ଅନ୍ତର୍ଜାତୀୟ ହକି ପୂର୍ବରୁ ରାଉରକେଲାରୁ ବିମାନ ଉଡିବ ତ ?

ଉଈ ଖାଇଲାଣି ଟର୍ମିନାଲ ବିଲ୍‌ଡିଂ

ଏବେ ନିର୍ମାଣ ହେବ ଆପ୍ରୋନ୍‌ ଓ ଟ୍ୟାକ୍ସିୱେ
ଖର୍ଚ୍ଚ ହେବ ୮ କୋଟି ୧୬ ଲକ୍ଷ

ରାଉରକେଲା : ଆଗାମୀ ୨୦୨୩ରେ ରାଉରକେଲାରେ ହେବାକୁ ଯାଉଛି ବିଶ୍ବକପ୍ ହକି। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ପରିସରରେ ନିର୍ମାଣ ଚାଲିଛି ୧୩୦ କୋଟି ଟଙ୍କା ବ୍ୟୟରେ ଦେଶର ସର୍ବବୃହତ ହକି ଷ୍ଟାଡିମୟ। ଏହା ପୂର୍ବରୁ ରାଉରକେଲା ବିମାନ ଘାଟିରୁ ଦୈନିକ ବିମାନ ସେବା ଆରମ୍ଭ କରିବାକୁ ଏୟାର ଅଥରିଟି ଅଫ୍‌ ଇଣ୍ଡିଆ (ଏଏଆଇ)ର ଆରମ୍ଭ ହୋଇଛି ପ୍ରସ୍ତୁତି। ବିମାନ ଘାଟିର ଆବଶ୍ୟକକୀୟ ଭିତ୍ତିଭୂମି ବିକାଶ ପାଇଁ ଆର୍‌ଏସ୍‌ପିର ବିଭାଗୀୟ ଅଧିକାରୀଙ୍କୁ ଚିଠି ଆସିଛି। ଚିଠିରେ ରନୱେ ବୃଦ୍ଧି, ଟ୍ୟାକ୍ସିୱେ, ଆପ୍ରୋନ ନିର୍ମାଣ ସଂକ୍ରାନ୍ତରେ ଉଲ୍ଲେଖ କରାଯାଇଛି। ଏ ବାବଦରେ ମୋଟ୍‌ ୮ କୋଟି ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ‌ହେବ। ଆସନ୍ତା ୭ରୁ ୮ ମାସ ଭିତରେ ଏସବୁ କାମ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ଷା କମିବା ପରେ ଏସବୁ କାମ ଆରମ୍ଭ ହେବ ବୋଲି ଏଏଆଇର ସିଭିଲ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ କୁହାଯାଇଛି।

