ଭୁବନେଶ୍ବର: ଗୋଟିଏ କି ଦୁଇଟି ନୁହେଁ, ଇତିମଧ୍ୟରେ ୧୩ଟି ଜୀବନ୍ତ ବିରଳ ବଜ୍ରକାପ୍ତା ଧରାହେଲାଣି। ୩୦ କେଜି ୪୦୦ ଗ୍ରାମ୍ ବଜ୍ରକାପ୍ତା କାତି ଜବତ ହୋଇଛି। ନିଜେ କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର ଟାସ୍କଫୋର୍ସ ଏହି ରିପୋର୍ଟ ଦେଇଛନ୍ତି। ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ ଗତ ଦୁଇବର୍ଷ ଭିତରେ ସେମାନେ ୨୭ଟି ଚିତାବାଘ ଛାଲ, ୧୮ଟି ହାତୀଦାନ୍ତ, ୭ଟି ହରିଣ ଚମଡା, ୨ଟି ଚିତାବାଘ ଦାନ୍ତ,୨୯ଟି ଚିତାବାଘ ପଞ୍ଝା, ୪୬ଟି ଜୀବନ୍ତ ଶୁଆ ଆଦି ଜବତ କରିବା ସହିତ ୬୭ ଜଣ ଅପରାଧୀଙ୍କୁ ଗିରଫ କରିଛନ୍ତି।

Advertisment

ପ୍ରଶ୍ନ ଉଠୁଛି, ଯଦି ଧରାପଡ଼ିଥିବା ବଜ୍ରକାପ୍ତାଙ୍କ ସଂଖ୍ୟା ଏତେ, ତେବେ ଚାଲାଣ ହେଉଥିବା ବଜ୍ରକାପ୍ତାଙ୍କ ସଂଖ୍ୟା ଏହାର କେତେଗୁଣ ହୋଇଥିବ? କାତିର ପରିମାଣ ଆହୁରି ସୂଚାଇ ଦେଉଛି, କେତେ ସଂଖ୍ୟକ ବଜ୍ରକାପ୍ତାଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦିଆଯାଉଛି। ପୁଣି ଏସ୍‌ଟିଏଫ୍ ଅପରେସନରେ ଏତେ ସଫଳତା ମିଳୁଥିବାବେଳେ ବନ ବିଭାଗ ଏମାନଙ୍କୁ ପାଉନି କାହିଁକି? ଏସ୍‌ଟିଏଫ୍ ଯେଉଁମାନଙ୍କୁ ବାନ୍ଧିଲା, ସେମାନେ ଏବେ ଜେଲ ଭିତରେ ନା ବାହାରେ? ଏହି ଲିଙ୍କ୍‌ରେ ଏସ୍‌ଟିଏଫ୍ ଗିରଫ କରିଥିବା ଅପରାଧୀଙ୍କୁ ଛାଡି ଅନ୍ୟ ବା ଏହି ଲିଙ୍କ୍‌ରେ ଅଧିକ ଅପରାଧୀଙ୍କୁ ବନ ବିଭାଗ ଗିରଫ କରିପାରୁନି କାହିଁକି? ଯଦି କରିଛି, ତେବେ ସେ ରିପୋର୍ଟ କାଇଁ? ବଜ୍ରକାପ୍ତା ଓଡ଼ିଶାରୁ ଲୋପ ପାଇଯିବନି ତ?
