାଟି ପାଇଁ ଯାହା କରିଛନ୍ତି ତାକୁ କେହି କହୁନାହାନ୍ତି। ତାଙ୍କ ପାଇଁ ଏଠି କ’ଣ କ’ଣ ବିକାଶ ହୋଇଛି, ତାର ତାଲିକା ପଢ଼ିଥିଲେ ମହେଶ। କେନ୍ଦ୍ରୀୟ ବିଦ୍ୟାଳୟରୁ କୋଟା ବ୍ୟବସ୍ଥା ଉଠାଇ ଧର୍ମେନ୍ଦ୍ର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ତାଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ। କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ନିଜସ୍ବ ଖର୍ଚ୍ଚରେ ଏଠାରେ ଏତେବଡ଼ ଡାକ୍ତରଖାନା କରିଛନ୍ତି। ଜିଲ୍ଲାରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇଛି। ଏଥିରୁ ଜିଲ୍ଲାବାସୀ ଉପକୃତ ହେବେ ବୋଲି ମହେଶ କହିଥିଲେ। ଏପରିକି ଦୁଇ ମନ୍ତ୍ରୀଙ୍କୁ ଧର୍ମପଦ ସହ ସେ ତୁଳନା କରିଥିଲେ। ମହେଶଙ୍କ ଏମିତି ପ୍ରଶଂସା ଶୁଣି ଅନ୍ୟମାନେ ଚକିତ ହୋଇ ଯାଇଥିଲେ। ଧର୍ମେନ୍ଦ୍ର ମୁରୁକି ମୁରୁକି ହସୁଥିଲାବେଳେ ବିଜେପି କର୍ମୀ ଉତ୍ସାହିତ ହୋଇପଡ଼ିଥିଲେ।

ଭାଷଣ ଶେଷ କରିବାବେଳକୁ ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ କଟାକ୍ଷ କରିଥିଲେ ମହେଶ। ସଭାକୁ ନିମନ୍ତ୍ରଣ ଥାଇ ବି ରଜନୀକାନ୍ତ ସିଂହ ଆସି ନଥିଲେ। ଏପଟେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ନାଏକ ବି ଅନୁପସ୍ଥିତ ଥିଲେ। ଜିଲ୍ଲା ପରିଷଦ ସଭ୍ୟଙ୍କ ପାଖରେ କରୋନା ଲକ୍ଷଣ ରହିଥିଲାବେଳେ ମଣ୍ଟୁଭାଇଙ୍କୁ ବୋଧେ କରୋନା ହୋଇଯାଇଛି ବୋଲି ସେ ସଭାରେ କଟାକ୍ଷ କରିଥିଲେ। କହିଥିଲେ, ଶିକ୍ଷା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ନେଇ ସେ କୌଣସି ପ୍ରୋଟକଲ୍‌ରେ ବିଶ୍ବାସ କରନ୍ତିନାହିଁ। ତେଣୁ ନିଜ ଆଡ଼ୁ ମାଇକ ମାଗି ସେ ଧନ୍ୟବାଦ ଦେଇଛନ୍ତି। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରକୁ ଆଦୌ ରାଜନୀତିକରଣ କରିବା ଉଚିତ ନୁହେଁ ବୋଲି କହି ମହେଶ ବକ୍ତବ୍ୟ ସାରିଥିଲେ। ଅପରପକ୍ଷରେ ମହେଶଙ୍କ ଏପରି ମନ୍ତବ୍ୟ ପରେ ଜିଲ୍ଲା ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ମହେଶ ବିଜେପିମୁହାଁ ହେଉଥିବାନେଇ ଆଗରୁ ଚର୍ଚ୍ଚା ହେଉଥିଲାବେଳେ ଆଜିର ଘଟଣା ଏହି ଚର୍ଚ୍ଚାକୁ ବଳ ଦେଇଛି। ଏପଟେ ଅନୁଗୁଳ ଜିଲ୍ଲାର ଦଳୀୟ ବିଧାୟକମାନଙ୍କ ସହ ସାଂସଦଙ୍କ ସଂପର୍କ ମଧୁର ନୁହେଁ। ତେଣୁ ଏହା କିଛି ଅସମ୍ଭବ ନୁହେଁ ବୋଲି ଖୋଦ୍‌ ବିଜେଡି ନେତା ଓ କର୍ମୀ ମତମନ୍ତବ୍ୟ ଦେଉଛନ୍ତି।

ସମ୍ବନ୍ଧିତ ଖବର