ଭୁବନେଶ୍ବର: ସତରେ କ’ଣ କଳିଙ୍ଗ ଯୁଦ୍ଧରେ ଲକ୍ଷାଧିକ କଳିଙ୍ଗ ସୈନ୍ୟ ପ୍ରାଣ ହରାଇଥିଲେ? ସତରେ କ’ଣ ସେମାନଙ୍କ ରକ୍ତରେ ଦୟା ନଦୀର ପାଣି ଲାଲ୍ ହୋଇ ଯାଇଥିଲା? ସେହି ଯୁଦ୍ଧରେ ଗୋଟିଏ ପଟେ ଅଶୋକଙ୍କ ନେତୃତ୍ବରେ ମଗଧର ସୈନିକ ଥିଲା ବେଳେ କଳିଙ୍ଗ ପଟେ ରାଜା ଓ ସେନାପତି କିଏ ଥିଲେ? ଯୁଦ୍ଧରେ କଳିଙ୍ଗ ରାଜାଙ୍କର ମୃତ୍ୟୁ ଘଟିଥିଲା ନା ସେ ଆତ୍ମସମର୍ପଣ କରିଥିଲେ? ସେହି ରାଜାଙ୍କ ବଂଶଧର କିଏ? ଯଦି ପ୍ରଜାତନ୍ତ୍ର ଥିଲା, ତେବେ କଳିଙ୍ଗର ଶାସନ ଦାୟିତ୍ବ କାହା ଉପରେ ନ୍ୟସ୍ତ ଥିଲା? ସେ ବାବଦରେ ଇତିହାସ ନିରବ କାହିଁକି?
ଖ୍ରୀଷ୍ଟପୂର୍ବ ୨୬୧ ମସିହାରେ ସଂଗଠିତ କଳିଙ୍ଗ ଯୁଦ୍ଧକୁ ନେଇ ଏମିତି ଅନେକ ଅସମାହିତ ପ୍ରଶ୍ନ ରହିଆସିଛି। ଏପରିକି ଇତିହାସ ଠିକ୍ ଭାବେ ଲେଖାଯାଇ ନାହିଁ ବୋଲି ବିଭିନ୍ନ ସମୟରେ ଆପତ୍ତି ଉଠିଛି। ତେବେ କଳିଙ୍ଗ ଯୁଦ୍ଧକୁ ନେଇ ବର୍ଷ ବର୍ଷ ଧରି ପିଢ଼ି ପରେ ପିଢ଼ି ଜାଣିଆସିଥିବା ଇତିହାସ ବଦଳିବାର ସମ୍ଭାବନା ଦେଖାଦେଇଛି। କଳିଙ୍ଗ ଯୁଦ୍ଧର ନୂଆ ଇତିହାସ ଲେଖାଯିବା ନେଇ ଇଙ୍ଗିତ ମଧ୍ୟ ମିଳିଲାଣି। ଏଥି ପାଇଁ ଖୋଦ୍ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ମଙ୍ଗଳବାର ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କଳିଙ୍ଗ ଯୁଦ୍ଧ ଉପରେ ଏକ କର୍ମଶାଳା ଆୟୋଜନ କରାଯାଉଛି। ଏଥିରେ ବହୁ ଗବେଷକ ଓ ଐତିହାସିକ ଯୋଗ ଦେଇ କଳିଙ୍ଗ ଯୁଦ୍ଧ ଉପରେ ମାନସ ମନ୍ଥନ କରିବେ। ଏଠାରେ ଯୁଦ୍ଧ ସମ୍ପର୍କିତ କିଛି ଅଜଣା ତଥ୍ୟ ସାମନାକୁ ଆସିବାର ସମ୍ଭାବନା ରହିଛି। ଏହି ଆଲୋଚନାକୁ ଭିତ୍ତି କରି ପରବର୍ତ୍ତୀ ସମୟରେ ଏକାଡେମୀ ପକ୍ଷରୁ ଏକ ସଂକଳ୍ପ ପ୍ରକାଶ ପାଇବ।
କିଛି ବୁଦ୍ଧିଜୀବୀ ଓ ଗବେଷକଙ୍କ ମତରେ ବିଜେତାମାନେ ହିଁ ଇତିହାସ ଲେଖନ୍ତି। ଏଣୁ ସେଥିରେ ନିଜକୁ ମହିମାମଣ୍ଡିତ କରିବା ଏକ ସାଧାରଣ କଥା। ଠିକ୍ ଏଭଳି କିଛି ବୋଧହୁଏ ଘଟିଛି ଖ୍ରୀଷ୍ଟପୂର୍ବ ୨୬୧ ମସିହାରେ ସଂଗଠିତ କଳିଙ୍ଗ ଯୁଦ୍ଧ ଇତିହାସରେ। ସମ୍ରାଟ ଅଶୋକଙ୍କ ପାଇଁ ଏହି ଯୁଦ୍ଧ ଇତିହାସ ନିହାତି ଭାବେ ଏକ ମହିମାମଣ୍ଡିତ ଅଧ୍ୟାୟ। ଏହା ପରେ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। କିନ୍ତୁ ଏହା କେବଳ କଳିଙ୍ଗ ରାଜ୍ୟକୁ ନ୍ୟୂନ ଏବଂ ମଗଧକୁ ଗରିମାମୟ ଦେଖାଇବାର ଏକ ଚକ୍ରାନ୍ତ ବୋଲି କୁହନ୍ତି।
ଏ ନେଇ ବିଶିଷ୍ଟ ଐତିହାସିକ ଅନୀଲ ଧୀର କହିଛନ୍ତି, କଳିଙ୍ଗ ଯୁଦ୍ଧ ହୋଇଥିବାର ବହୁ ପ୍ରତ୍ନତାତ୍ତ୍ବିକ ପ୍ରମାଣ ରହିଛି। ଏଣୁ କଳିଙ୍ଗ ଯୁଦ୍ଧ ହୋଇଥିଲା କି ନାହିଁ ସେ ନେଇ କୌଣସି ପ୍ରଶ୍ନ ଉଠିବା ଉଚିତ ନୁହେଁ। ଏବେ ବି ଧଉଳି ପାହାଡ଼ ଆଖପାଖରେ ଖୋଳାଖୋଳି କଲେ ଇତିହାସକୁ ସମର୍ଥନ ଦେବା ଭଳି ଅନେକ ପ୍ରତ୍ନତାତ୍ତ୍ବିକ ପ୍ରମାଣ ମିଳିଯାଇପାରେ। କିନ୍ତୁ ଇତିହାସକୁ ଚିହ୍ନିବା ଓ ବୁଝିବାରେ ଆମର ସେଭଳି କୌଣସି ଇଚ୍ଛା କିମ୍ବା ଆଗ୍ରହ ନାହିଁ। କଳିଙ୍ଗ ଯୁଦ୍ଧ ହୋଇଛି ସେ କଥା ସତ। ତେବେ ପ୍ରମାଣ ଆଧାରିତ ତଥ୍ୟ ଏବଂ ସମ୍ପୂର୍ଣ୍ଣ ଠିକ୍ ବିବରଣୀ ଦେବାରେ ଇତିହାସରେ ସବୁବେଳେ ଅଭାବ ରହିଛି। ଏଣୁ ଆମକୁ ଇତିହାସର ଅଧିକ ଗଭୀରତାକୁ ଯାଇ ଗବେଷଣା କରିବାର ଆବଶ୍ୟକତା ରହିଛି। ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ରାଜନେତା ବିଶ୍ବଭୂଷଣ ହରିଚନ୍ଦନ ବିଭିନ୍ନ ସମୟରେ କଳିଙ୍ଗ ଯୁଦ୍ଧ ଇତିହାସର ସତ୍ୟତା ଓ ଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ସାହିତ୍ୟ ଏକାଡେମୀର ଆଲୋଚନାରେ ମଧ୍ୟ ଶ୍ରୀ ହରିଚନ୍ଦନ ସାମିଲ ହେବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କର୍ମଶାଳାର ଉଦ୍ଘାଟନୀ ଓ ଉଦ୍ଯାପନୀ ଉତ୍ସବରେ ଉପସ୍ଥିତ ରହିବେ।