୧୩୦୪ ପଦବିରୁ ପୂରଣ ହେଲା ୭୯୬
ଏସ୍ସି, ଏସ୍ଟି ପ୍ରାର୍ଥୀ ନ ମିଳିବାରୁ ପଦବୀ ଖାଲି
ଆଶାୟୀଙ୍କ ନିବେଦନ ଶୁଣୁନାହାନ୍ତି ଗଣଶିକ୍ଷା ମନ୍ତ୍ରୀ, ସଚିବ
ଭୁବନେଶ୍ୱର : ହାଇସ୍କୁଲ ପାଠପଢ଼ାରୁ ବାଦ୍ ପଡ଼ିବ କି ସଂସ୍କୃତ ବିଷୟ? ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ ହେବା ପରେ ପିଲାମାନେ ସଂସ୍କୃତ ଭାଷାରେ ଶିକ୍ଷା ଗ୍ରହଣ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ତୃତୀୟ ବିଷୟ ଭାବେ ହିନ୍ଦୀ, ସଂସ୍କୃତ ବଦଳରେ ଧନ୍ଦାମୂଳକ ଶିକ୍ଷାକୁ ପ୍ରଥମ ପସନ୍ଦ କରୁଛନ୍ତି। ଯେଉଁଥିପାଇଁ ଏବେ ଏହି ବିଷୟ ପ୍ରତି ଛାତ୍ରଛାତ୍ରୀଙ୍କ ମୋହ ଭଙ୍ଗ ହେଉଛି। ଏଭଳି ଏକ ଘଡ଼ିସନ୍ଧି ସମୟରେ ଶିକ୍ଷକ ନିଯୁକ୍ତି ନ କରି ରାଜ୍ୟ ସରକାର ହାଇସ୍କୁଲରେ ସଂସ୍କୃତ ବିଷୟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ରିତିମତ ରକ୍ରାନ୍ତ ଆରମ୍ଭ କରିଥିବା ନେଇ ଏବେ ସାମ୍ନାକୁ ଆସିଛି।
ହାଇସ୍କୁଲଗୁଡ଼ିକରେ ଖାଲି ପଡ଼ିଥିବା ୧୩୦୪ ସଂସ୍କୃତ ପଦବି ଲାଗି ଗତ ଅଗଷ୍ଟ ମାସରେ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶିକ୍ଷକ ଚୟନ ଲାଗି ସିବିଟି(କମ୍ପ୍ୟୁଟର ବେସ୍ଡ ଟେଷ୍ଟ) ମାଧ୍ୟମରେ ପରୀକ୍ଷା କରାଯାଇ ଚୂଡ଼ାନ୍ତ ଯାଞ୍ଚ ତାଲିକା ପ୍ରକାଶ ପାଇଥିଲା। ଯେଉଁଥିରେ ୧୮୦୬ ଜଣ ଯୋଗ୍ୟ ପ୍ରାର୍ଥୀ ଥିଲେ। ମାତ୍ର ନିଯୁକ୍ତି ପାଇଲା ବେଳକୁ ମାତ୍ର ୭୯୬ ଜଣଙ୍କୁ ମିଳିଛି। ଅର୍ଥାତ୍ ଆହୁରି ୫୦୮ ପଦବି ଖାଲି ପଡ଼ୁଛି। ଯେଉଁଥିରେ ସଂରକ୍ଷଣ ବ୍ୟବସ୍ଥା ପ୍ରମୁଖ ପ୍ରତିବନ୍ଧକ ସାଜିଥିବା ଜଣାପଡ଼ିଛି। ନିୟମ ଅନୁଯାୟୀ ସଂସ୍କୃତ ବିଷୟ ଲାଗି ୧୩୦୪ ଜଣ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ସେଥିମଧ୍ୟରୁ ଏସ୍ଟି ତଥା ଅନୁସୂଚିତ ଜନଜାତି ବର୍ଗ ପ୍ରାର୍ଥୀଙ୍କ ଲାଗି ୫୦୭ଟି ପଦବି ସଂରକ୍ଷଣ ରହିଥିବା ବେଳେ ଏସ୍ସି(ଅନୁସୂଚିତ ଜାତି) ବର୍ଗଙ୍କ ପାଇଁ ୧୯୬, ଏସ୍ସିବିସିଙ୍କ ଲାଗି ୪୧ଟି ସଂରକ୍ଷଣ ରହିଥିଲା। ବାକି ୫୬୦ଟି ଅଣ ସଂରକ୍ଷିତ ରଖାଯାଇଥିଲା।
ନିଯୁକ୍ତି ସମୟରେ ଦେଖାଯାଇଥିଲା ଯେ ଏସ୍ଟି ଓ ଏସ୍ସି ବର୍ଗର ଆବଶ୍ୟକ ଯୋଗ୍ୟ ପ୍ରାର୍ଥୀ ନାହାନ୍ତି। ଏସ୍ସିବିସି ବର୍ଗ ଓ ଅଣ ସଂରକ୍ଷିତ ବର୍ଗର ସମସ୍ତ ପଦବି ପୂରଣ ହୋଇଥିବା ବେଳେ ଏସ୍ଟି ବର୍ଗଙ୍କ ଲାଗି ସଂରକ୍ଷିତ ଥିବା ୫୦୭ ପଦବି ମଧ୍ୟରୁ ମାତ୍ର ୪୩ଟି ପୂରଣ ହୋଇଛି। ଯେତେବେଳେ କି ଏସ୍ସି ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ୧୯୬ରୁ ୧୫୨ଟି ପୂରଣ ହୋଇଛି। ବାକି ପଦବିଗୁଡ଼ିକ ସେଭଳି ଖାଲି ପଡ଼ିଛି। ଏମିତିକି ଏସ୍ଟି, ଏସ୍ସି ବର୍ଗର କିଛି ପ୍ରାର୍ଥୀ ଯୋଗ୍ୟତା ଆଧାରରେ ଅଣସଂରକ୍ଷିତ ବର୍ଗରେ ସାମିଲ ହୋଇଛନ୍ତି। ଯେଉଁଥିପାଇଁ ସାଧାରଣ ବର୍ଗର ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି। ଆଶାୟୀମାନେ କହିଛନ୍ତି ଯେ ଖାଲିଥିବା ପଦବି ମଧ୍ୟରୁ କିଛି ପୂରଣ କରି ଅନ୍ୟଗୁଡ଼ିକ ଖାଲି ରଖିବା ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏହାଦ୍ବାରା ଓଏସ୍ଏସ୍ଟିଇଟି ଓ ସିବିଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଯୋଗ୍ୟ ଆଶାୟୀ ସଂସ୍କୃତ ଶିକ୍ଷକ ବଞ୍ଚିତ ହେବେ। ଅନେକ ଆଶାୟୀଙ୍କ ବୟସ ସୀମା ମଧ୍ୟ ଅତିକ୍ରାନ୍ତ ହୋଇସାରିଛି। ଏନେଇ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଭେଟି ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି କିମ୍ବା କିଛି ଆଶ୍ବାସନା ମିଳୁ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଘଟଣାରେ ହସ୍ତକ୍ଷେପ କରି ଏଦିଗରେ ପଦକ୍ଷେପ ନେବା ସହ ଶତାଧିକ ଆଶାୟୀଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ।
ଅନ୍ୟପକ୍ଷରେ ୨୦୧୪ରେ ଶେଷ ଥର ଲାଗି ରାଜ୍ୟ ସରକାର ସଂସ୍କୃତ ଶିକ୍ଷକ ପଦବି ଲାଗି ନିଯୁକ୍ତି ପ୍ରକ୍ରିୟା କରିଥିଲେ। ଏହାର ୭ ବର୍ଷ ପରେ ଅର୍ଥାତ୍ ୨୦୨୧ରେ ପୁଣିଥରେ ନିଯୁକ୍ତି ପ୍ରକ୍ରିୟା ହୋଇଥିଲେ ମଧ୍ୟ ସମସ୍ତ ଶିକ୍ଷକ ପଦବି ପୂରଣ ହୋଇପାରି ନାହିଁ। ସଂରକ୍ଷଣ ବ୍ୟବସ୍ଥା ମଧ୍ୟରେ ବହୁ ମେଧାବୀ ପ୍ରାର୍ଥୀ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି। ୧୩୦୪ ସଂସ୍କୃତ ଶିକ୍ଷକ ପଦବି ଲାଗି ବିଜ୍ଞାପନ ପ୍ରକାଶ ପାଇଥିଲେ ମଧ୍ୟ ହାଇସ୍କୁଲରେ ଏହାଠାରୁ ବହୁ ଅଧିକ ପରିମାଣରେ ଶିକ୍ଷକ ନାହାନ୍ତି। ସେଗୁଡ଼ିକ କିଭଳି ପୂରଣ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି। ଯଦି ନିୟମିତ ଭାବେ ପ୍ରତିବର୍ଷ ନିଯୁକ୍ତି ପ୍ରକ୍ରିୟା କରାଯାଇଥାନ୍ତା ତେବେ ଆଜି ଏଭଳି ସ୍ଥିତି ଉପୁଜି ନ ଥାନ୍ତା ବୋଲି ଶିକ୍ଷାବିତ୍ମାନେ ମତପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/sanskrit.jpg)