ଏଥିସହିତ ରାଜ୍ୟରେ ବିରଳ ବଜ୍ରକାପ୍ତା ସୁରକ୍ଷା ପ୍ରସଙ୍ଗଟି ପୁଣିଥରେ ଚର୍ଚ୍ଚାକୁ ଫେରିଛି। ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ଉଦାସୀନପଣ ଜଳ ଜଳ। ସଂପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେବେ ମନ୍ତ୍ରୀମାନଙ୍କ ପାରଦର୍ଶିତା ରିପୋର୍ଟକୁ ଯାଞ୍ଚ କରିବାର ସମୟ ଆସିଛି, ସେବେ ଜଙ୍ଗଲରେ ବନ୍ୟଜନ୍ତୁ, ବିଶେଷକରି ବଜ୍ରକାପ୍ତା ଭଳି ବିରଳ ପ୍ରାଣୀଙ୍କ ସୁରକ୍ଷା କ୍ଷେତ୍ରରେ ମନ୍ତ୍ରୀ, ସଚିବଙ୍କ ପ୍ରଦର୍ଶନ ବିଚାରକୁ ନିଆଯିବ ନା ନାହିଁ ତାହା ଉପରେ ବନ୍ୟପ୍ରାଣୀ ବିଶେଷଜ୍ଞମାନଙ୍କର ନଜର ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପରିବେଶ ପ୍ରତି ବିଶେଷ ସତର୍କ ନଜର ରଖୁଥିବା ପରିପ୍ରେକ୍ଷୀରେ ଏହି କଥାଟିର ଗୁରୁତ୍ବ ବଢିଛି। ତା’ ସତ୍ତ୍ବେ ବନ ବିଭାଗ ବେଫିକର ଭାବେ କାର୍ଯ୍ୟ କରିବା ଘଟଣା ବିଶେଷଜ୍ଞମାନଙ୍କୁ ବିସ୍ମିତ କରୁଛି। ୮୦ ନିୟୁତ ବର୍ଷ ଧରି ପୃଥିବୀ ପୃଷ୍ଠରେ ଚଲାବୁଲା କରୁଥିବା ପତଙ୍ଗଭୋଜି ଲାଜୁଆ ପ୍ରାଣୀ ବଜ୍ରକାପ୍ତା ଏବେ ଭୀଷଣ ଅସ୍ତିତ୍ବ ସଙ୍କଟ ଭିତରେ ଗତି କରୁଛି। ୨୦୧୬ ମସିହାରେ ପୃଥିବୀର ୧୮୦ଟି ଦେଶର ସରକାର ବଜ୍ରକାପ୍ତା ସୁରକ୍ଷା ଚୁକ୍ତିରେ ଦସ୍ତଖତ କରିଛନ୍ତି। ଏହାସତ୍ତ୍ବେ ବଜ୍ରକାପ୍ତା ସର୍ବାଧିକ ବିପନ୍ନ ପ୍ରଜାତିର ସ୍ତନ୍ୟପ୍ରାୟୀ ପ୍ରାଣୀ, ଯାହାର ଚୋରାଚାଲାଣ ପ୍ରସଙ୍ଗ ଏବେ ସମଗ୍ର ବିଶ୍ବର ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି। ଭାରତରୁ ବିଦେଶକୁ ଏହି ପ୍ରାଣୀ ବେଧଡକ ଭାବେ ରପ୍ତାନି େହଉଛି। ଓଡ଼ିଶା ଏ ମଧ୍ୟରେ ଏକ ପ୍ରମୁଖ ରାଜ୍ୟ। ଏହି ପ୍ରାଣୀକୁ ଭାରତରେ ବନ୍ୟପ୍ରାଣୀ ବିଭାଗ ସିଡ୍ୟୁଲଡ ୧ ଶ୍ରେଣୀ ଭୁକ୍ତ କରିଛନ୍ତି।

ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ପାଖାପାଖି ଆଠ ବର୍ଷ ତଳୁ ବିଶ୍ବ ବଜ୍ରକାପ୍ତା ଦିବସ ପାଳନ କରାଯାଉଛି। ଓଡ଼ିଶା ସରକାର କିନ୍ତୁ ଏହି ଦିବସ ପାଳନ କରିବା ଲାଗି ଏଯାଏ ଆଗ୍ରହ ଦେଖାଇନାହାନ୍ତି। ଏମାନଙ୍କର ସୁରକ୍ଷା ପାଇଁ କୌଣସି ଠୋସ୍ କାର୍ଯ୍ୟକ୍ରମ ବା ଅଭିଯାନ ଆରମ୍ଭ ହୋଇନାହିଁ। ବାସ୍ତବରେ ଏମାନଙ୍କର ସଂଖ୍ୟା ଆମ ରାଜ୍ୟରେ କେତେ, ସେମାନେ କେଉଁ କେଉଁ ଜଙ୍ଗଲରେ ଅଧିକ ଅଛନ୍ତି, ଏକଥା ଜାଣିବା ଲାଗି ସେମାନଙ୍କର ଗଣନା ହେବା ଦରକାର, ଯେଉଁଥିପାଇଁ ସରକାରଙ୍କର ଆଗ୍ରହ ମଧ୍ୟ ନାହିଁ।
ଏଠାରେ ସ୍ମରଣଥାଉକି, ୨୦୧୮ ମସିହା ଜୁନମାସରେ ନୟାଗଡ ଜିଲ୍ଲା ଦଶପଲ୍ଲା ଜଙ୍ଗଲରୁ ଦୁର୍ଦାନ୍ତ ମାଫିଆ ଶ୍ୟାମସୁଦ୍ଦିନ୍ ଖାଁକୁ ଗିରଫ କରାଯାଇଥିଲା। କ୍ରାଇମବ୍ରାଞ୍ଚ ଏସଟିଏଫ୍ ଶାଖା ସେବେ ଏହି ମାମଲାରେ ୫ଜଣଙ୍କୁ ଗିରଫ କରିଥିଲା, ଯେଉଁମାନଙ୍କ ମଧ୍ୟରୁ ଦୁଇଜଣ ମିଜୋରାମର ଥିେଲ। କୌତୂହଳର କଥା ହେଲା, ଶ୍ୟାମସୁଦ୍ଦିନ୍ େଗାଟିଏ ଅନ୍ତର୍ଜାତୀୟ ବନ୍ୟଜୀବ ମାଫିଆ ଥିଲା ଓ ସେ ଵାେଣ୍ଟଡ୍ ଥିଲା, ଏକଥା ବନବିଭାଗ ସେ ପର୍ଯ୍ୟନ୍ତ ଜାଣିପାରିନଥିଲେ। ଏକଥା କିନ୍ତୁ ଓଡ଼ିଶାର ବଜ୍ରକାପ୍ତା ଚୋରାଚାଲାଣ ସହିତ ମିଜୋରାମ ଲିଙ୍କକୁ ସାମ୍ନାକୁ ଆଣିଥିଲା। ୨୦୧୯-୨୦ ମସିହାରେ ଯେବେ ବଜ୍ରକାପ୍ତା ଚଢଉକୁ ଆଠଗଡ ଡିଭିଜନରେ ଜୋରଦାର କରାଯାଇଥିଲା, ସେବେ ପାଖାପାଖି ୨୦ ଜଣ ଅଭିଯୁକ୍ତଙ୍କୁ ବନ ବିଭାଗ ସାମ୍ନାକୁ ଆଣିଥିଲା। ହେଲେ ଏହି ଅପରାଧୀଙ୍କ ରାଜନୈତିକ ଓ ପ୍ରାଶାସନିକ ଲିଙ୍କ୍ ଏତେ ସକ୍ରିୟ ଥିଲା ଯେ ବନ ବିଭାଗର ଅପରେସନ୍ ବଜ୍ରକାପ୍ତାରେ ଡୋରି ଲାଗିଗଲା। ଏହାପରଠାରୁ ଆଠଗଡ଼ ଡିଭିଜନରେ ବଜ୍ରକାପ୍ତାକୁ ନେଇ କୋଳାହଳ ନାହିଁ। କେବଳ ସେତିକି ନୁହେଁ, ଏସଟିଏଫ୍ ଯେବ ଚଢଉ କରି ସଫଳତା ପାଉଛି, ସେବେ ବନବିଭାଗରେଏ ତତ୍ପରତା ଦେଖାଯାଉନାହିଁ। ରାଜ୍ୟ ବନବିଭାଗର ମୁଖିଆମାନେ ବଜ୍ରକାପ୍ତା ଅପରେସନ୍ କରି େଚାରା କାରବାରରେ ପୂର୍ଣ୍ଣଚ୍ଛେଦ ଟାଣିବା ଲାଗି ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିନାହାନ୍ତି।

ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଓଡ଼ିଶାର ଅଧା ଜଙ୍ଗଲରେ ବଜ୍ରକାପ୍ତାଙ୍କ ଉପସ୍ଥିତି ରହିଛି। ମୟୂରଭଞ୍ଜ ଠାରୁ ଗଜପତି, ଦେବଗଡରୁ ମାଲକାନଗିରି, ବ୍ରହ୍ମଗିରି, ଭୁବନେଶ୍ବର ଉପକଣ୍ଠ ଯାଏ ସବୁଠି ବଜ୍ରକାପ୍ତା ମାଫିଆ ସକ୍ରିୟ ଅଛନ୍ତି। ଆହୁରି ଗୁରୁତ୍ବପୂର୍ଣ୍ଣ ହେଲା, ହାତୀ ଦାନ୍ତ କାରବାର ଉପରେ କଡ଼ା ପଦକ୍ଷେପ ନିଆଯିବା ପରେ ଏବେ ଶିକାରୀଙ୍କର ସହଜ ଟାର୍ଗେଟ ପାଲଟିଛି ବଜ୍ରକାପ୍ତା। ଲକ୍ଷ ଲକ୍ଷ ଟଙ୍କା ଏହା ବିନିମୟରେ ସେମାନେ ହାସଲ କରୁଛନ୍ତି। ସେହିଭଳି ଭଦ୍ରକ, ବାଲେଶ୍ବର ଦେଇ ମାଫିଆମାନେ କୋଲକାତାକୁ ବଜ୍ରକାପ୍ତା ପଠାଉଛନ୍ତି ଓ ସେଠାରୁ ଏହା ମିଆଁମାର, ଚୀନ ପର୍ଯ୍ୟନ୍ତ ଯାଉଥିବା କୁହାଯାଉଛି। ହେଲେ ଏସ୍‌ଟିଏଫ୍ ଥରେ ଅପରାଧୀଙ୍କୁ ଗିରଫ କରି ଜଙ୍ଗଲ ବିଭାଗ ହାତକୁ ମାମଲା ଦେବା ପରେ ତଦନ୍ତ ରକେଟ୍ ଭଳି ଗତି କରୁନି। ଏହି ପ୍ରସଙ୍ଗରେ ଏସଟିଏଫ୍ ଡିଆଇଜି ଜୟ ନାରାୟଣ ପଙ୍କଜଙ୍କର କହିବା କଥା ହେଲା, ବନ୍ୟପ୍ରାଣୀ ମାମଲା ସଂଖ୍ୟା ବଢ଼ୁ ଥିବାରୁ ଏସଟିଏଫ୍ ନିଜେ ତଦନ୍ତ କରିବା ସମୟ ସାପେକ୍ଷ। ତେଣୁ ସ୍ଥାନୀୟ ବନ ତଦନ୍ତକାରୀ ଟିମ୍ ସହ ଏସଟିଏଫ୍ ଯୋଗାଯୋଗରେ ରହୁଛି। ଗୁଇନ୍ଦା ସୂଚନା ସଂଗ୍ରହ ଠାରୁ ଆରମ୍ଭ କରି ତଦନ୍ତ ପର୍ଯ୍ୟନ୍ତ ସବୁ ପ୍ରକାର ସହାୟତା ଯୋଗାଇ ଦେଉଛି।