ଏଥିରେ କେତେ ବାସ୍ତବତା ଅଛି, ତାକୁ ନେଇ ସହରବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। କାରଣ ପୂର୍ବରୁ ଅନେକ ଥର ରାଉରକେଲାରୁ ବିମାନ ଏମିତି ଉଡିବ, ଉଡିବ ବୋଲି କୁହାଯାଇଛି। କିନ୍ତୁ ଉଡିନି। ସହରବାସୀ ପ୍ରତିରିତ ହେବା ଭଳି ଅନୁଭବ କରିଛନ୍ତି। ଏ ପରଂପରା ଅନେକ ବର୍ଷ ହେଲା ଜାରି ରହିଛି। ଉଲ୍ଲେଖନୀୟ କଥା ହେଉଛି, ନିର୍ମାଣ ହୋଇଥିବା ଟର୍ମିନାଲ ବିଲ୍‌ଡିଂ ବ୍ୟବହାର ନ ହୋଇ ଇତିମଧ୍ୟରେ ଉଈ ଖାଇଲାଣି। ଆଉ କିଛି ଦିନ ଏମିତି ବ୍ୟବହାର ନ ହେଲେ, ଟର୍ମିନାଲ ବିଲ୍‌ଡିଂକୁ ସମ୍ପୂର୍ଣ୍ଣ ଉଈ ଖାଇଯିବ ବୋଲି କୁହାଯାଉଛି। ସେମିତି ୧୮୦୦ ମିଟର ରନୱେ ରି-କାର୍ପେଟିଂ ପରେ ୧୯ ଆସନ ବିଶିଷ୍ଟ ବିମାନ ଅବତରଣ ହେବ ବୋଲି ବିଭାଗ ପ୍ରତିଶ୍ରୁତି ଦେଇଥିଲା। ତାହା ଏବେ ପାଣିର ଗାର। ୧୯ ଆସନ ବିଶିଷ୍ଟ ବିମାନ ତ ଦୂରର କଥା, ୯ ଆସନ ବିଶିଷ୍ଟ ବିମାନ ମଧ୍ୟ ଉଡିପାରିଲା ନାହିଁ। ଏସବୁ ଭିତରେ ହକି ବିଶ୍ବ କପ୍ ପୂର୍ବରୁ ପୁଣି ସହରବାସୀଙ୍କୁ ଦୈନିକ ବିମାନ ସେବାର ସ୍ବପ୍ନ ଦେଖାଇଛି ଏଆଇଆଇ।

ବର୍ତ୍ତମାନ ରାଉରକେଲା ବିମାନ ଘାଟି ୨-ବି କ୍ୟାଟାଗୋରିରେ ରହିଛି। ଏହାକୁ ୩ ସି କ୍ୟା‌ଟାଗୋରିରେ ଅପ୍‌ଗ୍ରେଡେଡ୍‌ କରାଯିବ। ରନୱେ ୧୮୦୦ ମିଟରରୁ ବୃଦ୍ଧି କରାଯାଇ୨୬୦୦ ମିଟର ଅର୍ଥାତ୍‌ ୨.୬ କି.ମି. ହେବ। ଲୋଡିଂ, ଅନ୍‌ ଲୋଡିଂ, ରିଫିଲିଂ ପାଇଁ ଆପ୍ରୋନ୍‌, ରନୱେ ଓ ଆପ୍ରୋନ୍‌କୁ ସଂଯୋଗ କରୁଥିବା ଟ୍ୟାକ୍ସି ୱେ ନିର୍ମାଣ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ବିମାନ ଘାଟିର ଆହୁରି ସମ୍ପ୍ରସାରଣ କରାଯିବ ବୋଲି କୁହା ଯାଉଛି। ଏଥିପାଇଁ ସେକ୍ଟର-୧୩ ପାର୍ଶ୍ବରୁ ୧୪୬ ଏକର ଜାଗା ଆର୍‌ଏସ୍‌ପି ଯୋଗାଇ ଦେବାକୁ ସହମତି ପ୍ରକାଶ କରିଛି। ଏ ବାବଦରେ ପାଖାପାଖି ୧୬୦ କୋଟି ଖର୍ଚ୍ଚ କରାଯିବ। ଏସବୁ ହୋଇସାରିବା ପରେ ଏଟିଆର୍‌ -୭୨ ଅର୍ଥାତ୍‌ ୭୨ ଆସନ ବିଶିଷ୍ଟ ବିମାନ ଅବତରଣ କରିବ ବୋଲି କୁହାଯାଉଛି। ତେବେ ହକି ବିଶ୍ବକପ୍ ପୂର୍ବରୁ ଦୈନିକ ୭୨ ଆସନ ବିଶିଷ୍ଟ ବିମାନ ଉଡିବ କି ନାହିଁ, ତା ଉପରେ ସହରବାସୀଙ୍କର ଉତ୍କଣ୍ଠା ରହିଛି।

