ଲକ୍‌ଡାଉନ୍ ପରେ ବସ୍‌ ଗଡ଼ିବ ତ?

ସଂକଟରେ ୧୪ ହଜାର ବସ୍‌ ମାଲିକ, ୨୫ହଜାର କର୍ମଚାରୀ

ଭୁବନେଶ୍ବର : ପ୍ରାୟ ଦୁଇ ମାସ ହେଲା ରାଜ୍ୟରେ ବନ୍ଦ ହୋଇପଡ଼ିଛି ବସ୍‌ ସେବା। ପ୍ରଥମ ଲହରର ଦୁର୍ଦ୍ଦଶା ପରେ ଚଳିତ ବର୍ଷର ଦ୍ବିତୀୟ ଲହରରେ ବି କରୋନା ସହିତ ଲକ୍‌ଡାଉନ୍, ସଟ୍‌ଡାଉନ୍‌ ବସ୍‌ ବ୍ୟବସାୟକୁ ଧରାଶାୟୀ କରି ଦେଇଛି। ଏଥିଯୋଗୁଁ ଦୁର୍ଦ୍ଦିନରେ କାଳ କାଟୁଛନ୍ତି ୧୪ ହଜାରରୁ ଊର୍ଧ୍ବ ବସ୍‌ ମାଲିକ ଏବଂ ୨୫ ହଜାର କର୍ମଚାରୀ। ଏଭଳି ସ୍ଥିତିରେ ଆସନ୍ତା ମାସ ରାଜ୍ୟରୁ ଲକ୍‌ଡାଉନ୍ ‌ହଟି ବସ୍‌ ଚଳାଚଳ ପାଇଁ ଅନୁମତି ମିଳିଲେ ମଧ୍ୟ ବସ୍‌ ମାଲିକମାନେ ବସ୍‌ ଚଳାଇବା ଅବସ୍ଥାରେ ନାହାନ୍ତି।

ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏମ୍‌ଭି ଟିକସ ଛାଡ଼ ସମେତ ବିଭିନ୍ନ ଦାବି କରିଛି ଘରୋଇ ବସ୍‌ ମାଲିକ ସଂଘ। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିପ୍ରତି ଦୃଷ୍ଟି ଦିଆ ନ ଗଲେ ଲକଡାଉନ୍‌ ପ୍ରତ୍ୟାହାର ହେବା ପରେ ବି ଗାଡ଼ି ଚଳାଚଳ ହୋଇପାରିବ ନାହିଁ ବୋଲି କହିଛନ୍ତି ଘରୋଇ ବସ୍‌ ମାଲିକ ସଂଘର ଆବାହକ ଦେବାଶିଷ ନାୟକ। ସଂଘ କହିଛି ଯେ ଗତବର୍ଷ କରୋନା ଯୋଗୁଁ ବସ୍‌ ବ୍ୟବସାୟ ବ୍ୟାପକ କ୍ଷତିଗ୍ରସ୍ତ ହେବା ପରେ ରାଜ୍ୟ ସରକାର ଏପ୍ରିଲ, ମେ ମାସରେ ଏମ୍‌ଭି ଟିକସକୁ ଛାଡ଼ କରିଥିଲେ। ବ୍ୟାଙ୍କ କିସ୍ତିଗୁଡ଼ିକ ୩ ମାସ ସ୍ଥଗିତ ରଖିବା, ୩ ମାସର ଅଧିକ ସୁଧ ଛାଡ଼ ସହିତ ବୀମା ପ୍ରିମିୟମ ଅବଧିକୁ ୩ ମାସ ପର୍ଯ୍ୟନ୍ତ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଲକ୍‌ଡାଉନ୍‌ କୋହଳ କିମ୍ବା ପ୍ରତ୍ୟାହାର ହେବା ପରେ ମଧ୍ୟ କରୋନା ଯୋଗୁଁ ବସ୍‌ରେ ଯାତ୍ରୀ ହେବା ନେଇ କୌଣସି ନିଶ୍ଚିତତା ନାହିଁ। ଡିଜେଲ ଦର ମାତ୍ରାଧିକ ବୃଦ୍ଧି ହେବା ଯୋଗୁଁ ବସ୍‌ ଚଳାଚଳରେ ଖର୍ଚର ପରିମାଣ ବହୁ ଗୁଣ ବଢ଼ିଯାଇଛି। ଏଥିସହିତ ରୋଡ଼ ଟିକସ, ବ୍ୟାଟେରି, ଟାୟାର ଅନ୍ୟାନ୍ୟ ଯନ୍ତ୍ରାଂଶ ପାଇଁ ଅନେକ ଟଙ୍କା ଖର୍ଚ କରିବାକୁ ପଡ଼ିବ। ଏଥିଯୋଗୁଁ ମାଲିକ ବସ୍‌ ଚଳାଚଳ ଜାରି ରଖିଲେ ଦୈନିକ ସେମାନେ ୧୦ ହଜାର ଟଙ୍କା କ୍ଷତି ସହିବା ନିଶ୍ଚିତ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ୩ ମାସର ଏମ୍‌ଭି ଟିକସ ଛାଡ଼ ସହିତ ବ୍ୟାଙ୍କ କିମ୍ବା ଅନ୍ୟ ଅର୍ଥ ଲଗାଣକାରୀ ସଂସ୍ଥାମାନଙ୍କଠାରୁ ବିନା ସୁଧରେ ଅନ୍ୟୂନ ୧ ଲକ୍ଷ ଟଙ୍କା ଋଣ ବ୍ୟବସ୍ଥା କରାଇଲେ ବସ୍‌ ମାଲିକମାନେ ଏକ ବର୍ଷ ମଧ୍ୟରେ ଏହାର ପରିଶୋଧ କରିବେ। ଏଭଳି ହେଲେ ହିଁ ବସ୍‌ ମାଲିକମାନେ ରାସ୍ତାରେ ବସ୍‌ ଚଳାଇ ପାରିବେ। ଏଥିସହିତ ଆର୍‌ଟିଓମାନେ ବାହାର ରାଜ୍ୟକୁ ବସ ଚଳାଚଳ ପାଇଁ ପଡ଼ୋଶୀ ରାଜ୍ୟର ଆର୍‌ଟିଓମାନଙ୍କୁ ବସ୍‌ ଟିକସ ଛାଡ଼ କରିବାକୁ ଅନୁରୋଧ କରିବାକୁ ବୋଲି ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

ମହାମାରୀ ସମୟରେ ଅନେକ ବସ୍‌ ମାଲିକଙ୍କ ଅକାଳ ମୃତ୍ୟୁ ପାଇଁ ସେମାନଙ୍କ ପରିବାର ସଙ୍କଟାପନ୍ନ ସ୍ଥିତିରେ ଅଛନ୍ତି। ତେଣୁ ସେମାନଙ୍କ ଉତ୍ତରାଧିକାରୀଙ୍କ ଇଚ୍ଛା ଅନୁସାରେ ବସ୍‌ ପରମିଟ୍‌ ସହିତ ମାଲିକାନା ପରିବର୍ତ୍ତନ ପାଇଁ ସରକାର ପଦକ୍ଷେପ ନେବାକୁ ସଂଘ ଦାବି କରିଛି।

ସମ୍ବନ୍ଧିତ ଖବର