ଟ୍ରାକ୍‌କୁ ଫେରିବ କି ରେଳ ପ୍ରକଳ୍ପ, ରେଳମନ୍ତ୍ରୀଙ୍କଠାରୁ ଆଶା ଅନେକ

ଚଳିତ ଦଶନ୍ଧିରେ ସରିବ କି ଖୋର୍ଧାରୋଡ-ବଲାଙ୍ଗୀର ପ୍ରକଳ୍ପ
ପୁରୀ ଷ୍ଟେସନକୁ ବିଶ୍ବସ୍ତରୀୟ କରିବାକୁ ଦାବି ଜୋର ଧରିଲା

ଭୁବନେଶ୍ବର : ରେଳ କ୍ଷେତ୍ରରେ ବଦଳିବ କି ଓଡ଼ିଶାର ଭାଗ୍ୟ? ସତରେ କ’ଣ ଭୁବନେଶ୍ବର ରେଳ ଷ୍ଟେସନ ବିଶ୍ବସ୍ତରୀୟ ରୂପ ନେଇପାରିବ? ବହୁ ବର୍ଷ ଧରି ନିର୍ମାଣାଧୀନ ଖୋର୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଚଳିତ ଦଶନ୍ଧିରେ ସରିବ ନା ଆହୁରି ବିଳମ୍ବ ହେବ? ପୁରୀ-କୋଣାର୍କ ମଧ୍ୟରେ ରେଳ ସଂଯୋଗ ପ୍ରସ୍ତାବ କେବେ କାର୍ଯ୍ୟକାରୀ ହେବ ? ହରିଦାସପୁର-ପାରାଦୀପ ମଧ୍ୟରେ କେବେ ଗଡ଼ିବ ଯାତ୍ରୀବାହୀ ଟ୍ରେନ୍? ଅନୁଗୁଳ-ସୁକିନ୍ଦା, ତାଳଚେର-ବିମଳାଗଡ଼, ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ନୂଆ ରେଳ ଲାଇନ୍‌ କାର୍ଯ୍ୟ ତ୍ବରାନ୍ବିତ ହେବ ତ? ଓଡ଼ିଶାରେ ଆଉ ନୂତନ ରେଳ ଡିଭିଜନ୍‌ ପ୍ରତିଷ୍ଠା ଦିଗରେ କି ପଦକ୍ଷେପ ନିଆଯିବ?

ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ୪ ଦିନିଆ ଓଡ଼ିଶା ଗସ୍ତ ଅବସରରେ ଏମିତି ମାଳ ମାଳ ପ୍ରକଳ୍ପକୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି। ଓଡ଼ିଶାରୁ କୌଣସି ସାଂସଦ ପ୍ରଥମ ଥର ପାଇଁ ରେଳ ମନ୍ତ୍ରଣାଳୟର କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିବାରୁ ଏପରି ଆଶା ରହିବା ସ୍ବାଭାବିକ। ତେବେ ମନ୍ତ୍ରୀ ଏ ସମ୍ପର୍କରେ କିଛି ଘୋଷଣା କରିବେ କି ନାହିଁ, ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଶ୍ରୀ ବୈଷ୍ଣବ ତାଙ୍କର ପ୍ରଥମ ଗସ୍ତ ସମୟରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଉପରେ ଅଧିକ ‌ଫୋକସ୍‌ ଦେଇଛନ୍ତି। ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ବଲାଙ୍ଗୀର ଜିଲ୍ଲାରେ ୩ ଦିନ ବିତାଇବାର କାର୍ଯ୍ୟକ୍ରମ ରହିଛି। ତେଣୁ ଉକ୍ତ ଜିଲ୍ଲାରେ ଚାଲୁଥିବା ପ୍ରକଳ୍ପଗୁଡ଼ିକ ପୁଣିଥରେ ଅଗ୍ରଗତି କରିବ ବୋଲି ଜିଲ୍ଲାବାସୀ ଆଶା ପୋଷଣ କରିଛନ୍ତି।

ଏହି ଗସ୍ତର ଏକ ମାସ ପୂର୍ବରୁ ଓଡ଼ିଶାର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ର ମନ୍ତ୍ରୀ ନୂଆଦିଲ୍ଲୀରେ ସମୀକ୍ଷା କରିଥିଲେ। କେଉଁ ପ୍ରକଳ୍ପ କାର୍ଯ୍ୟ କେତେ ବାଟ ଆଗେଇଛି, ସେ ନେଇ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ମନ୍ଥର ଗତିରେ ଚାଲିଥିବା ରେଳ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ଗୋଟି ଗୋଟି କରି ବୁଝିଥିଲେ। ପଶ୍ଚିମ ଓଡ଼ିଶା ସହ ଉପକୂଳ ଓଡ଼ିଶାକୁ ସଂଯୋଗ କରିବାକୁ ଥିବା ୩୦୬ କିମିର ଖୋର୍ଧାରୋଡ-ବଲାଙ୍ଗୀର ରେଳପଥର ଅଗ୍ରଗତିକୁ ଅଧିକ ଗୁରୁତ୍ବ ଦେଇ ପ୍ରକଳ୍ପ କାର୍ଯ୍ୟ ‌କେତେ ଆଗେଇଛି, କେଉଁଠି ଅଟକି ରହିଛି, କ’ଣ ପାଇଁ ବିଳମ୍ବ ହେଉଛି ଆଦି ବିଷୟରେ ପଚାରି ବୁଝିଥିଲେ। ଚଳିତ ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଗୋଟିଏ ଦିନ ବଲାଙ୍ଗୀର ଜିଲ୍ଲାରେ କାଟିବାକୁ ଥିବାରୁ ଏହି ପ୍ରକଳ୍ପ ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି। ୨୬ ବର୍ଷ ହେଲା ଏହି ରେଳ ଲାଇନ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନି। ସେହିପରି ସମ୍ବଲପୁର-ଟିଟିଲାଗଡ଼ ରେଳଲାଇନ୍‌ ଡବଲିଂ କାର୍ଯ୍ୟ, ରାଏପୁର-ଟିଟିଲାଗଡ଼ ପ୍ରକଳ୍ପର ଅଗ୍ରଗତି ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।

କେନ୍ଦ୍ରମନ୍ତ୍ରୀଙ୍କ କୋରାପୁଟ ଗସ୍ତ ମଧ୍ୟ ଅଧିକ ଗୁରୁତ୍ବ ବହନ କରୁଛି। ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ନୂଆ ରେଳ ଲାଇନ୍‌ ସହ କୋରାପୁଟ-ସିଂହପୁର ରେଳ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ଉପରେ ମନ୍ତ୍ରୀ ଗୁରୁତ୍ବ ଦେବେ ବୋଲି ଆଶା କରାଯାଉଛି। ଏହାବ୍ୟତୀତ ବଂଶପାଣି-ଦୈତାରୀ-ଟୋମକା-ଜଖପୁରା, ଖୋର୍ଧାରୋଡ-ବାରଙ୍ଗ, ବିଜୟନଗରମ୍‌-ସମ୍ବଲପୁର, ତାଳଚେର-ସମ୍ବଲପୁର ରେଳଲାଇନ୍‌ ଡବଲିଂ କାର୍ଯ୍ୟ, ତାଳଚେରର ଝରପଡ଼ା-ବୁଢ଼ାପଙ୍କ ଫ୍ଲାଏଓଭର, ସାଲେଗାଁ-ବୁଢ଼ାପଙ୍କ, ଭଦ୍ରକ-ନିର୍ଗୁଣ୍ଡି, ଜଗଦଲ୍‌ପୁର-କୋରାପୁଟ, ନାରାୟଣଗଡ଼-ଭଦ୍ରକ, ରାଉରକେଲା-ଝାରସୁଗୁଡ଼ା, ଝାରସୁଗୁଡ଼ା-ବିଳାସପୁର ଆଦି ପ୍ରମୁଖ ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଗରୁ ସମୀକ୍ଷା କରିଥିବାରୁ ଗସ୍ତ ପରେ ମନ୍ଥରଗତିରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ପୁଣିଥରେ ଟ୍ରାକ୍‌କୁ ଫେରିବ ବୋଲି ଆଶା କରାଯାଉଛି। ସେହିପରି ବ୍ରହ୍ମପୁର-ସମ୍ବଲପୁର ପ୍ରସ୍ତାବିତ ରେଳ ଲାଇନ୍ ପାଇଁ ସର୍ଭେ ନିମନ୍ତେ ୨୦୧୦-୧୧ ମସିହାରେ କୁହାଯାଇଥିଲା। କିନ୍ତୁ ତାହା ଅହେତୁକ ବିଳମ୍ବ ହେବାରେ ଲାଗିଛି ଓ କାମ ଆରମ୍ଭ ହୋଇପାରି ନାହିଁ। ଏହି ରେଳ ଲାଇନ୍ ବ୍ରହ୍ମପୁର, ଆସିକା, କନ୍ଧମାଳ ଓ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀକୁ ସଂଯୋଗ କରିବ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଲାଇନ୍ ହୋଇଥିବାରୁ ଏଥି ପାଇଁ ଆବଶ୍ୟକ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ନିମନ୍ତେ ମନ୍ତ୍ରୀ ପଦକ୍ଷେପ ନେବେ ବୋଲି ସ୍ଥାନୀୟ ଲୋକମାନେ ଆଶା ରଖିଛନ୍ତି।

RailNews Media India Ltd

ଓଡ଼ିଶା ଦେଶର ଏକ ପ୍ରମୁଖ ଶିଳ୍ପ ଓ ଖଣିଜ ହବ୍ ଭାବେ ବିକଶିତ ହେଉଛି। ରାଜ୍ୟରେ ଏକାଧିକ ବନ୍ଦର କାର୍ଯ୍ୟକ୍ଷମ ହୋଇଛି ଓ ଆଗକୁ ଆହୁରି ଅଧିକ ବନ୍ଦର ଆସୁଛି। ତେଣୁ ରେଳ ସଂଯୋଗ ଭିତ୍ତିଭୂମି ଅଧିକ ଦୃଢ଼ ହେବାର ଆବଶ୍ୟକତା ରହିଛି। ଏହା ବାଦ୍ ରାଜ୍ୟର ସମନ୍ବିତ ବିକାଶ ପାଇଁ ପ୍ରାକୃତିକ ସମ୍ପଦରେ ଭରପୂର ବହୁ ପଛୁଆ ଅଞ୍ଚଳକୁ ରେଳ ସଂଯୋଗ କରିବା ନିହାତି ଜରୁରୀ।

ରେଳ ମନ୍ତ୍ରୀଙ୍କ ଗସ୍ତର ପ୍ରଥମ ଦିନରେ ହିଁ ଓଡ଼ିଶାବାସୀ ତାଙ୍କଠାରୁ ବହୁତ କିଛି ଆଶା ରଖିଥିବା ଦେଖିବାକୁ ମିଳିଛି। ପୁରୀ ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ସହ ବିଶ୍ବ ଐତିହ୍ୟ କୋଣାର୍କରୁ ପୁରୀକୁ ରେଳ ଲାଇନ୍‌ ବିଛାଇବାକୁ ପୁରୀ ଗସ୍ତ ସମୟରେ ରେଳ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ସୂଚନ‌ାଯୋଗ୍ୟ ଯେ ପୁରୀ-କୋଣାର୍କ ୩୮ କିମି ରେଳ ସଂଯୋଗ ପାଇଁ ବହୁ ବର୍ଷ ହେଲା ରାଜ୍ୟ ସରକାର ପ୍ରସ୍ତାବ ଦେଇ ଆସୁଛନ୍ତି। ଏପରିକି ଏହି ରେଳ ଲାଇନ୍ ନିର୍ମାଣର ୫୦% ଅର୍ଥ ଓ ମାଗଣା ଜମି ଦେବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।

ପୁରୀ ଗସ୍ତ ପରେ ରେଳ ମନ୍ତ୍ରୀ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ବର ରେଳ ଷ୍ଟେସନରୁ ଭୁବନେଶ୍ବର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛନ୍ତି। ଏହି ସମୟରେ ସେ ଭୁବନେଶ୍ବର ରେଳ ଷ୍ଟେସନ ସମ୍ପର୍କରେ ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର