ଭୁବନେଶ୍ବର: ଏଥର ମଧ୍ୟ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇ ନ ପାରେ। ଲଗାତାର ଅଷ୍ଟମ ବର୍ଷ ପାଇଁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ନିର୍ବାଚନ ନ ହେବାର ସମ୍ଭାବନା ଦେଖାଦେଇଛି। ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ବିଧିବଦ୍ଧ ନିଷ୍ପତ୍ତି ଘୋଷଣା କରି ନ ଥିଲେ ମଧ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ପରୋକ୍ଷରେ ସଙ୍କେତ ଦିଆଯାଇଛି। ରାଜ୍ୟରେ ଶାସନାଧୀନ ବିଜେପି ସରକାରର ବହୁ ବିଧାୟକ ଓ ଦଳୀୟ ନେତାମାନେ ନିର୍ବାଚନ ସପକ୍ଷରେ ନାହାନ୍ତି। ବିରୋଧୀ ଦଳ ପଟୁ ବି ଜୋର୍‌ଦାର ଚାପ ଆସିବାର ନାହିଁ। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ମଧ୍ୟ ନିର୍ବାଚନ ଝାମେଲାରୁ ଦୂରେଇ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ଅଲିଖିତ ଅବଗତ କରାଇଛନ୍ତି। ତେଣୁ ସମସ୍ତ ସ୍ଥିତିକୁ ବିଚାରକୁ ନେଇ ରାଜ୍ୟ ସରକାର ଏବର୍ଷ ଛାତ୍ର ସଂସଦ ନିର୍ବାଚନଠାରୁ ଦୂରେଇ ରହିବାକୁ ଯୋଜନା କରୁଛନ୍ତି। ଯେଉଁଥି ପାଇଁ ଏପର୍ଯ୍ୟନ୍ତ ବିଜ୍ଞପ୍ତି ପ୍ରକାଶ କରାଯାଇ ନ ଥିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ତିନି ମାସ ତଳେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ବିଭିନ୍ନ ସଭାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥି‌ଲେ। ତାହାକୁ ନଜରରେ ରଖି ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ବିଜ୍ଞପ୍ତି ପ୍ରକାଶ କରିବାକୁ ସମ୍ଭାବ୍ୟ ତାରିଖ ଦର୍ଶାଯାଇଥିଲା। ଇତିମଧ୍ୟରେ ଦ୍ବିତୀୟ ସପ୍ତାହ ସରିଥିଲେ ମଧ୍ୟ ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ। ସେହିପରି ସେପ୍ଟେମ୍ବର ୧୭/୧୮ ତାରିଖ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ ଏବଂ ୧୮/୧୯ ତାରିଖ ପୂର୍ବାହ୍ନ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବାକୁ ଦିନ ଧାର୍ଯ୍ୟ ହୋଇଥିଲା। ସେପ୍ଟେମ୍ବର ୨୫ କିମ୍ବା ୨୬ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ନିର୍ବାଚନ କରିବାକୁ ସ୍ଥିର ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ ପ୍ରକ୍ରିୟା ହିଁ ଆରମ୍ଭ ହୋଇପାରି ନାହିଁ।
Advertisment
ଛାତ୍ର ସଂସଦ ନିର୍ବାଚନର ପ୍ରତିଶ୍ରୁତି ‌ଦେଇ କ୍ଷମତାକୁ ଆସିଥିବା ବିଜେପି ୨୦୨୪ରେ ସ୍ନାତକ (ୟୁଜି) ସ୍ତରରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ ଆଳରେ ନିର୍ବାଚନକୁ ଟାଳି ଦେଇଥିଲେ। ୨୦୨୫ରେ ନିର୍ବାଚନ ହେବ ବୋଲି କୁହାଯାଇଥିଲା। ଏମିତିକି ନିର୍ବାଚନ କରିବେ ବୋଲି ଚଳିତବର୍ଷ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଗୁଆ ନାମଲେଖା ପ୍ରକ୍ରିୟା ହୋଇଥିଲା। ମାତ୍ର ଏବେ ସମସ୍ତେ ନିରବତା ଅବଲମ୍ବନ କରି ନିର୍ବାଚନକୁ ଏଡ଼ାଇ ଯିବାକୁ ଉଦ୍ୟମ କରୁଛନ୍ତି। ବିଜେପିର ଛାତ୍ର ସଙ୍ଗଠନ ଭାବେ ଜଣାଶୁଣା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବେ ସମ୍ପୂର୍ଣ୍ଣ ନିରବ। ଅଗଷ୍ଟ ମାସରେ କିଛି କ୍ୟାମ୍ପସ୍‌ରେ ସଦସ୍ୟ ସଂଗ୍ରହ କରି ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ସଜବାଜ ହୋଇଥିଲା। ମାତ୍ର ଏବେ ଚୁପ। ବିଜୁ ଛାତ୍ର ଜନତା ଦଳ ମଧ୍ୟ ନିର୍ବାଚନ ସପକ୍ଷରେ ନାହିଁ। ଏବେ ଛାତ୍ରୀନେତ୍ରୀ ଇପ୍‌ସିତା ସାହୁ ସଙ୍ଗଠନର ମଙ୍ଗ ଧରିଛନ୍ତି। ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି ଅର୍ଥାତ୍‌ ବିରୋଧ କରି ଜଣଙ୍କ ପରେ ଜଣେ ଛାତ୍ରନେତା ଦଳ ଛାଡ଼ୁଛନ୍ତି। ସେପଟେ ଛାତ୍ର କଂଗ୍ରେସ ନେତୃତ୍ବବିହୀନ ହୋଇ ରହିଛି।
ନିରବତା ଅବଲମ୍ବନ କରୁଛନ୍ତି ଛାତ୍ର ସଙ୍ଗଠନ
ବିଧାୟକ, ନେତା ମଧ୍ୟ ଅନିଚ୍ଛୁକ
କେବଳ ସେତିକି ନୁହେଁ, ଶାସକ ବିଜେପିର ବିଧାୟକ ଓ ତୃଣମୂଳ ସ୍ତରର ନେତାମାନେ ମଧ୍ୟ ନିର୍ବାଚନ ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଏବେ କିପରି ପଞ୍ଚାୟତକୁ ନିୟନ୍ତ୍ରଣକୁ ଆଣି ବିକାଶମୂଳକ କାର୍ଯ୍ୟ ଜୋର୍‌ଦାର କରିବେ, ତାହା ଉପରେ ସେମାନେ ଫୋକସ୍ କରିଛନ୍ତି। କ୍ୟାମ୍ପସ୍‌ଗୁଡ଼ିକରେ ସଂଗଠନ ସଜାଡ଼ିବାକୁ ସମୟ ଦେଇ ନାହାନ୍ତି। ତେଣୁ ଚଳିତ ବର୍ଷ ନିର୍ବାଚନ ଟାଳି ଦେବାକୁ ବହୁ ବିଧାୟକ ମୌଖିକ ଭାବେ ସରକାରଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି। ଏହି ପ୍ରସଙ୍ଗରେ ବିରୋଧୀ ବିଜେଡି ପଟୁ ବିଶେଷ ଆକ୍ରମଣାମତ୍ମକ ଭୂମିକା ନିଆଯିବାର ସମ୍ଭାବନା ନାହିଁ। କାରଣ ବିଜେଡି ଶାସନ ସମୟରେ ହିଁ ନିର୍ବାଚନକୁ ବନ୍ଦ କରିଦିଆଯାଇଥିଲା। ବାସ୍ତବରେ ବିଜେଡିର ବିଧାୟକ ଓ ସ୍ଥାନୀୟ ନେତାମାନେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ନଥିବା ସେମାନଙ୍କ ହାବଭାବରୁ ଜଣାପଡ଼ିଯାଉଛି। କେବଳ ନାମକୁ ମାତ୍ର ଦାବି କରିବା ଢଙ୍ଗରେ ସେମାନେ ମଝିରେ ମଝିରେ କହୁଛନ୍ତି। ପିସିସି ସଭାପତି ଛାତ୍ର ସଂସଦ ନିର୍ବାଚନ କରିବାକୁ ଦାବି କରୁଥିଲେ ମଧ୍ୟ ଦଳୀୟ ନେତାଙ୍କ ମନ ଛାତ୍ର ସଂସଦ ନିର୍ବାଚନ ଆଡ଼କୁ ଢଳୁ ନାହିଁ। ଆହୁରି ମଧ୍ୟ ଛାତ୍ର ସଂସଦ ନିର୍ବାଚନ ଅତ୍ୟନ୍ତ ବ୍ୟୟବହୁଳ ହେଉଥିବାରୁ ବିଧାୟକ ଓ ନେତାମାନେ ଖର୍ଚ୍ଚାନ୍ତ ହେବାକୁ ଚାହୁ ନଥିବା ଜଣାପଡ଼ିଛି।  
କ୍ୟାମ୍ପସ୍‌ରେ ଅଶାନ୍ତି ଦେଖାଦେଲେ ସରକାର ନିର୍ବାଚନ ବନ୍ଦ କରିବାର ବ୍ୟବସ୍ଥା ରହିଛି। ସେହି ଆଳରେ ବାଣୀବିହାର ସମେତ ଜ୍ୟୋତିବିହାର, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ, ରାଜଧାନୀ ସ୍ବୟଂଶାସିତ ମହାବିଦ୍ୟାଳୟ, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ପରି ରାଜ୍ୟର ନାମକରା ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ର ଅଶାନ୍ତି ଲାଗିରହିଥିବା ଦର୍ଶାଇ ଏଥର ନିର୍ବାଚନକୁ ସରକାର ଟାଳି ଦେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।