ଭୁବନେଶ୍ବର: ଦେଶରେ ୭ଟି ପ୍ରଜାତିର ଘୋଡ଼ା ଦେଖାଯାଏ। ଏମାନଙ୍କ ଠାରୁ ଭିନ୍ନ ସ୍ବତନ୍ତ୍ର ପ୍ରଜାତିର ଛୋଟ ଘୋଡ଼ା (ପୋନି)ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିକଟସ୍ଥ ବିଚ୍ଛିନ୍ନାଞ୍ଚଳର ୫ଟି ପଞ୍ଚାୟତର ୪୦ଟି ଗାଁରେ ଚିହ୍ନଟ କରାଯାଇଛି ଯାହା ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଅଢୁଆଳରେ ରହିଯାଇଛି। ଓୟୁଏଟି ପଶୁ ପ୍ରଜନନ ବିଭାଗ ମୁଖ୍ୟ ଡ.ସୁଶାନ୍ତ ଦାଶ, ବ୍ଲକ ପଶୁ ଚିକିତ୍ସା ସୁଜିତ ଦାସଙ୍କ ନେତୃତ୍ବରେ ଏକ ଟିମ କିଛି ମାସ ହେଲା ଏହାକୁ ନେଇ ଗବେଷଣା ଆରମ୍ଭ କରିଛନ୍ତି। ମାଲକାନଗିରିର ଏହି ଘୋଡ଼ାକୁ ଦେଶର ଅଷ୍ଟମ ପ୍ରଜାତି ଘୋଡ଼ା ଭାବରେ ମାନ୍ୟତା ଦେବା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାର ସଂରକ୍ଷଣ ପାଇଁ ପଦକ୍ଷେପ ଗ୍ରହଣ ନେଇ ଆବେଦନ କରିବେ ବୋଲି ଡ.ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି। କୁଳପତି ପ୍ରଭାତ ରାଉଳ ଏଥିପାଇଁ ଆବଶ୍ୟକ ମାର୍ଗଦର୍ଶନ ଦେଉଛନ୍ତି।
ମାଲକାନଗିରି ଜିଲ୍ଲାରେ ବାଲିମେଳା ମାଟିବନ୍ଧ ପ୍ରକଳ୍ପ ନିର୍ମାଣ ପରେ ୮ଟି ପଞ୍ଚାୟତ ବିଚ୍ଛିନ୍ନାଞ୍ଚଳ ହୋଇ ପଡ଼ିଥିଲା। ଏଥିଯୋଗୁଁ ପେପରମେଟଲା, କାଜଲମାମୁଡ଼ି, ରାଲେଗଡ଼ା, ଧୁଳିପୁର ଏବଂ ଯନ୍ତ୍ରି ଅଧିବାସୀଙ୍କ ପାଇଁ ଏହି ଘୋଡ଼ାହିଁ ପରିବହନର ଏକମାତ୍ର ମାଧ୍ୟମ। ଡ.ସୁଶାନ୍ତ ଦାଶଙ୍କ ଅନୁସାରେ, ମାତ୍ର ୧୪୨ରୁ ୧୪୯ ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ଏହି ଛୋଟ ଘୋଡ଼ାର ସ୍ବତନ୍ତ୍ରତା ହେଲା, ଅନ୍ୟ ଘୋଡ଼ାଙ୍କ ଭଳି ଏହା ପବନ ବେଗରେ ଦୌଡ଼ିପାରେ ନାହିଁ କିନ୍ତୁ ଜଙ୍ଗଲ ଏବଂ ପାହାଡ଼ ରାସ୍ତାରେ ଦୀର୍ଘ ସମୟ ଧରି ଦୀର୍ଘ ପଥ ଅତିକ୍ରାନ୍ତ କରିବାର ଦକ୍ଷତା ରହିଛି। ସେ ଏକାସହିତ ଦୁଇ ଜଣଙ୍କୁ କିମ୍ବା ଜଣଙ୍କ ସହିତ ୮୦ରୁ ୧୦୦ କେଜି ପର୍ଯ୍ୟନ୍ତ ଜିନିଷ ବୋହି ପାରିବେ। ଏମାନଙ୍କ ପାଳନ ଏବଂ ରକ୍ଷଣାବେକ୍ଷଣ ପାଇଁ ବିଶେଷ ଖର୍ଚ୍ଚ କରିବାକୁ ପଡ଼େ ନାହିଁ। ଶୁଖିଲା ଘାସ ଖାଇ ବଞ୍ଚିଯାଆନ୍ତି। