ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ଅଧୀନରେ ରହିଛି ପ୍ରାୟ ୨୦ରୁ ଅଧିକ ପୋଖରୀ। ନିଜସ୍ବ ପୋଖରୀ ନ ହେଲେ ମଧ୍ୟ ରକ୍ଷଣାବେକ୍ଷଣ ଦାୟିତ୍ବ ଆର୍ଏମ୍ସିର। ବିଗତ ଦିନରେ ଅନେକ ପୋଖରୀର ପୁନରୁଦ୍ଧାର ହୋଇଛି। ଯେବେଠୁ ନିର୍ବାଚିତ ପ୍ରତିନିଧି ନାହାନ୍ତି ସେବେଠାରୁ ପୋଖରୀଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟକୁ ସମ୍ପୂର୍ଣ୍ଣ ପାସୋରି ଯାଇଛନ୍ତି ଆର୍ଏମ୍ସି କର୍ତ୍ତୃପକ୍ଷ। ଫଳରେ ବର୍ଷ ବର୍ଷ ଧରି ଅନେକ ପୋଖରୀ ପରିତ୍ୟକ୍ତ ହୋଇ ପଡି ରହିଛି। ଏବେ ଏସବୁ ପୋଖରୀର ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର ପାଇଁ ମୁକ୍ତା ଯୋଜନାରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଗ୍ରୁପକୁ ପ୍ରାୟ ୧୫ ଲକ୍ଷରୁ ଆରମ୍ଭ କରି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଞ୍ଜୁର ହୋଇଛି।ଏସବୁ କାମରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିବା ଏସ୍ଏଚ୍ଜି ଗ୍ରୁପକୁ ୱାର୍କ ଅର୍ଡର ମିଳିଛି। ବାସ୍ତବରେ କିନ୍ତୁ କାମ କରିବାକୁ ଯାଉଛନ୍ତି ଠିକାଦାର।
ଯେମିତିକି ନୟାବଜାରରେ ବର୍ଷ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ପୋଖରୀର ପୁନରୁଦ୍ଧାର ପାଇଁ ପାଖାପାଖି ୫୦ ଲକ୍ଷରୁ ଅଧିକ ଟଙ୍କା ମଞ୍ଜୁର ହୋଇଛି। କାରଣ ପୂର୍ବରୁ ଆବେଦନ କରିଥିବା କିଛି ଏସ୍ଏଚ୍ଜି ଗ୍ରୁପ୍କୁ ଏଥିରୁ ବାଦ୍ ଦିଆଯିବାରୁ ବିବାଦ ସୃଷ୍ଟି ହୋଇଛି। କେଉଁ ଆଧାରରେ ଏମାନଙ୍କୁ ୱାର୍କ ଅର୍ଡର ମିଳିଛି ବୋଲି ବାଦ୍ ପଡିଥିବା କିଛି ଏସ୍ଏଚ୍ଜି ଗ୍ରୁପ୍ ଅଭିଯୋଗ କରିଛନ୍ତି। କେବଳ ନୟାବଜାର ପୋଖରୀ ନୁହେଁ ଅନ୍ୟ କିଛି ପୋଖରୀ କାମରେ ମଧ୍ୟ ସେହି ସମାନ ସମସ୍ୟା ଉପୁଜିଛି। ସେପଟେ ୱାର୍କ ଅର୍ଡର ପାଇଥିବା ଏସ୍ଏଚ୍ଜି ଗ୍ରୁପମାନେ ନିଜେ କାମ ନ କରି କିଛି ଠିକାଦାରଙ୍କ ସହ ହାତ ମିଳିଥିବା ଶୁଣିବାକୁ ଚର୍ଚ୍ଚା ହେଉଛି। ଯଦି ଏପରି କାମ ହେବ ତେବେ ଆର୍ଏମ୍ସି ଅଧୀନରେ ବର୍ଷ ବର୍ଷ ଧରି ପଡି ରହିଥିବା ପରିତ୍ୟକ୍ତ ପୋଖରୀର ସ୍ଥିତି ସୁଧୁରିବ ତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଉଲ୍ଲେଖଯୋଗ୍ୟ, ବନ୍ଧମୁଣ୍ଡା ତିଲକାନଗର, ଚୁଡିବସ୍ତି, ମଧୁସୁଦୂନପାଲୀ ମଣ୍ଡଳ ପୋଖରୀ, ଗୋପବନ୍ଧୁପାଲୀ, ଶକ୍ତିନଗର, ଏସ୍ଟିଆଇ, ଇଏସ୍ଆଇ ମଡେଲ ସ୍କୁଲ ଶାନ୍ତି କଲୋନି, ବାସନ୍ତୀ କଲୋନି ଇତ୍ୟାଦି ପୋଖରୀ ରହିଛି। ଏଥି ମଧ୍ୟରୁ ପର୍ବପର୍ବାଣୀରେ ରେଲୱେ କଲୋନି ସମିତି ପରିତ୍ୟକ୍ତ ଅବସ୍ଥାରେ ପଡିଛି। ଅନୁରୂପ ଭାବେ ଏସ୍ଟିଆଇ ଛକ ନିକଟରେ ଥିବା ପୋଖରୀକୁ ପୁନରୁଦ୍ଧାର କରିବା ପରିବର୍ତ୍ତେ ପୋତାଯାଉଛି। ଜଳ ସଂରକ୍ଷଣ ସହ ସ୍ଥାନୀୟ ଲୋକଙ୍କ ବ୍ୟବହାର ପାଇଁ ବନ୍ଧମୁଣ୍ଡା ଚୁଡିବସ୍ତିରେ ଥିବା ପୋଖରୀର ଆର୍ଏମ୍ସି ରକ୍ଷଣାବେକ୍ଷଣ କରି ଆସୁଥିଲା। ବିଗତ ଦିନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ କରିଥିଲା। ବିଭାଗୀୟ ଅଧିକାରୀଙ୍କ ସହ ଉପଯୁକ୍ତ ସମନ୍ବୟ ରଖି ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏସବୁ ପୋଖରୀଗୁଡ଼ିକୁ ପୁନରୁଦ୍ଧାର କରିବା ଦରକାର ବୋଳି ପୂର୍ବତନ ନଗରପାଳ ରମେଶ ବଳ, ବିଜେପିର ବରିଷ୍ଠ ନେତା ନିହାର ରାୟ, ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ବିରେନ ସେନାପତି କହିଛନ୍ତି। ଖରାଦିନେ ବ୍ୟବହାର ପାଇ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏସବୁ ପୋଖରୀଗୁଡ଼ିକୁ ମୁକ୍ତା ଯୋଜନା ପାଣ୍ଠିରେ ପୁନରୁଦ୍ଧାର କରାଯିବାର ଆବଶ୍ୟକତା ରହିଛି ବୋଲି ସେମାନେ ଦାବି କରିଛନ୍ତି। ତେବେ ଆର୍ଏମ୍ସି କର୍ତ୍ତୃପକ୍ଷ ମୁକ୍ତା ଯୋଜନା ପାଣ୍ଠିର ସଠିକ୍ ବିନିଯୋଗ ଓ ପୋଖରୀର ସୌନ୍ଦର୍ଯ୍ୟକରଣ କେମିତି ବିନିଯୋଗ ସେଥିପ୍ରତି ଦୃଷ୍ଟି ଦେବାକୁ ସହରବାସୀଙ୍କ ପକ୍ଷରୁ ମଧ୍ୟ ଦାବି ହେଉଛି।