ସମ୍ବଲପୁର : ଦୀର୍ଘ ଅଢ଼େଇ ଦଶନ୍ଧିର କଚ୍ଛପ ଗତି ପରେ ଗତ କିଛି ବର୍ଷ ହେଲା ସାମାନ୍ୟ ତ୍ବରାନ୍ବିତ ‌ହୋଇଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଅଗ୍ରଗତିରେ ପୁଣିଥରେ ନୂଆ ସମସ୍ୟା ସୃଷ୍ଟି ହୋଇଛି। ସାତକୋଶିଆ ଅଭୟାରଣ୍ୟ ଏହି ରେଳପଥରେ ନୂଆ ବାଧକ ସାଜିଛି। ଏହି ରେଳ ଲାଇନ୍‌ ନୟାଗଡ଼ ଜିଲ୍ଲାରେ ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟ ନିକଟ ଦେଇ ଯାଉଥିଲାବେଳେ ଏଥି ପାଇଁ ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଅନୁମତି ମିଳିବାରେ ସମସ୍ୟା ସୃଷ୍ଟି ହୋଇଛି। ନିକଟରେ ସୁପ୍ରିମ୍‌ କୋର୍ଟ ଦେଇଥିବା ରାୟ ଅନୁସାରେ ଏକ ବନ୍ୟପ୍ରାଣୀ ଅଭୟାରଣ୍ୟ ସୀମାର ୮ କିଲୋମିଟର୍ ଦୂରତା ମଧ୍ୟରେ କୌଣସି ପ୍ରକଳ୍ପ ହୋଇପାରିବ ନାହିଁ। ଏହି ରେଳ ଲାଇନ୍ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ବାଣିଗୋଛା ମଧ୍ୟରେ ସାତକୋଶିଆ ଅଭୟାରଣ୍ୟ ‌ନିକଟ ଦେଇ ଯାଉଛି। ଦଶପଲ୍ଲାରୁ ବାଣିଗୋଛା ଦେଇ ବୌଦ୍ଧ ଜିଲ୍ଲାର ପୁରୁଣା କଟକ ପର୍ଯ୍ୟନ୍ତ ୬୮ କିଲୋମିଟର୍ ରେଳ ଲାଇନ୍‌ ବିଛାଇବା ପାଇଁ ରେଳବାଇ ପକ୍ଷରୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଅନୁମତି ମଗା ଯାଇଥିଲା। ତେବେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ସୁପ୍ରିମ୍ କୋର୍ଟଙ୍କ ଉକ୍ତ ରାୟ ଆଧାରରେ ଏଥିରେ ଆପତ୍ତି ଉଠାଇଛି।

Advertisment

ଦଶପଲ୍ଲାରୁ ବାଣି‌ଗୋଛା ୨୭ କିଲୋମିଟର୍ ରେଳପଥ ପାଇଁ ଏହି ସମସ୍ୟା ରହିଛି। କିନ୍ତୁ ଜନସ୍ବାର୍ଥ ପ୍ରସଂଗ ଜଡ଼ିତ ପ୍ରକଳ୍ପ କ୍ଷେତ୍ରରେ କେନ୍ଦ୍ରୀୟ ଅଧିକୃତ କମିଟି ଯଦି ଚାହିଁବ ତାହେଲେ ଏଥି ପାଇଁ ଅନୁମତି ଦେଇ ପାରିବ। ଉକ୍ତ ଅନୁମତି ନେଇ ପୁଣିଥରେ ସୁପ୍ରିମ୍ କୋର୍ଟରେ ଆବେଦନ କରିବାକୁ ହେବ। ସୁପ୍ରିମ୍ କୋର୍ଟଙ୍କ ସବୁଜ ସଂକେତ ମିଳିବା ପରେ ଯାଇ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟରୁ ଚୂଡ଼ାନ୍ତ ଅନୁମତି ମିଳି ପାରିବ। ଖୋର୍ଦ୍ଧା-ବଲାଙ୍ଗୀର ଏକ ୩୦ ବର୍ଷ ପୁରୁଣା ପ୍ରକଳ୍ପ ହୋଇଥିବାରୁ ଓ ଜନସ୍ବାର୍ଥ ସମ୍ବଳିତ ପ୍ରସଂଗ ସହ ଜଡ଼ିତ ଥିବାରୁ ଏହାକୁ ଅନୁମତି ମିଳିବାରେ ସମସ୍ୟା ହେବ ନାହିଁ ବୋଲି ରେଳବାଇ ପକ୍ଷରୁ କହାଯାଇଛି। ଗତ ୧୪ ତାରିଖ ଦିନ ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳ ପରିସୀମା ଅନ୍ତର୍ଗତ ସାଂସଦ ମାନଙ୍କ ସହ ରେଳ ମହାପ୍ରବନ୍ଧକ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ବୈଠକ ହୋଇଥିଲା। ଏଥିରେ ସାଂସଦ ମାନଙ୍କ ପ୍ରଶ୍ନର ଉତ୍ତରରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସୂଚନା ଦେଇ ରେଳବାଇର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଉପରୋକ୍ତ ସୂଚନା ଦେଇଥିଲେ।

ରେଳବାଇ ଅଧିକାରୀଙ୍କ ସୂଚନା ମୁତାବକ ପୂର୍ବରୁ ୨୮୯ କିଲୋମିଟର୍ ଦୈର୍ଘ୍ୟ ବିଶିଷ୍ଟ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଜଙ୍ଗଲ ଜମିକୁ ଏଡ଼ାଇବା ପାଇଁ ଏବେ ୩୦୧ କିଲୋମିଟର୍‌କୁ ଲମ୍ବି ଯାଇଛି। ଏଥି ପାଇଁ ଜମି ଅଧିଗ୍ରହଣ ପ୍ରାୟତଃ ଶେଷ ହୋଇଥିବାବେଳେ ଆଉ ମାତ୍ର ୫ଟି ଗାଁରେ ଏହା ବାକି ଅଛି। ନୟାଗଡ଼ ଓ ବୌଦ୍ଧ ଜିଲ୍ଲାରେ ପ୍ରକଳ୍ପ ପାଇଁ ଜଙ୍ଗଲ ବିଭାଗର ଅନୁମତି ମଗା ଯାଇଛି। ସେଥିରୁ ଉପରୋକ୍ତ ୨୭ କିଲୋମିଟର୍‌ ପାଇଁ ଅନୁମତି ମିଳିବାରେ କିଛିଟା ବିଳମ୍ବ ହୋଇପାରେ। ଏହି ଅନୁମତି ମିଳିବାରେ ରାଜ୍ୟ ସରକାରଙ୍କ ସହଯୋଗ ବି ଲୋଡ଼ା ଯାଇଛି ବୋଲି ନିକଟରେ ନିଜ ଓଡ଼ିଶା ଗସ୍ତ ଅବସରରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗଣମାଧ୍ୟମକୁ କହିଥିଲେ। ହେଲେ ବାଣିଗୋଛାରୁ ପୁରୁଣା କଟକ ପର୍ଯ୍ୟନ୍ତ ଅବଶିଷ୍ଟ ୪୧ କିଲୋମିଟର୍‌ ପାଇଁ ଅନୁମତି ମିଳିବା ନେଇ ବିଶେଷ ସମସ୍ୟା ନାହିଁ। ଏନେଇ ଶୀଘ୍ର ଅନୁମତି ମିଳିବ ବୋଲି ରେଳବାଇ ପକ୍ଷରୁ କହାଯାଇଛି। ଏହି ରେଳପଥର ବଲାଙ୍ଗୀର ପଟୁ ବିଛୁପାଲିରୁ ଝାରତରଭା ପର୍ଯ୍ୟନ୍ତ ୧୧ କିଲୋମିଟର୍ ଲାଇନ୍‌ର ୨୧ ତାରିଖ ଅର୍ଥାତ୍‌ ଆସନ୍ତା କାଲି ସିଆରଏସ୍‌ ନିରୀକ୍ଷଣ ନିର୍ଦ୍ଧାରିତ ହୋଇଥିଲା। ବୈଷୟିକ କାରଣରୁ ଏହା ସ୍ଥଗିତ ରଖା ଯାଇଥିଲେ ବି ଖୁବ ଶୀଘ୍ର ଏହାର କମିସନିଂ ହେବ। ସେହିପରି ଖୋର୍ଧା ପଟୁ ନୂଆଗାଁରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୫ କିଲୋମିଟର୍ ରେଳପଥର ଆସନ୍ତା ମାର୍ଚ୍ଚ ସୁଦ୍ଧା କମିସନିଂ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଏହାଛଡ଼ା ଝାରତରଭାରୁ ପୁରୁଣା କଟକ ଭାୟା ସୋନପୁର, ବୌଦ୍ଧ ୮୩ କିଲୋମିଟର୍ ଲାଇନ୍‌ ୨୦୨୩ ଡିସେମ୍ବର ସୁଦ୍ଧା କାମ ଶେଷ କରିବା ଲକ୍ଷ୍ୟ ରହିଛି ବୋଲି ରେଳବାଇ ପକ୍ଷରୁ କହା ଯାଇଥିଲା। ସୂଚନାଯୋଗ୍ୟ, ବଲାଙ୍ଗୀର ପଟୁ ଏହି ରେଳପଥର ନିର୍ମାଣ କାମ ଅତ୍ୟନ୍ତ ଧିମା ଗତିରେ ଚାଲିଥିବା ନେଇ ‘ସମ୍ବାଦ’ରେ ଏକାଧିକ ‌ରିପୋର୍ଟ ପ୍ରକାଶ ପରେ ପୂର୍ବତଟ ରେଳବାଇର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଏବଂ ମୁଖ୍ୟଯନ୍ତ୍ରୀ ପରିଦର୍ଶନରେ ଆସି ଅଗ୍ରଗତିର ସମୀକ୍ଷା କରିଥିଲେ। ଏହାପରେ ଏହି ରେଳପଥ ପାଇଁ ବଲାଙ୍ଗୀରରେ ଅବସ୍ଥାପିତ ଉପମୁଖ୍ୟ ଯନ୍ତ୍ରୀ (ନିର୍ମାଣ) ୱାଇ ମସ୍ତାନିଆଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠା ଯାଇଥିଲା। ଏହା ପରଠୁ ବୌଦ୍ଧର ଉପମୁଖ୍ୟଯନ୍ତ୍ରୀ (ନିର୍ମାଣ)ଙ୍କୁ ବଲାଙ୍ଗୀରର ବି ଅତିରିକ୍ତ ଦାୟିତ୍ବ ଦିଆଯାଇଛି। କାମ ଆଗେଇ ନେବା ପାଇଁ ଶୀଘ୍ର ବଲାଙ୍ଗୀରରେ ଜଣେ ନୂଆ ଉପମୁଖ୍ୟଯନ୍ତ୍ରୀଙ୍କୁ ଅବସ୍ଥାପିତ କରାଯିବ ବୋଲି ରେଳବାଇ ଅଧିକାରୀଙ୍କ ସୂତ୍ରରୁ ଜଣା ପଡ଼ିଛି। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଖୋର୍ଦ୍ଧାରୁ ନୂଆଗାଁ ପର୍ଯ୍ୟନ୍ତ ୯୦ କିଲୋମିଟର୍ ଓ ବଲାଙ୍ଗୀରରୁ ବିଛୁପାଲି ପର୍ଯ୍ୟନ୍ତ ୧୫ କିଲୋମିଟର୍ ରେଳ ଲାଇନ୍‌ କାର୍ଯ୍ୟକ୍ଷମ ହୋଇ ସାରିଛି।