ପୁରୀ: ଦୁଇବର୍ଷ ତଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଅନେକ କସରତ ଚାଲିଥିଲା। କିନ୍ତୁ ନାଟକୀୟ ଢ଼ଙ୍ଗରେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଏହି ପ୍ରସଙ୍ଗକୁ ଭିନ୍ନ ରଙ୍ଗ ଦେଇ ଦିଆଗଲା। ଚାବି ହଜିଯାଇଥିବା କହି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସମସ୍ତଙ୍କୁ ଅନ୍ଧାରରେ ରଖାଗଲା। ଯେଉଁଥି ପାଇଁ ଆଜି ପର୍ଯ୍ୟନ୍ତ ରତ୍ନଭଣ୍ଡାରର ରହସ୍ୟ ଖୋଲି ପାରିଲାନି। ଏହା ଭିତରେ ତଦନ୍ତ କମିସନ୍‌ ବି ବସିଲା। କିନ୍ତୁ ଆଜି ସୁଦ୍ଧା ରିପୋର୍ଟ ସାମ୍ନାକୁ ଆସିପାରିଲାନି। ଠିକ୍ ଏମିତି ସମୟରେ ଗତ ୧୮ ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ଆଇନ ବିଭାଗର ଚିଠି ଏହି ପ୍ରସଙ୍ଗକୁ ପୁନର୍ଜୀବିତ କରିଛି। କିଛି ଭକ୍ତଙ୍କ ଅଭିଯୋଗ ପରେ ଆଇନ ବିଭାଗ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଦୃଷ୍ଟି ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି।

Advertisment

publive-image Goibibo

୨୦୧୯ ସେପ୍ଟେମ୍ବର ୭ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ଦିଲୀପ କୁମାର ବରାଳ ଓଡ଼ିଶା ରାଜ୍ୟପାଳଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ସେ ଉଲ୍ଲେଖ କରିଥିଲେ, ୨୦୧୮ ଏପ୍ରିଲ ୪ରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଓ ରାଜ୍ୟ ସରକାରଙ୍କୁ ଅନୁମତି ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରାଯାଇଥିଲା। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କିନ୍ତୁ କିଛି ସମୟ ପରେ ଗଣମାଧ୍ୟମ ଆଗରେ କୁହାଗଲା କି ରତ୍ନଭଣ୍ଡାର ଚାବି ହଜିଯାଇଛି। ଏହି ଘଟଣାର କିଛି ଦିନ ପରେ ତତ୍କାଳୀନ ଜିଲ୍ଲାପାଳ ରତ୍ନଭଣ୍ଡାର ଚାବିର ନକଲ ରେକର୍ଡ଼ ରୁମରୁ ମିଳିଲା ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କଲେ। ଚାରିଆଡ଼ୁ ବିରୋଧର ସ୍ବର ଉଠିବା ପରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ତଦନ୍ତ କମିସନ୍‌ ଗଠନ କରାଗଲା। କିନ୍ତୁ ଯେଉଁ ଅଧିକାରୀ ଏଭଳି ଦାୟିତ୍ବହୀନ କାମ କଲେ, ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନି ବୋଲି ଶ୍ରୀ ବରାଳ କହିଛନ୍ତି। ଏଭଳି ପରିସ୍ଥିତିରେ ଭିତର ରତ୍ନଭଣ୍ଡାରର ସୁରକ୍ଷା ନେଇ ସେ ଚିନ୍ତାପ୍ରକଟ କରିଥିଲେ। ରାଜ୍ୟ ସରକାର, ଆଇନ ବିଭାଗ, ମୁଖ୍ୟ ଶାସନ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାକୁ ସେ ରାଜ୍ୟପାଳଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

publive-image

ଏହି ଅଭିଯୋଗ ଆଧାରରେ ଗତ ୧୮ ତାରିଖରେ ଆଇନ ବିଭାଗ ଶ୍ରୀମନ୍ଦିର ପ୍ରଶାସନକୁ ଏକ ଚିଠି (ନଂ-୭୫୩୫) କରିଛି। ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ବିହିତ ତଥା ଉପଯୁକ୍ତ ପଦକ୍ଷେପ ନେବାକୁ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। କ'ଣ ପଦକ୍ଷେପ ଶ୍ରୀମନ୍ଦିର ପ୍ରଶାସନ ନେଲା, ସେ ସଂପର୍କରେ ଆଇନ ବିଭାଗ ଓ ଅଭିଯୋଗକାରୀଙ୍କୁ ଜଣାଇବାକୁ ବି କୁହାଯାଇଛି। ଏଥିସହିତ ରତ୍ନଭଣ୍ଡାର ଖୋଲିବା ନେଇ ପୁଣି ଥରେ ଆଶା ଉଜ୍ଜୀବିତ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କ'ଣ ପଦକ୍ଷେପ ନେଉଛି, ତାହା କେବଳ ଦେଖିବାକୁ ବାକି ରହିଛି।

ଅନ୍ୟପଟେ ପୁରୀର ଦୁର୍ଗାପ୍ରସାଦ ମହାପାତ୍ର ମୁକ୍ତିମଣ୍ଡପର ଅନେକ ପଦବି ଖାଲି ପଡ଼ିଥିବା ସଂପର୍କରେ ଆଇନ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ପ୍ରସଙ୍ଗରେ ବି ଆଇନ ବିଭାଗ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ବିହିତ ପଦକ୍ଷେପ ନେବାକୁ କହିଛି। ଆଇନ ବିଭାଗର ଚିଠି ସଂପର୍କରେ ଶ୍ରୀ ବରାଳ କହିଛନ୍ତି, ରତ୍ନଭଣ୍ଡାରରେ କ'ଣ ଅଛି, ଆଜି ସୁଦ୍ଧା କାହାରିକୁ ଜଣାନାହିଁ। କିନ୍ତୁ ଯେଉଁ ଭଳି ଢ଼ଙ୍ଗରେ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟାକୁ ବନ୍ଦ କରି ଦିଆଗଲା, ତାହା ସନ୍ଦେହ ସୃଷ୍ଟି କରିଛି। ରତ୍ନଭଣ୍ଡାରରୁ ରତ୍ନ ଚୋରି ହୋଇଯିବା ନେଇ ବି ସନ୍ଦେହ ଦୃଢ଼ୀଭୂତ ହୋଇଛି। ଏଭଳି ସ୍ଥିତିରେ ରତ୍ନଭଣ୍ଡାରର ଯାଞ୍ଚ ହେଉ।