ଜଳେଶ୍ୱର (ସତ୍ୟବ୍ରତ ପ୍ରଧାନ): ଭୋଗରାଇକୁ ଶିକ୍ଷିତ ନିର୍ବାଚନମଣ୍ଡଳୀ ଭାବେ ଗଣାଯାଏ। ଏଯାବତ ଏଠାରୁ ୪ ଥର ମହିଳା ବିଧାନସଭାକୁ ପ୍ରତିନିଧିତ୍ବ କରିଛନ୍ତି। ୧୯୮୫ ସାଧାରଣ ନିର୍ବାଚନରେ ଏଠାରୁ ଜାତୀୟ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ ପୂର୍ବତନ ସାଂସଦ ସ୍ବର୍ଗତ କାର୍ତ୍ତିକେଶ୍ବର ପାତ୍ରଙ୍କ ପତ୍ନୀ ଉମାରାଣୀ ପାତ୍ର। ସେ ଜନତା ପାର୍ଟିର ଟାଣୁଆ ନେତା ସମରେନ୍ଦ୍ର କୁଣ୍ଡୁଙ୍କୁ ୨,୭୭୭ ଖଣ୍ଡ ଭୋଟରେ ହରାଇ ବିଧାୟିକା ବନିଥିଲେ। ଉମାରାଣୀ ମଧ୍ୟ ବିଧାନସଭାରେ ନିଜକୁ ଜଣେ ଦକ୍ଷ ସଦସ୍ୟା ଭାବେ ପ୍ରମାଣିତ କରିବା ସହ ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ଦୀର୍ଘ ୧୩ ବର୍ଷ ଦାୟିତ୍ବ ତୁଲାଇଥିଲେ। ୧୯୯୦ରେ ଜନତା ଦଳର ପ୍ରାର୍ଥୀ ଡାକ୍ତର କମଳା ଦାସ  କଂଗ୍ରେସ ପ୍ରାର୍ଥୀ ବିଜୟ କୁମାର ପତିଙ୍କୁ ୨,୨୮୪୨ ଖଣ୍ଡ ଭୋଟରେ ପରାଜିତ କରିଥିଲେ। ସେହିପରି ୧୯୯୫ ନିର୍ବାଚନରେ ଦ୍ବିତୀୟଥର ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଉମାରାଣୀ ଓ ଜନତା ଦଳର ପ୍ରାର୍ଥୀ ଡାକ୍ତର କମଳା ଦାସଙ୍କ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଉମାରାଣୀ ୧,୪୦୩୦ ଖଣ୍ଡ ଭୋଟ୍‌ରେ ପରାଜିତ ହୋଇଥିଲେ।

Advertisment

ଉଲ୍ଲେଖଥାଉକି, ୧୯୯୭ ମସିହାରେ ଉମାରାଣୀ ଭୋଗରାଇର ପ୍ରଥମ ମହିଳା ବ୍ଲକ୍‌ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହାରେ କମଳାଙ୍କ ଉପରେ ବିଜୁ ଜନତା ଦଳ ଭରସା କରିଥିବା ବେଳେ ଭୋଗରାଇବାସୀ ମଧ୍ୟ ତାଙ୍କୁ ଅକୁଣ୍ଠ ଚିତ୍ତରେ ସମର୍ଥନ ଅଜାଡ଼ି ଦେଇଥିଲେ। ଫଳସ୍ବରୂପ କଂଗ୍ରେସର ଲଢ଼ୁ୍ଆ ନେତା କାର୍ତ୍ତିକେଶ୍ବର ପାତ୍ରଙ୍କୁ ୧,୦୫୫ ଖଣ୍ଡ ଭୋଟ୍‌ରେ କମଳା ପରାଜିତ କରି ତୃତୀୟଥର ପାଇଁ ବିଧାୟକ ଆସନରେ ବସିବାର ଗୌରବ ହାସଲ କରିଥିଲେ। କମଳା ଦୁଇ ଦୁଇଥର ଓଡ଼ିଶା ସରକାରଙ୍କ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି। ତେବେ ୨୦୦୪ ମସିହାରେ ବିଜୁ ଜନତା ଦଳ ତାଙ୍କୁ ଆଉ ଟିକଟ୍‌ ଦେଇ ନଥିଲା। ଫଳରେ କଂଗ୍ରେସ ଟିକଟ୍‌ରେ ଲଢ଼ିଥିବା କମଳା ୨୨,୫୪୧ ଖଣ୍ଡ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଥିଲେ।

ସଦ୍ୟ ସମାପ୍ତ ସଂସଦ ଅଧିବେଶନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବିଧେୟକ ପାରିତ ହୋଇଛି। ‘ନାରୀଶକ୍ତି ବନ୍ଦନ ଅଧିନିୟମ’ରେ ଆଇନର ମୋହର ଲାଗିବା ପରେ ଉତ୍ସାହ ଦେଖାଦେଇଛି। ଭୋଗରାଇ ବିଧାନସଭା ଆସନ ଆହୁରି ଅନେକ ମହିଳା ଦାବିଦାରଙ୍କୁ ପାଇବ ବୋଲି ଆଶା କରାଯାଉଛି। ହେଲେ ଅତୀତରେ ଭୋଗରାଇବାସୀ ମହିଳା ନେତୃତ୍ବକୁ ଯେପରି ସ୍ବୀକୃତି ଦେଇଥିଲେ, ଭବିଷ୍ୟତରେ ସେହିପରି ସ୍ବୀକୃତି ଦେବେ କି ନାହିଁ, ତାହା ସମୟ କହିବ।