ଉଲ୍ଲେଖନୀୟ ଯେ ୨୦୧୬ ମାର୍ଚ୍ଚରେ ରାଉରକେଲା ଏୟାର ପୋର୍ଟରେ ଇନ୍ଧନ ସେଣ୍ଟର ଉଦ୍‌ଘାଟନ ହୋଇଥିଲା। ୨୦୧୮ ଏପ୍ରିଲରେ ରାଉରକେଲା ଏୟାର ପୋର୍ଟକୁ ବାଣିଜ୍ୟିକ ବିମାନ ବନ୍ଦର କରିବାକୁ ସେଲ୍‌ ଓ ଏୟାର ଅଥରିଟି ଅଫ୍‌ ଇଣ୍ଡିଆ (ଏଏଆଇ) ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ପୁଣି ୨୦୧୯ ଜାନୁଆରିରେ ଡିଜିସିଏ ପକ୍ଷରୁ ରାଉରକେଲା ଏୟାରପ‌ୋର୍ଟକୁ ବାଣିଜ୍ୟିକ ଲାଇସେନ୍ସ ମଧ୍ୟ ମିଳି ସାରିଛି। ବିମାନ ବନ୍ଦର ପାଇଁ ଜଣେ ଏୟାରପୋର୍ଟ ମ୍ୟାନେଜର, ଟର୍ମିନାଲ ମ୍ୟାନେଜର, ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ଏଏଆଇ ଓ ଅଗ୍ନିଶମ ସହ ସୁରକ୍ଷା ବ୍ୟବସ୍ଥା ଓଡ଼ିଶା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବାକୁ କୁହାଯାଇଥିଲା। କିନ୍ତୁ ଏଯାଏ କିଛି କରା ଯାଇନାହିଁ। ଝାରସୁଗୁଡ଼ାରୁ ଦୈନିକ ବିମାନ ସେବା ଇତିମଧ୍ୟରେ ଆରମ୍ଭ ହୋଇ ଯାଇଛି। ସେ ବିମାନ ବନ୍ଦର ଦିଦକୁ ଦିନ ବଢ଼ି ଚାଲିଛି। କିନ୍ତୁ ପୁରୁଣା ଓ କାର୍ଯ୍ୟକ୍ଷମ ଥିବା ବିମାନ ବନ୍ଦରଟିଏ ଥାଇ ମଧ୍ୟ ରାଉରକେଲାକୁ ବାରମ୍ବାର ଅଣଦେଖା କରାଯାଉଛି। ସେପଟେ ବିମାନ ସେବା କାରଣରୁ ରାଉରକେଲା ସହରର ବିକାଶ ମଧ୍ୟ ଅନେକ ଦୃଷ୍ଟିରୁ ଅଟକି ଯାଇଛି। ସବୁଠାରୁ ପ୍ରଭାବ ହୋଇଛି ଏଠାକାର ଶିକ୍ଷା ଓ ଚିକିତ୍ସା। ଏକଦା ଶିକ୍ଷା, ବିଶେଷକରି କୋଚିଂ ମାମଲାରେ ରାଉରକେଲାର ଏକ ସ୍ବତନ୍ତ୍ର ସ୍ଥାନ ଥିଲା ସାରା ରାଜ୍ୟରେ। କିନ୍ତୁ ବିମାନ ସେବା ନଥିବାରୁ କଟକ, ଭୁବନେଶ୍ବର ଓ ରାଜ୍ୟ ବାହାରୁ ଶିକ୍ଷକମାନେ ଏଠାକୁ ଆସିବାଲାଗି ରାଜି ହେଉ ନାହାନ୍ତି। ସେହିପରି ରେଳ ବା ସଡ଼କ ପଥରେ ଅତ୍ୟଧିକ ସମୟ ନଷ୍ଟ କରି ଆସିବାଲାଗି ବିଶେଷଜ୍ଞ ଡାକ୍ତରମାନେ ମଧ୍ୟ ଅନିଚ୍ଛା ପ୍ରକାଶ କରୁଛନ୍ତି।

ସମ୍ବନ୍ଧିତ ଖବର