ଏବର୍ଷ ଲାଗିବ ୧୦ କୋଟି ଚାରା, ୧.୧୬ ଲକ୍ଷ ହେକ୍ଟର ବନୀକରଣ ଲକ୍ଷ୍ୟ

ବଣ୍ଟାଯିବ ୪ କୋଟି ୯୦ ଲକ୍ଷ ଚାରା, ଜଙ୍ଗଲ ନିଆଁ ରୋକିବାକୁ ୪୦ କୋଟି ବ୍ୟୟ

ଭୁବନେଶ୍ବର : ଆଗକୁ ବର୍ଷା ଋତୁ ଆସୁଛି। ତାହାକୁ ନଜରରେ ରଖି ଓଡ଼ିଶାରେ ବ୍ୟାପକ ବୃକ୍ଷରୋପଣ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏବର୍ଷ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ପାଖାପାଖି ୧୦ କୋଟି ଚାରା ରୋପଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେଥିମଧ୍ୟରୁ ଏବେ ସୁଦ୍ଧା ପ୍ରାୟ ସାଢ଼େ ୩ କୋଟି ଚାରା ଲଗାଇବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

Business Insider

ପ୍ରକୃତି ସହ ଯୋଡ଼ି ହେବା ଲାଗି ଏଥର ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ବନ ସଂରକ୍ଷଣ ସମିତି ଗଠନ କରାଯାଇ ଜଙ୍ଗଲ ସୁରକ୍ଷା, ବୃକ୍ଷରୋପଣକୁ ପ୍ରାଥମିକତା ଦିଆଯିବା ସହ ‘ଗ୍ରିନ ମହାନଦୀ ମିସନ’ ଓ ‘ଆମ ଜଙ୍ଗଲ ଯୋଜନା’ ମାଧ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇ ଓଡ଼ିଶାରେ ଜଙ୍ଗଲ ସମ୍ପଦର ବୃଦ୍ଧି କରାଯିବ। ବର୍ଷା ସମୟରେ ବିଭିନ୍ନ ସାମାଜିକ ସଙ୍ଗଠନ, ସ୍କୁଲ, କଲେଜ ପରି ଶିକ୍ଷାନୁଷ୍ଠାନ, କର୍ପୋରେଟ ସଂସ୍ଥା, ବ୍ୟକ୍ତିବିଶେଷଙ୍କ ସହ ମିଶି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ। ୨୦୨୧-୨୨ ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନାରେ ୧ ଲକ୍ଷ ୧୦ହଜାର ହେକ୍ଟର ଅଞ୍ଚଳରେ ବନୀକରଣ କରାଯାଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ୧ ଲକ୍ଷ ୧୬ହଜାର ହେକ୍ଟର ଅଞ୍ଚଳରେ ବନୀକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଜଙ୍ଗଲ ଭିତରେ ବୃକ୍ଷରୋପଣ ଲାଗି ୪ କୋଟି ୮୮ଲକ୍ଷ ଚାରା ଉତ୍ପାଦନ ହେବ। ଜଙ୍ଗଲ ଅଞ୍ଚଳ ବାହାରେ ବୃକ୍ଷରୋପଣ ଲାଗି ବିଭିନ୍ନ ଅନୁଷ୍ଠାନ, ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ୪ କୋଟି ୯୦ ଲକ୍ଷ ଚାରା ବଣ୍ଟନ କରି ବନୀକରଣ ଯୋଜନାକୁ ବ୍ୟାପକ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜଙ୍ଗଲ, ପରିବେଶ ଓ କଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।

dw.com

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଓ ଆମ ଜଙ୍ଗଲ ଯୋଜନା କାର୍ଯ୍ୟକାରୀ ହେଉଛି। ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ, ବାରିପଦା ଓ ରାଇରଙ୍ଗପୁର ବନଖଣ୍ଡରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ଦ୍ବାରା ତିନୋଟି ଶାଳପତ୍ର ଉତ୍ପାଦନ ପୁଞ୍ଜ ଗଠନ କରାଯାଇ ଜଙ୍ଗଲ ନିକଟରେ ଥିବା ଲୋକଙ୍କ ଜୀବିକାର ମାନ ବୃଦ୍ଧି ଲାଗି ବ୍ୟବସ୍ଥା କରାଯାଇଛି। ଆମ ଜଙ୍ଗଲ ଯୋଜନାରେ ରାଜ୍ୟର ୨୦ ଲକ୍ଷ ୪୩ ହଜାରରୁ ଅଧିକ ହିତାଧିକାରୀ ଉପକୃତ ହୋଇଛନ୍ତି। ୧୪ ହଜାର ୨୬୩ଟି ସ୍ବୟଂ ସହାୟକ ଗୋଷ୍ଠୀର ୧ ଲକ୍ଷ ୫୧ ହଜାରରୁ ଅଧିକ ସଦସ୍ୟ ସାମିଲ ହୋଇଛନ୍ତି। ୨୦୨୧ ତୁଳନାରେ ୨୦୨୨ରେ ଜଙ୍ଗଲ ନିଆଁ ଘଟଣା ୫୦% ହ୍ରାସ ପାଇଛି। ଏହି ସବୁ କାର୍ଯ୍ୟକ୍ରମ ଲାଗି ଚଳିତ ଆର୍ଥିକ ବର୍ଷରେ ୪୦କୋଟି କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି।

ଭାରତୀୟ ଜଙ୍ଗଲ ସର୍ବେକ୍ଷଣ(ଆଇଏସଏଫସି) ସର୍ଭେ ଅନୁଯାୟୀ, ୨୦୧୭ରେ ରାଜ୍ୟରେ ୫୧ ହଜାର ୩୪୫ ବର୍ଗ କିମି ଅଞ୍ଚଳରେ ଜଙ୍ଗଲ ପରିବ୍ୟାପ୍ତ ଥିଲା। ୨୦୧୯ରେ ଏଥିରେ ଆଉ ୨୭୪ ବର୍ଗ କିମି ଯୋଡ଼ି ହୋଇଥିଲା। ୨୦୧୯ରୁ ୨୦୨୧ ମଧ୍ୟରେ ୮୯୩ ବର୍ଗ କିମି ଜଙ୍ଗଲ ଓ ବନାଞ୍ଚଳ ବୃଦ୍ଧି ହୋଇଛି। ଓଡ଼ିଶାର ଭୌଗୋଳିକ ଅଞ୍ଚଳର ୩୩% ଜଙ୍ଗଲ ଆଚ୍ଛାଦିତ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହେନ୍ତାଳ ବଣ ବହୁ ପରିମାଣରେ ସହାୟକ ହୋଇଥାଏ। ୨୦୨୧ର ସର୍ବେକ୍ଷଣ ଅନୁଯାୟୀ ହେନ୍ତାଳ ବଣ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା‌ ଦେଶରେ ପ୍ରଥମ ହୋଇଛି।

ସମ୍ବନ୍ଧିତ ଖବର