ଅଟକିଯିବ କି କଟକର ବିକାଶ? ପ୍ରଥମଥର ବିଜେପି, ବିଜେଡି, କଂଗ୍ରେସ ହାତରେ ବାଣ୍ଟି ହୋଇଛି ଅଞ୍ଚଳ

ସହଯୋଗ, ସମନ୍ବୟ ନ ରହିଲେ ସୃଷ୍ଟି ହେବ ପ୍ରଶାସନିକ ଅଚଳାବସ୍ଥା

କଟକ: ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ କଟକର ବିକାଶ କେଉଁ ଦିଗରେ ଯିବ ତାହାକୁ ନେଇ ବିଭିନ୍ନ ମହଲରେ ଆଶଙ୍କା ବଢିବାରେ ଲାଗିଛି। ସାଧାରଣ ନିର୍ବାଚନର ଫଳାଫଳ କଟକକୁ ଏକ ଭିନ୍ନ ସ୍ଥିତିରେ ନେଇ ରଖିଛି। ଏଭଳି ସ୍ଥିତି କଟକ ପାଇଁ ବି ପୂର୍ବରୁ କେବେ ସୃଷ୍ଟି ହୋଇ ନଥିଲା। କଟକର ପ୍ରତିନିଧିତ୍ବ ୩ଟି ଦଳ ଭିତରେ ବାଣ୍ଟି ହୋଇ ଯାଇଥିବାରୁ ଯଦି ତାଳମେଳ, ସମନ୍ବୟ ଓ ସହଯୋଗ ନରୁହେ ତେବେ କଟକର ବିକାଶମୂଳକ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି ହେବା ଆଶଙ୍କାକୁ ଏଡାଇ ହେବ ନାହିଁ।

କଟକ ପୌର ନିଗମର ୫୯ଟି ୱାର୍ଡ ରହିଛି ୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ। ବାରବାଟୀ-କଟକ, ଚୌଦ୍ବାର-କଟକ ଓ ସଦର କଟକର ଅଂଶ ରହିଛି କଟକ ପୌର ନିଗମ କ୍ଷେତ୍ରରେ। ଏହି ୩ଟି ବିଧାନସଭା ଆସନ ଏଥର ୩ ପ୍ରମୁଖ ଦଳ ଭିତରେ ବାଣ୍ଟି ହୋଇଯାଇଛି। ବାରବାଟୀ-କଟକରୁ କ‌ଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୋସ ନିର୍ବାଚିତ ହୋଇଥିବା ବେଳେ ଚୌଦ୍ବାର-କଟକରୁ ବିଜେଡିର ସୌଭିକ ବିଶ୍ବାଳ ଏବଂ ସଦରରୁ ବିଜେପିର ପ୍ରକାଶ ସେଠୀ ନିର୍ବାଚିତ ହୋଇଛନ୍ତି। ୨୦୦୯ ଓ ୨୦୧୪ରେ ୩ଟି ଯାକ ଆସନ ବିଜେଡି ହାତରେ ଥିଲା। ୨୦୧୯ରେ ବାରବାଟୀ-କଟକ ଆସନ କଂଗ୍ରେସ ଖାତାକୁ ଯାଇଥିଲା। ଅନ୍ୟପଟେ କଟକ ଲୋକସଭା ଆସନ ୧୯୯୮ରୁ ଲଗାତାର ଭାବେ ବିଜେଡି ହାତରେ ରହି ଆସିଥିବା ବେଳେ ୨୦୨୪ରେ ପ୍ରଥମ ଥର ବିଜେପି ହାତକୁ ଯାଇଛି। ଭର୍ତ୍ତୃହରି ମହତାବ ଯଦିଓ କଟକ ଲୋକସଭା ଆସନକୁ ପ୍ରତିନିଧିତ୍ବ କରୁଛନ୍ତି, କିନ୍ତୁ ପୂର୍ବରୁ ସେ ବିଜେଡିର ସାଂସଦ ଥିବା ବେଳେ ଏଥର ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ‌ଗୋଟିଏ ପଟେ କଟକର ଲୋକସଭା ଆସନ ଓ କଟକ ପୌର ନିଗମ ସହ ସଂପୃକ୍ତ ୩ ବିଧାନସଭା ଆସନ ବିଜେପି, ବିଜେଡି ଓ କଂଗ୍ରେସ ଭିତରେ ବାଣ୍ଟି ହୋଇଯାଇଥିବା ବେଳେ କଟକ ପୌର ନିଗମ କିନ୍ତୁ ରହିଛି ବିଜେଡି ହାତରେ। ବିଜେଡିର ସୁବାସ ସିଂହ ସିଧାସଳଖ ନିର୍ବାଚନରେ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟପଟେ ୫୯ଟି ୱାର୍ଡ ଭିତରୁ କଂଗ୍ରେସ ହାତରେ ୮ ଓ ବିଜେପି ହାତରେ ୭ଟି ୱାର୍ଡ ଥିବା ବେଳେ ଗୋଟିଏ ୱାର୍ଡ ସ୍ବାଧୀନ (୪୨ ନମ୍ବର) କର୍ପୋରେଟରଙ୍କ ହାତରେ ରହିଛି। ଅନ୍ୟ ଯେଉଁ ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ ସେମାନେ ଏବେ ବିଜେଡିର ସହଯୋଗୀ ଭାବେ ପରିଗଣିତ ହେଉଛନ୍ତି। ଫଳରେ ୫୯ରୁ ୪୩ଟି ୱାର୍ଡ ବିଜେଡି ଓ ବିଜେଡି ସହଯୋଗୀ ସଦସ୍ୟଙ୍କ ହାତରେ ରହିଛି।

