ବିଧାନସଭାରେ ଉଠିବ କି ବଲାଙ୍ଗୀରର ଦୁର୍ନୀତି ପ୍ରସଙ୍ଗ?

ବଲାଙ୍ଗୀର : ରାଜଧାନୀରେ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଲିଛି କଂଗ୍ରେସର ବିକ୍ଷୋଭ। ବଲାଙ୍ଗୀରର ବିଭିନ୍ନ ସମସ୍ୟାକୁ ନେଇ କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଦାବିପତ୍ର ପ୍ରଦାନ କରାଯାଇଥିଲା। ମୁଖ୍ୟତଃ କଂଗ୍ରେସ କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଲୋୟର ସୁକତେଲ, ଜଳସେଚନ, ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ, ହାଇକୋର୍ଟ ବେଞ୍ଚ ସ୍ଥାପନ, ଧାନକିଣା ଦୁର୍ନୀତି, ପାଇଖାନା ଦୁର୍ନୀତି, ଡାକ୍ତର, ଅଧ୍ୟାପକ, ଶିକ୍ଷକ ନିଯୁକ୍ତି, ପର୍ଯ୍ୟଟନ କ୍ଷେତ୍ରର ବିକାଶ, ଦାଦନ ସମସ୍ୟାର ଦୂରୀକରଣ, ବନ୍ଧକଟାର ପୁନରୁଦ୍ଧାର ଇତ୍ୟାଦି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲା। କିନ୍ତୁ ଗତ କିଛି ଦିନ ଧରି ବଲାଙ୍ଗୀର ଜିଲ୍ଲାରେ ଦେଖାଦେଇଥିବା ଦୁର୍ନୀତି ପ୍ରସଙ୍ଗକୁ ନେଇ ସାଧାରଣରେ ଏବେ ଚର୍ଚ୍ଚା। ଜିଲ୍ଲାରେ ସରକାରୀ ଯୋଜନାରେ ହେଉଥିବା ଦୁର୍ନୀତିକୁ ନେଇ ଏଥର ବିଧାନସଭାରେ ଗର୍ଜିବେ କି ଜିଲ୍ଲାର ଦମଦାର ବିଧାୟକ? ଏମିତି କଳ୍ପନାଜଳ୍ପନା ବି ଚାଲିଛି ବିଭିନ୍ନ ମହଲରେ।

ବଲାଙ୍ଗୀର ଜିଲ୍ଲାର ପାଞ୍ଚଜଣ ବିଧାୟକଙ୍କ ଭିତରୁ ତିନିଜଣ ବିରୋଧୀ ଦଳର। ଦୁଇଜଣ ବିଧାୟକ ନରସିଂହ ମିଶ୍ର ଓ ସନ୍ତୋଷ ସିଂ ସାଲୁଜା କଂଗ୍ରେସର ହୋଇଥିବା ବେଳେ ଡ. ମୁକେଶ ମହାଲିଙ୍ଗ ବିଜେପିର। ତେଣୁ ବଲାଙ୍ଗୀର ଜିଲ୍ଲାର ବହୁ ଚର୍ଚ୍ଚିତ କରୋନା ମହାମାରୀ ସମୟର ମହାଦୁର୍ନୀତି, ବାଉଁଶ ଦୁର୍ନୀତି, ଟିଏମ୍‌ସି ଦୁର୍ନୀତି କଥା ଏମାନେ ବିଧାନସଭାରେ ଉଠାଇବେ ବୋଲି ଲୋକେ ଆଶା ରଖିଛନ୍ତି। କୋଭିଡ୍‌ ସମୟରେ କଣ୍ଟେନମେଣ୍ଟ ଜୋନରେ କିଛି ଖଣ୍ଡ ବାଉଁଶ ପୋତି ଲକ୍ଷ ଲକ୍ଷ ଟଙ୍କାର ବିଲ୍‌ ଉଠାଇଛି ପୂର୍ତ୍ତ ବିଭାଗ। କେବଳ ବାଉଁଶରୁ ଯଦି ଏତେ, ଅନ୍ୟ ସବୁଥିରୁ କେତେ? ଇଏ ବଲାଙ୍ଗୀର ଜିଲ୍ଲାର ଦମଦାର ନେତାମାନଙ୍କ ସାନ୍‌ଦାର ପ୍ରସଙ୍ଗ ହୋଇପାରେ। ଏହାବାଦ୍‌ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ବଲାଙ୍ଗୀର ଜିଲ୍ଲାର ଲୋୟର ସୁକତେଲ ଏବେ ଅନିଶ୍ଚିତତା ଭିତରେ। ପ୍ରକଳ୍ପର ଡିପିଆର-୨ ମଂଜୁରି ପାଇନଥିବା ତଥ୍ୟ ପ୍ରଘଟ ହେଲା ପରେ ଦ୍ୱନ୍ଦ୍ବରେ ପ୍ରକଳ୍ପର ଭାଗ୍ୟ। ଠିକ ସେମିତି ବଲାଙ୍ଗୀର ସହର ଦେଇ ଯାଇଥିବା ଜାତୀୟ ରାଜପଥର ମରାମତି କାମରେ ହେଉଥିବା ଦୁର୍ନୀତି। ସମ୍ବଲପୁରର ଏକ ଠିକାସଂସ୍ଥା ଅତି ନିମ୍ନମାନର କାମ ହେଉଥିବାରୁ କାମ ସରୁସରୁ ପିଚୁ ଉଠିଯାଉଛି। ଇଏ ମଧ୍ୟ ନେତାଙ୍କ ପାଇଁ ଏକ ପ୍ରସଙ୍ଗ ହୋଇପାରେ। ଧାନମଣ୍ଡିରେ ମିଲର୍ସଙ୍କ ମନମାନୀ। ମିଲ ଭିତରେ ମିଲର୍ସଙ୍କ ଠକେଇ। ଏସବୁ ବାଦ ବଲାଙ୍ଗୀର ପୂର୍ତ୍ତ ବିଭାଗ ଦ୍ୱାରା କୋଟି କୋଟି ଟଙ୍କାର କାମ ଟେଣ୍ଡର ନକରି କେ୨ଏଫ୨ କରି କାମ ନାଁରେ ବାଟମାରଣା ଏକ ମୁଖ୍ୟ ପ୍ରସଙ୍ଗ। ତେଣୁ ବଲାଙ୍ଗୀର ଜିଲ୍ଲାରେ ସରକାରୀ ଯୋଜନାର ହରିଲୁଟକୁ ନେଇ ଏଥର ବିଧାନସଭାରେ ଗର୍ଜିପାରନ୍ତି ଜିଲ୍ଲାର ବିରୋଧୀ ବିଧାୟକଗଣ। ଏବେ କେବଳ ଅପେକ୍ଷା ଏମାନେ ଗର୍ଜୁଛନ୍ତି ନା ନିର୍ଦ୍ଦିଷ୍ଟ କିଛି ପ୍ରସଙ୍ଗରେ ଲୋକଦେଖାଣିଆ ମୁହଁ ଖୋଲି ଅନ୍ୟ ସବୁରେ ମଉନବ୍ରତ ରଖୁଛନ୍ତି। ସମୟକୁ ଅପେକ୍ଷା।

ସମ୍ବନ୍ଧିତ ଖବର