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ପୂର୍ବଭଳି ଏହା ଉପରେ ନିର୍ଭରଶୀଳତା ନାହିଁ। ଏହା ସତ୍ତ୍ବେ ଆଜି ବି ବିଚ୍ଛିନ୍ନାଞ୍ଚଳ ହୋଇ ରହିଯାଇଥିବା କିଛି ଗାଁର ଲୋକେ ଘୋଡ଼ାରେ ମାଣ୍ଡିଆ, ସୁଆଁ ସମେତ ନିଜ ଉତ୍ପାଦିତ ଫସଲ ନେଇ ଚିତ୍ରକୋଣ୍ଡା ବଜାର ଏବଂ ଆନ୍ଧ୍ରପ୍ରଦେଶକୁ ନେଇ ଯାଆନ୍ତି।
ଦେଶର ସିକିମ, ଜାମ୍ମୁ-କାଶ୍ମୀର, ହିମାଚଳପ୍ରଦେଶ, ମଣିପୁର ଏବଂ ଅରୁଣାଚଳପ୍ରଦେଶ ଭଳି ଥଣ୍ଡା ଅଞ୍ଚଳରେ ଏହି ଛୋଟ ଘୋଡ଼ା ଦେଖାଯାଆନ୍ତି। ମାଲକାନଗିରିରେ ଚିହ୍ନଟ ଏହା ଏକମାତ୍ର ଘୋଡ଼ା ଯାହାଙ୍କ ଗରମ ସହଣି କ୍ଷମତା ଥିବା ସହିତ ରୋଗ ପ୍ରତିଶେଧକ ଶକ୍ତି ରହିଛି। ଅଳ୍ପ ଆହାରରେ ବଞ୍ଚି ଯାଆନ୍ତି। ନିର୍ଦିଷ୍ଟ ସ୍ଥାନରୁ ପାଣି ପିଅନ୍ତି। ତେଣୁ ମାଲକାନଗିରିର ଏହି ବିଚ୍ଛିନ୍ନାଞ୍ଚଳ ପଞ୍ଚାୟତରେ ବିଭିନ୍ନ ସ୍ଥାନରେ ଘୋଡ଼ା ପାଣି ପିଉଥିବା ସ୍ଥାନକୁ ସ୍ବତନ୍ତ୍ର ଭାବରେ ଚିହ୍ନଟ କରାଯାଇଛି। ଓୟୁଏଟିର ପ୍ରାରମ୍ଭିକ ଗବେଷଣା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ବିଚ୍ଛିନ୍ନାଞ୍ଚଳ ପଞ୍ଚାୟତରେ ୮୫୫ଟି ଘୋଡ଼ା ଚିହ୍ନଟ କରାଯାଇଛି। ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳରେ ଏଭଳି ଘୋଡ଼ା ଦେଖାଯାଏ। ମାଲକାନଗିରିର ଏହି ଘୋଡ଼ାଙ୍କ ସହିତ ଅନ୍ୟ ପ୍ରଜାତିର ଘୋଡ଼ାଙ୍କ ସହିତ ସହବାସ କରାଇଲେ ଆହୁରି ଉନ୍ନତ ମାନର ଘୋଡ଼ା ସୃଷ୍ଟି କରାଯାଇ ପାରିବ। ତେଣୁ ଏହାକୁ ସଂରକ୍ଷିତ କରି ରଖିବା ପାଇଁ ପ୍ରଶାସନିକ ସହଯୋଗର ଆବଶ୍ୟକତା ରହିଛି।