ଲୋକସଭା ଓ ବିଧାନସଭା କ୍ଷେତ୍ର ଦୃଷ୍ଟିରୁ ବିଚାର କଲେ କଟକରେ ବିଜେଡି ସଂଖ୍ୟାଲଘୁ ହୋଇ ଯାଇଥିବା ବେଳେ ପୌର ନିଗମ ‌ୱାର୍ଡରେ କିନ୍ତୁ ବିଜେଡି ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠ ସ୍ଥିତିରେ ରହିଛି। କିନ୍ତୁ ୱାର୍ଡର କର୍ପୋରେଟର ଓ ବିଧାୟକ-ସାଂସଦଙ୍କ ମଧ୍ୟରେ ଯଦି ତାଳମେଳ ନ ରୁହେ ତେବେ କଟକର ବିକାଶକୁ ନେଇ ଆଶଙ୍କା ବଢିବା ସ୍ବାଭାବିକ। କଟକ ସଦର ବ୍ଲକ୍‌ରେ ପୂର୍ବରୁ ହୋଇଥିବା ଅନେକ କାର୍ଯ୍ୟର ବିଲ୍‌କୁ ସମୀକ୍ଷା କରିବା ପରେ ପୈଠ କରିବା ପାଇଁ ସଦର ବିଧାୟକଙ୍କ ଅଲିଖିତ ନିର୍ଦ୍ଦେଶ ବ୍ଲକ୍ ପ୍ରଶାସନକୁ ମିଳିଥିବା କୁହାଯାଉଛି। ସଦର ବିଜେପି ବିଧାୟକ ଶାସକ ଦଳର ହୋଇଥିବାରୁ ତାଙ୍କର ପ୍ରଭାବ ରହିବା ସ୍ବାଭାବିକ।

ଗତକାଲି କଟକ ପୌର ନିଗମର ବୈଠକରେ ନବ ନିର୍ବାଚିତ ପ୍ରତିନିଧିଙ୍କୁ ସ୍ବାଗତ ସହ କଟକର ସବୁଠୁ ବଡ ସମସ୍ୟା ଜଳ ନିଷ୍କାସନ ବ୍ୟବସ୍ଥା ସଂପର୍କରେ ଆଲୋଚନା ପାଇଁ ସ୍ବତନ୍ତ୍ର ବୈଠକ ବସିଥିଲା। ବୈଠକରେ ଯଦିଓ ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ସୌଭିକ ବିଶ୍ବାଳ ଓ ବିଧାୟକିକା ସୋଫିଆ ଫିରଦୋସ ଯୋଗ ଦେଇଥିଲେ, ସଦର ବିଧାୟକ ପ୍ରକାଶ ସେଠୀ କିନ୍ତୁ ଅନୁପସ୍ଥିତ ଥିଲେ। ଅନ୍ୟପଟେ ଏଭଳି ଏକ ବୈଠକକୁ କଟକ ପୌର ନିଗମର ସମସ୍ତ କର୍ପୋରେଟରଙ୍କୁ ବି ଡକା ନଯିବା ଘଟଣାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। କଟକର ଅନେକ ପ୍ରକଳ୍ପ ଅଧାପନ୍ତରିଆ ସ୍ଥିତିରେ ଥିବାରୁ ସାମଗ୍ରିକ ବିକାଶ ପାଇଁ ଲୋକପ୍ରତିନିଧିଙ୍କ ମଧ୍ୟରେ ତାଳମେଳ ଓ ସମନ୍ବୟ ନ ରହିଲେ ଆଗକୁ ପ୍ରଶାସନିକ ଅଚଳାବସ୍ଥା ସୃଷ୍ଟି ହେବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର