କିରାସିନି ଦୁର୍ନୀତିକୁ ଚାପିଦେବ କି ପ୍ରଶାସନ?

ଡିଲରଙ୍କୁ ସୁହାଇଳା ଭଳି ରିପୋର୍ଟ ଦେଲେ ବିଡିଓ, କହିଲେ ଯିଏ ଯେତିକିରେ କିଣିଛି, ସେତିକିରେ ବିକିଛି

କଟକ: କଟକରେ କିରାସିନି କେଳେଙ୍କାରୀ ଘଟଣାକୁ ଚାପି ଦେବାକୁ ବସିଛି ପ୍ରଶାସନ। ଟିମ୍‌ କରି ତଦନ୍ତ କଲା ଯୋଗାଣ ବିଭାଗ, ଗୋଟିଏ ବ୍ଲକ୍‌ରେ ଦୁଇଟି ଦରରେ କିରାସିନି ବିକ୍ରି ହେଉଥିବା ଘଟଣାକୁ ମଧ୍ୟ ସ୍ବୀକାର କଲା। ହେଲେ କାର୍ଯ୍ୟନୁଷ୍ଠାନ ବେଳକୁ ଚୁପ୍‌ । ଏପଟେ ମାହାଙ୍ଗା ବିଡିଓ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେଲେ ଯେ, ଯେଉଁ ଡିଲର ଯେଉଁ ଦରରେ ହୋଲସେଲରଙ୍କଠାରୁ କିରାସିନି କିଣିଥିଲେ ସେହି ଦରରେ ବିକିଲେ। ଅର୍ଥାତ୍‌ ପରୋକ୍ଷରେ ବିଡିଓଙ୍କ ରିପୋର୍ଟ କହୁଛି ହିତାଧିକାରୀଙ୍କ ଅଭିଯୋଗ ସତ, ହେଲେ ଡିଲରମାନେ ମଧ୍ୟ ମୂଲ୍ୟ ବୃଦ୍ଧି ପାଇଁ ଏଭଳି ତିନିପ୍ରକାର ଦରରେ କିରାସିନି ବିକିଛନ୍ତି । ଡିଲର-ହୋଲସେଲର ଓ ପ୍ରଶାସନିକ ମଧୁଚକ୍ରିକାରେ ଜଣେ ସାଧାରଣ ହିତାଧିକାରୀ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ନୁହେଁ ବରଂ ଡିଲର କରିଥିବା ଦରରେ କିଣିବ କିରାସିନି ବୋଲି ସୂଚାଇ ଦେଇ ପରୋକ୍ଷରେ ପ୍ରଶାସନ କିରାସିନି କେଳେଙ୍କାରୀକୁ ଚାପି ଦେବାକୁ ବସିଥିବା ଅଭିଯୋଗ ହୋଇଛି।

ଏପଟେ ଯୋଗାଣ ବିଭାଗ ସଚିବ କିରାସିନି ସରକାରୀ ଦରଠାରୁ ଅଧିକ ମୂଲ୍ୟରେ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। କିନ୍ତୁ ସେହି ‌ନିର୍ଦ୍ଦେଶନାମାକୁ ଫୁ କରି ମାହାଙ୍ଗା ବ୍ଲକ୍‌ ରାହାଣିଆ ପଞ୍ଚାୟତର କାଳିଅଣ୍ଟି ଗ୍ରାମରେ ୧୫ଟଙ୍କା ବଦଳରେ ୨୮ଟଙ୍କାରେ କିରାସିନି ବିକ୍ରି କରୁଛନ୍ତି ଡିଲର। ଏ ସଂପର୍କରେ କଟକ ଜିଲ୍ଲା ଯୋଗାଣ ବିଭାଗ, ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଚୁପ୍‌। ଅଭିଯୋଗ ଅନୁସାରେ, କାଳିଅଣ୍ଟି ଗ୍ରାମର ରିଟେଲର ସହଦେବ ସାହୁ ହିତାଧିକାରୀଙ୍କୁ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ କିରାସିନି ଲିଟର ପିଛା ୧୫ ଟଙ୍କା ପରିବର୍ତ୍ତେ ୨୮ ଟଙ୍କା ବିକ୍ରି କରୁଛନ୍ତି। କାଳିଅଣ୍ଟି ଗ୍ରାମର ରାସନ୍‌ କାର୍ଡ ହିତାଧିକାରୀ ସେବତୀ ମହାନ୍ତି, କମଳା ସେନାପତି, ଇତିଶ୍ରୀ ପୃଷ୍ଟି, କାମିନୀ ସାମଲ, ସ୍ମିତାରାଣୀ ସାମଲ, ମାନସୀ ଜେନା, ମିତାଞ୍ଜଳୀ ଜେନା, ରେଣୁକା ଜେନା ପ୍ରମୁଖ ଅଭିଯୋଗ ଆଣିଛନ୍ତି ଯେ କିରୋସିନି ପାଇଁ ଡିଲର ତାଙ୍କଠାରୁ ଲିଟର ପ୍ରତି ୨୮ ଟଙ୍କା ନେଇଥିଲେ। କେବଳ କାଳିଅଣ୍ଟି ପଞ୍ଚାୟତରେ ନୁହେଁ ଏହି ବ୍ଲକ ଅନ୍ତର୍ଗତ କଇଥା, ସମସରପୁର, କୁଣ୍ଡି, ନୃତ୍ତାଙ୍ଗ, ଚାହାପଡା, ବାସୁଦେବପୁର, ରାହାଣିଆ, ନାହାଙ୍ଗ, ପଲ୍ଲିସାହି, ବରାହିପୁର, ଭଉଁରିଆ ଆଦି ବିଭିନ୍ନ ପଂଚାୟତରେ ଏପ୍ରିଲ ମାସରେ କିରାସିନି ଲିଟର ପିଛା ୪୦ଟଙ୍କା ଓ ମେ ମାସରେ ଲିଟର ପିଛା ୩୦ଟଙ୍କା ଲେଖାଏ ରାସନ କାର୍ଡଧାରୀଙ୍କ ଠାରୁ ଡିଲରମାନେ ନେଇଥିବା ସଂପର୍କରେ ହିତାଧିକାରୀ ଅଭିଯୋଗ କରିଛନ୍ତି ।

ଏ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଅମର ମହାପାତ୍ର କହିଛନ୍ତି ଯେ, ମାହାଙ୍ଗା ବିଡିଓ ଘଟଣାର ତଦନ୍ତ କରି ରିପୋର୍ଟ ଦେଇଛନ୍ତି। ଯେହେତୁ ସେହି ସମୟରେ ତିନି ପ୍ରକାର ଦରରେ ଡିଲର କିରାସିନି କିଣିଥିଲେ ତେଣୁ ସେହି ଦର ଅନୁସାରେ ସେମାନେ ଖାଉଟିଙ୍କୁ କିରାସିନି ବିକ୍ରି କରିଛନ୍ତି। ଡିଲରମାନେ ହିତାଧିକାରୀଙ୍କୁ କିରାସିନି ବିକ୍ରିରେ ଅନିୟମିତତା କରିନାହାନ୍ତି ବୋଲି ସେ କହିଛନ୍ତି। ହେଲେ ହୋଲସେଲରଠାରୁ ଡିଲର କେଉଁ ଦରରେ କିରାସିନି କିଣିଲେ, ସେହି ଅନୁଯାୟୀ ସାଧାରଣ ହିତାଧିକାରୀ କିରାସିନି କିଣିବ, ନା ସରକାରଙ୍କ ଧାର୍ଯ୍ୟ ଦର ଅନୁଯାୟୀ କିଣିବ, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର