ଫେଲ ମାରିଥିବା ଗ୍ରିନ ପାସେଜକୁ ସଫଳ କରିବ କି ଆଶୀର୍ବାଦ

ଭୁବନେଶ୍ବର : ରାଜ୍ୟରେ ଫେଲ ମାରିଛି ଉଚ୍ଚଶିକ୍ଷା ବିଭାଗର ଗ୍ରିନ ପାସେଜ ଯୋଜନା। ୫ ବର୍ଷରେ ଏଥିରେ କେବଳ ୫ ଜଣ ପିଲାଙ୍କୁ ସାମିଲ କରାଯାଇଛି। ବର୍ତ୍ତମାନ ଏହାର ମାନଦଣ୍ଡ କୋହଳ କରାଯାଇ ଆଶୀର୍ବାଦ ଯୋଜନାର ପିଲା କିଭଳି ଏଥିରେ ସାମିଲ ହୋଇ ପାରିବେ ଏଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ରାଜଶ୍ରୀ ମହାନ୍ତି ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗକୁ ଜଣାଇଛନ୍ତି।

ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ୨୨ ହଜାରରୁ ଅଧିକ ପିଲାଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଇଛି। ସେମାନଙ୍କୁ ୧୮ ବର୍ଷ ପର୍ଯ୍ୟନ୍ତ ମାସିକ ୧୫୦୦ କିମ୍ବା ୨୫ ଶହ ତଥା ୧୮ ବର୍ଷ ପର୍ଯ୍ୟନ୍ତ ମାଗଣା ଶିକ୍ଷା ସମେତ ଅନ୍ୟ କିଛି ସୁବିଧା ଦିଆଯାଇ ପାରୁଛି। ମାତ୍ର ୧୮ ବର୍ଷ ପରେ ସେମାନଙ୍କୁ ମାଗଣାରେ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ କୌଣସି ଯୋଜନା ନାହିଁ। ଏଥିଯୋଗୁଁ ଅନେକ ପିଲାଙ୍କ କ୍ଷେତ୍ରରେ ଉଚ୍ଚ ଶିକ୍ଷାର ସ୍ବପ୍ନ ଅଧୁରା ରହିବା ଆଶଙ୍କା ରହିଛି। ୨୦୧୬ ମସିହାର ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଅନାଲୋଚିତ ଗ୍ରିନ ପାସେଜ ଯୋଜନା ଏହି ସମସ୍ୟାର ସମାଧାନ କରିବାର ଆଶା ରହିଛି। ଗ୍ରିନ ପାସେଜ ଯୋଜନାରେ ଉଭୟ ଅଭିଭାବକ ହରାଇଥିବା ପିଲାଙ୍କୁ ସାମିଲ କରାଯାଏ; ଯାହାଙ୍କ ବାର୍ଷିକ ଆୟ ୧ ଲକ୍ଷ ଟଙ୍କା ରହିଥିବ। ଅନ୍ୟଦିଗରେ ଆଶୀର୍ବାଦ ଯୋଜନାରେ ମା’, ବାପା ଉଭୟ କିମ୍ବା ଉପାର୍ଜନକ୍ଷମ ଜଣେ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କୁ ସାମିଲ କରାଯାଉଛି। ଏଥିରେ ଆୟକୁ ମାନଦଣ୍ଡ ଭାବରେ ନିଆଯାଇ ନାହିଁ। ତେଣୁ ଆଶୀର୍ବାଦ ଯୋଜନାରେ ସାମିଲ ସମସ୍ତ ପିଲା ଗ୍ରିନ ପାସେଜ ଯୋଜନାର ଲାଭ ବର୍ତ୍ତମାନ ସ୍ଥିତିରେ ନେଇପାରିବେ ନାହିଁ।

ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗ ଗ୍ରିନ ପାସେଜ ଯୋଜନା ମାନଦଣ୍ଡକୁ କୋହଳ କରି ନୂତନ ନୀତି ଗ୍ରହଣ କରୁଛନ୍ତି। ନିର୍ବାଚନ ଆଚରଣ ବିଧି ହଟିବା ପରେ ନୀତି କାର୍ଯ୍ୟକାରୀ ପାଇଁ ବିତ୍ତ ବିଭାଗକୁ ଅନୁମତି ପାଇଁ ପଠାଯିବ। ତାପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ହେବ। ଗ୍ରିନ ପାସେଜ ଯୋଜନା ଅନ୍ତର୍ଗତରେ ବାଳାଶ୍ରମରେ ନରହି ନିଜ ସମ୍ପର୍କୀୟଙ୍କ ସହିତ ରହୁଥିଲେ ମଧ୍ୟ ଏହି ଯୋଜନାର ଲାଭ ନେଇପାରିବେ। ଏଥିରେ ରାଜ୍ୟରେ ସ୍ଥିତ ସରକାରୀ ଏବଂ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନର ପଢିବା ଠାରୁ ହଷ୍ଟେଲରେ ରହିବା ଖର୍ଚ ଉଚ୍ଚ ଶିକ୍ଷା ବିଭାଗ ଉଠାଇବ। ଜିଲ୍ଲାପାଳ, ଉପଜିଲ୍ଲାପାଳ କିମ୍ବା ତହସିଲଦାରଙ୍କ ପକ୍ଷରୁ ଜାରି ପ୍ରମାଣପତ୍ର ଜରିଆରେ ଏହି ସୁବିଧା ମିଳିବ। ୨୦୧୬ ମସିହା ଜୁଲାଇ ମାସରେ ଉଚ୍ଚଶିକ୍ଷା ବିଭାଗର ସ୍ପେସିଆଲ ଡ୍ୟୁଟି ଅଫିସର ବିନୋଦ କୁମାର ଏସଂକ୍ରାନ୍ତରେ ପତ୍ର ସବୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜାରି କରିଥିଲେ। ପ୍ରଚାର-ପ୍ରସାର ଅଭାବରୁ ଏହା ନାମକୁ ମାତ୍ର ହୋଇ ରହିଯାଇଛି। ବର୍ତ୍ତମାନ ଆଶୀର୍ବାଦ ଯୋଜନାର ପିଲା ଏଥିରେ ସାମିଲ ହେଲେ ତଥା ଏହାର ଉପଯୁକ୍ତ ଭାବରେ ପ୍ରଚାର-ପ୍ରସାର କରାଗଲେ ଏହାର ଲାଭ ପ୍ରକୃତ ହିତାଧିକାରୀଙ୍କୁ ମିଳିବ ଏବଂ ବାଳାଶ୍ରମ ପରେ ମଧ୍ୟ ସେମାନଙ୍କ ଉଚ୍ଚଶିକ୍ଷାର ସ୍ବପ୍ନ ଅପୂରଣୀୟ ହୋଇ ରହିବ ନାହିଁ ବୋଲି ଆଶା ରହିଛି।

ସମ୍ବନ୍ଧିତ ଖବର